• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହିଳା ହୋମଗାର୍ଡ ସୈରିନ୍ଦ୍ରୀଙ୍କୁ ଡିଆଇଜିଙ୍କ ଘରେ ନିର୍ଯାତନା ଅଭିଯୋଗ ପରଠୁ ତେଜିବାରେ ଲାଗିଛି ବିବାଦ । ଏଯାଏଁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଦିଲ୍ଲୀ ଯାଇ ଜାତୀୟ ମହିଳା କମିଶନ ଏବଂ ଜାତୀୟ ମାନବାଧିକାର କମିଶନଙ୍କୁ ରାଜ୍ୟ ବିଜେପି ଭେଟିଛି । ଏସବୁ ଭିତରେ ଚିକିତ୍ସାଧିନ ସୈରିନ୍ଦ୍ରୀଙ୍କୁ ସହାୟତାରେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପରିବାର ଲୋକେ ବର୍ଷିଥିବାବେଳେ ହୋମଗାର୍ଡ ସର୍ଭିସ ରୁଲର ସଠିକ୍ କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି ।

ହୋମଗାର୍ଡଙ୍କୁ ବଡ଼ବଡ଼ିଆ ଅଫିସର ଦେଉଛନ୍ତି କି ନିର୍ଯାତନା ? ଅଫିସରଙ୍କ ପରିବାର ଲୋକ ହୋମଗାର୍ଡଙ୍କ ଉପରେ ଦେଖାଉଛନ୍ତି କି ହୁକୁମାତି ? ରାଜ୍ୟ ହୋମଗାର୍ଡ ସର୍ଭିସ ରୁଲର ହେଉଛି କି ଖୋଲା ଉଲଂଘନ ? ଚାକିରି ଛଟେଇର ନାଲିଆଖି ଦେଖାଇ ହୋମଗାର୍ଡଙ୍କୁ ଘର କାମରେ ନିୟୋଜିତ କରାଉଛନ୍ତି କି ଅଫିସର ? ଡିଆଇଜି ବ୍ରିଜେଶ ରାୟଙ୍କ ଘରେ ଲେଡି ହୋମଗାର୍ଡ ସୈରିନ୍ଦ୍ରୀ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଲାଗିରହିଛି ହଇଚଇ ।

ଅନୁଗୁଳ ଏସପିଙ୍କୁ ହୋମଗାର୍ଡ ଡିଜିଙ୍କ ରିପୋର୍ଟ ତଲବକୁ ଛାଡ଼ିଦେଲେ ନା ମୁହଁ ଖୋଲୁଛି ଗୃହ ବିଭାଗ ନା ପ୍ରତିକ୍ରିୟା ରଖୁଛନ୍ତି ପୋଲିସ ଡିଜି । ଏସବୁ ଭିତରେ ଦିଲ୍ଲୀରେ ଆଜି ଜାତୀୟ ମାବାଧିକାର କମିଶନ ଓ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି ଟିମ୍ । ମାମଲା ତଦନ୍ତ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ପଠାଇବାକୁ ଜାତୀୟ ମାବାଧିକାର କମିଶନଙ୍କୁ କହିଛି ଦଳ ।

ଅପରପକ୍ଷେ ହସ୍ପିଟାଲ ବେଡରେ ପଡ଼ିରହିଥିବା ପୀଡ଼ିତା ସୈରିନ୍ଦ୍ରଙ୍କୁ ଏଯାଏଁ କୌଣସି ସରକାରୀ ସହାୟତା ଦିଆଯାଇନଥିବା ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ପରିବାର ଲୋକେ । ତେବେ ଗୋଟିଏ ପଟେ ନିର୍ଯାତନାର ଶିକାର ଆଉ ସେପଟେ ସରକାରୀ ସହାୟତା କ୍ଷେତ୍ରରେ ଉଦାସୀନତା । ଘଟଣା ସାମ୍ନାକୁ ଆସିବାର ୩ ଦିନ ପରେ ବି ମାମଲା ଯଥା ପୂର୍ବଂ ତଥା ପରଂ ।

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ । ତୁରନ୍ତ ରାଜ୍ୟ ସରକାର ପୀଡ଼ିତା ଓ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ରାଜ୍ୟରେ ରହିଛନ୍ତି ୧୫ ହଜାର ୭୦୮ ଜଣ ଗୃହରକ୍ଷୀ । ରାଜ୍ୟ ହୋମଗାର୍ଡ ସର୍ଭିସ ରୁଲ୍ ଅନୁଯାୟୀ, ଆଇନଶୃଙ୍ଖଳା ସ୍ଥିତି ଠାରୁ ବିପର୍ଯ୍ୟୟ ମୁକାବିଲା, ଟ୍ରାଫିକ୍ ନିୟନ୍ତ୍ରଣ, ଅଫିସ ସହାୟକ, ରକ୍ଷଣାବେକ୍ଷଣ ପାଇଁ ହୋମଗାର୍ଡ ମାନଙ୍କୁ ବ୍ୟବହାର କରାଯିବା କଥା । କିନ୍ତୁ ବଡ଼ବଡ଼ିଆ ଅଫିସରଙ୍କ ଘରେ ନିଯୁକ୍ତ ହୋମଗାର୍ଡଙ୍କୁ ସର୍ଭିସ ରୁଲର ଉଲଂଘନ କରି ଘରର ସହାୟକ ଭାବେ କାମ କରାଉଥିବା ଅଭିଯୋଗ ଉଠୁଛି । ଆଉ ନିର୍ଯାତନାର ଶିକାର ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୈରିନ୍ଦ୍ରୀ । ପୂର୍ବରୁ ବି ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ବିଭିନ୍ନ ବର୍ଗରେ ଅସନ୍ତୋଷ ଦେଖାଦେଇଛି ।

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗକୁ ନେଇ ଲାଗିରହିଥିବା ବିବାଦ ଭିତରେ କେବେ ରାଜ୍ୟ ସରକାରଙ୍କ ଚେତା ପଶୁଛି ଏବଂ କେବେ ବଦଳୁଛି ଏହି ବ୍ରିଟିଶ୍ ଅମଳର ବ୍ୟବସ୍ଥା, ତାକୁ ଅପେକ୍ଷା ।