• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଡିଓଙ୍କ ବିରୋଧରେ ବିଜେଡି ସିଧାସଳଖ ଅଭିଯୋଗ । କୌଣସି ଉଦଘାଟନୀ ସଭାକୁ ସରପଂଚ, ବ୍ଳକ ଅଧ୍ୟକ୍ଷ, ଜିଲ୍ଳା ପରିଷଦ କିମ୍ବା ସମିତିସଭ୍ୟଙ୍କୁ ଡକାଯାଉନାହିଁ । ପଂଚାୟତ ସମିତି ଆଇନକୁ ମାନୁନାହାନ୍ତି ବି.ଡି.ଓ । ଏଇଠି ଅଫିସର ରାଜ ଚାଲିଛି । ତେଣୁ ଆମେ ପଂଚାୟତ ସମିତୀ ବୈଠକ ବର୍ଜନ କଲୁ ।

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ପଂଚାୟତସ୍ତରର ବୈଠକରେ ଗର୍ଜିଥିଲେ ସମିତିସଭ୍ୟ ତଥା ବିଜେଡି ନେତା ଲକ୍ଷ୍ମଣ ମେହେର ଆଉ ବୈଠକ ଅଧାରୁ ଉଠିଆସିଥିଲେ । ଲକ୍ଷ୍ମଣଙ୍କ ସହ ଆଉ କିଛି ସମିତିସଭ୍ୟ ବି ବୈଠକ ଅଧାରୁ ଚାଲିଆସିଥିଲେ । ବାହାରେ ବିଡିଓଙ୍କ ସହ ପାଟିମୁଣ୍ଡ ହୋଇଥିଲା, ଧାରଣା ବି ଦିଆଯାଇଥିଲା । ସିଧାସିଧା ଅଭିଯୋଗ କରିଥିଲେ ବିଧାୟକଙ୍କ ଇଂଗିତରେ କାମ ହେଉଛି । ଏମିତି ହେଲେ ବୈଠକ ହୋଇପାରିବ ନାହିଁ ବୋଲି କହିଥିଲେ ଦେଓଗାଁ ବ୍ଳକ ସରପଂଚ ସଂଘ ସଭାପତି ଓ ବ୍ଳକ ଅଧ୍ୟକ୍ଷ ।

ପଂଚାୟତ ବୈଠକରେ କାହିଁକି ଏମିତି ଘଟଣା ଘଟିଲା ତାହାକୁ ନେଇ ବେଶୀ ଚର୍ଚ୍ଚା । ସୂଚନା ଅନୁସାରେ, ଗତକାଲି ଦୁଇଟି ପୋଖରୀ ଖନନ ଓ ସ୍କୁଲ କୋଠା ନିର୍ମାଣର ଶିଳାନ୍ୟାସ କରିଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏ ଉତ୍ସବରେ ସ୍ଥାନୀୟ ସରପଂଚ, ସମିତିସଭ୍ୟ, ଜିଲ୍ଳା ପରିଷଦ କିମ୍ବା ବ୍ଳକ ଅଧ୍ୟକ୍ଷଙ୍କୁ ଡକାଯାଇନଥିଲା । ତେଣୁ ଏହାର ବିରୋଧ କରି ପଂଚାୟତ ସମିତି ବୈଠକରେ ଗର୍ଜିଥିଲେ ସରପଂଚ ସଂଘ ଓ କିଛି ବିଜେଡି ସମର୍ଥିତ ସମିତିସଭ୍ୟ ।

ସରପଂଚ ସଂଘର ଅଭିଯୋଗ, କାମର ଏଗ୍ରିମେଣ୍ଟ ହୋଇନଥିବା ବେଳେ ଶିଳାନ୍ୟାସ କିପରି କଲେ ବିଧାୟକ ନରସିଂହ ମିଶ୍ର ? ଯଦି କଲେ ସ୍ଥାନୀୟ ଜନପ୍ରତିନିଧିଙ୍କୁ କାହିଁକି ଡାକିଲେ ନାହିଁ ? ବିଜେଡି ନେତା ଲକ୍ଷ୍ମଣ ମେହେରଙ୍କ ଅଭିଯୋଗ, ବ୍ଳକର ସବୁକଥାରେ ମୁଣ୍ଡ ପୂରାଉଛନ୍ତି ବିଧାୟକ । ତେଣୁ ଆମେ ବିରୋଧ କଲୁ । ହେଲେ ନରସିଂହଙ୍କ କହୁଛନ୍ତି, ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧୀଙ୍କୁ ଡାକିଥିଲେ ଭଲ ହୋଇଥାଆନ୍ତା । ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଦୋଷ ଲଦାଲଦି ହେଲେ ମୁଁଅ କଣ କରିବି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ନରସିଂହ ଆହୁରି କହିଛନ୍ତି ଲକ୍ଷ୍ଣଣ ଯେଉଁ ସ୍ତରର ନେତା ତାଙ୍କ ବକ୍ତବ୍ୟ ଉପରେ ଟିପ୍ପଣୀ ଦେବା ଉଚିତ ହେବନି । ସେପଟେ ନରସିଂହଙ୍କ ବକ୍ତବ୍ୟକୁ ନେଇ ଲକ୍ଷ୍ଣଣ କହିଛନ୍ତି ମୁଁ କେଉଁ ସ୍ତରର ନେତା ୨୪ରେ ଜଣାପଡିବ ।  ଅନେକ ସମୟରେ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ କନ୍ଦଳ ହେଉଥିବାର ଚିତ୍ର ସାମ୍ନାକୁ ଆସେ । ହେଲେ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନେଇ ବିଧାୟକ ଓ ବିଜେଡିର ଗୋଷ୍ଠୀ ମଧ୍ୟରେ ଯେମିତି କଥା କଟାକଟି ହୋଇଛି ତାହାକୁ ନେଇ ରାଜନୈତିକ ମହଲରେ ଏବେ ଭାରି ଚର୍ଚ୍ଚା ।

  • Reported by:
  • MANARANJAN JOSHI