• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୀପାବଳି ବାସିରେ ପ୍ରଦୀପ ପାଣିଗ୍ରାହୀ ବିସ୍ଫୋରଣ । ଓଡ଼ିଶାକୁ ଲୁଟୁଛନ୍ତି ‘ଗ୍ୟାଙ୍ଗ ଅଫ୍ ଫାଇଭ୍’ । କିଛି ଏଭଳି ସାଂଘାତିକ ଅଭିଯୋଗ ଆଣି ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିବା ସହ ଗଞ୍ଜାମ ବିଜେଡି ତାଙ୍କ ବିରୋଧରେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲା ତାକୁ କଡା ଭାଷାରେ କାଉଣ୍ଟର କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ନାଁରେ ବିଜେଡିର ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଜବାବ ରଖି ପ୍ରଦୀପ ଚାଲେଞ୍ଜ କରିଛନ୍ତି, ମୁଖ୍ୟମନ୍ତ୍ରୀ ଟିମ୍ କରନ୍ତୁ, ଖୋଲା ବିତର୍କ କରିବି ।

ଘନଉଛି ଗଞ୍ଜାମ ପଲିଟିକ୍ସ । ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ । କିଏ ସେ ଗ୍ୟାଙ୍ଗ ଅଫ୍ ଫାଇଭ, ଏନେଇ ସ୍ପଷ୍ଟ କହିନଥିଲେ ମଧ୍ୟ ତୃତୀୟ ମହଲା ଅଫିସର ଗୋଷ୍ଠୀକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ପ୍ରଦୀପ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଅନ୍ତୁଡିଶାଳ ପାଲଟିଥିବା ଅଭିଯୋଗ କରିଛନ୍ତି । ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି ।

ଗତ ଅକଟୋବର ୩୧ ତାରିଖରେ ରାଜଭବନଠାରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ବସିବା ନେଇ ପ୍ରଦୀପ ବିଜେପି ଯିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହି ଚର୍ଚ୍ଚାକୁ ନେଇ ଗତ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ବିଜେଡି ପ୍ରଦୀପ ଏବଂ ବିଜେପିକୁ ଟାର୍ଗେଟ କରିଥିଲା । ପ୍ରଦୀପଙ୍କ ବିରୋଧରେ ନିଯୁକ୍ତି ଦୁର୍ନୀତି, ମଦ ଏବଂ ବାଲି ମାଫିଆଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗ ଥିବା ବେଳେ ବିଜେପି ତାଙ୍କୁ କାହିଁକି ଗ୍ରହଣ କରୁଛି ସେ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ନେତା ରମେଶ ଚ୍ୟାଉପଟନାୟକ ଓ ବିଧାୟକ ବିକ୍ରମ ପଣ୍ଡା । ଆଜି ସେ ସଂପର୍କରେ ବି ପ୍ରତିକ୍ରିୟା ରଖି ଖୁଲାସା କରିଛନ୍ତି ପ୍ରଦୀପ । ଏମିତି କି ଅନେକ ରାଜନୈତିକ ଦଳରୁ ତାଙ୍କୁ ଯୋଗାଯୋଗ କରାଯାଇଛି ହେଲେ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜେଡି ଭୟଭୀତ ହୋଇ ଆଗୁଆ ସାମ୍ବାଦିକ ସମ୍ମିଳନୀ କରିଥିବା ପ୍ରଦୀପ କହିଛନ୍ତି ।

ନିର୍ବାଚନ ଯେତେ ପାଖଉଛି ବିଜେଡି-ପ୍ରଦୀପ ଲଢେଇ ସେତେ ତେଜୁଛି । ଦେଖିବାର କଥା ଆଗକୁ ଏହି ପ୍ରସଙ୍ଗ କେଉଁ ନୂଆ ମୋଡ଼ ନେଉଛି ।

  • Reported by:
  • SOUMYA RANJAN SAHOO