• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଉ ପାରୁନାହାନ୍ତି ନବୀନ ବାବୁ । ତାଙ୍କ ପ୍ରଶାସନ ନିର୍ମଳ, କାର୍ଯ୍ୟ ଦୁର୍ବଳ, ନେତା ନିର୍ବଳ । ୨୨ ବର୍ଷ ହେଲାଣି ଲୋକଙ୍କୁ ଭକୁଆ ଭାବୁଛନ୍ତି । ଶୋଭାଯାତ୍ରା କଲେ, ନବୀନ ବାବୁଙ୍କ ଉପରେ ସିଧାସଳଖ ବର୍ଷିଲେ । କହିଲେ ୨୨ ବର୍ଷ ହେଲାଣି ଲୋକଙ୍କୁ ଭକୁଆ ବନାଉଛନ୍ତି ବିଜେଡି ସରକାର। ଏଥର ଆଉ ଚଳିବନି। ଲୋକ ବୁଝିଲେନି...ବିଧାୟକଙ୍କୁ ଦେଖାଦେଉନାହାନ୍ତି କି ମନ୍ତ୍ରୀଙ୍କୁ କାମ କରିବାର ସୁଯୋଗ ଦେଉନାହାନ୍ତି। ଏମିତି ଚାଲିଛି ରାଜ୍ୟ ଶାସନ ।

ଲୁଲୁ ସେନାର ନାଁ ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ଇଏ କିନ୍ତୁ ଲୁଲୁ ସେନା ନୁହେଁ ବରଂ ପ୍ରଦୀପ ସେନା । ହଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠନ ହୋଇଛି ପ୍ରଦୀପ ସେନା । ଆଉ ସେନା ଗଠନ ହେବା ପରେ ଦେଖାଉଛି ଦମ୍‌ । ବାଜା ବାଜୁଛି...ଆଉ ବାଜାର ତାଳେ ତାଳେ କର୍ମୀ ଓ ସମର୍ଥକଙ୍କ ବାହାରିଛି ଶୋଭାଯାତ୍ରା । ତେବେ ଏହି ଶୋଭଯାତ୍ରାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଥିଲା ଟାର୍ଗେଟ୍‌ ।

ବେକରେ ଫୁଲମାଳ ପଡିଛି, ଶୋଭାଯାତ୍ରା ବାହାରିଛି । ଆଉ ପ୍ରଦୀପ ପାଣିଗ୍ରାହୀଙ୍କ ଜୟଜୟକାର ବି ପଡୁଛି । ରଙ୍ଗେଇଲୁଣ୍ଡା ପଞ୍ଚାୟତର ତୁଳୁ, ଇନ୍ଦ୍ରାକ୍ଷୀ ଗାଁରେ ବିରାଟ ରାଲି ସହ ସଭା କରିଥିଲେ ପ୍ରଦୀପ ସେନା । ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ । ଲୋକଙ୍କ ସୁଖ ଦୁଃଖରେ ରହୁଥିବା ନେତା ପ୍ରଦୀପ ପାଣିଗ୍ରାହୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏହି ସେନା ଗଠନ ହୋଇଥିଲା । ଏହାକୁ ସ୍ପଷ୍ଟ କରିଥିଲେ ସଭାପତି ଏମ୍‌ ଗଙ୍ଗା ପାତ୍ର।

 

ଶୋଭାଯାତ୍ରା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲ ପ୍ରଦୀପ । ପ୍ରଶ୍ନ କରିଥିଲେ ୨୨ ବର୍ଷ ହେଲା କାହିଁକି ଲୋକଙ୍କୁ ଭକୁଆ ବନାଉଛନ୍ତି ନବୀନ ବାବୁ ? ମୁଖ୍ୟମନ୍ତ୍ରୀଙ୍କ ଆଢୁଆଳରେ ରହି କେତେକ ଅଫିସର ଓଡିଶାକୁ ଲୁଟୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀ କିଛି ବୁଝିପାରୁନାହାନ୍ତି ତାହାଲେ ଗାଦି ଛାଡୁନାହାନ୍ତି କାହିଁକି ? ତାଙ୍କୁ ଅଧିକ ବୟସ ହୋଇଗଲାଣି ସେ ଗାଦି ଛାଡନ୍ତୁ ବୋଲି କହିଛନ୍ତି ପ୍ରଦୀପ ।

ଖାଲି ଏତିକି ନୁହେଁ ସଭାରେ ମନଖୋଲା ବର୍ଷିଛନ୍ତି ପ୍ରଦୀପ । କହିଛନ୍ତି, ତାଙ୍କ ପ୍ରଶାସନ ନିର୍ମଳ, କାର୍ଯ୍ୟ ଦୁର୍ବଳ, ନେତା ନିର୍ବଳ । ତେଣୁ ଲୋକମାନେ ନ୍ୟାୟ କେମିତି ପାଇବେ ତାହା ଆପଣମାନେ ବୁଝିପାରୁଥିବେ । ଏହାସହ ସେ କହିଛନ୍ତି ନିର୍ବାଚନ ଆସିଲେ ନିର୍ବାଚନ ମଣ୍ଡଳୀର କଥା ମନେ ପଡେ ନବୀନ ବାବୁଙ୍କର । ଗଂଜାମ ଜିଲ୍ଲାକୁ କେବେ ପ୍ୟାକେଜ୍‌ ଦେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ନବୀନ ବାବୁ ଏବେ ବିଧାୟକଙ୍କୁ ଦେଖା ଦେଉ ନାହାନ୍ତି କି ମନ୍ତ୍ରୀଙ୍କୁ କାମ କରିବାର ସୁଯୋଗ ଦେଉ ନାହାନ୍ତି । ଓଡିଶାରେ ଗଣତନ୍ତ୍ରଙ୍କୁ ହତ୍ୟା କରାଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧାମନଗର ନିର୍ବାଚନ ସମ୍ପର୍କରେ କହୁ କହୁ ପ୍ରଦୀପ କବିଥିଲେ, ଏ ନିର୍ବାଚନ ରାଜ୍ୟ ରାଜନୀତିର ମୋଡ ବଦଳାଇବ । ଏ ସରକାର ଭାବୁଛି କି, ଆମେ ଯାହା ଚାହିଁବୁ ସେଇୟା କରିବୁ । କିନ୍ତୁ ସେମିତି ଆଉ ହେବନି । ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ହେବ, ସବୁ କିଛି ବଦଳିଯିବ ବୋଲି କହିଛନ୍ତି ପ୍ରଦୀପ ।

ତେବେ ପ୍ରଦୀପଙ୍କର ଏପରି ଖୋଲା ମନ୍ତବ୍ୟ ପରେ ଗଂଜାମ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସେପଟେ ପ୍ରଦୀପଙ୍କ ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ)