• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି । ରାହୁଲ କ୍ଷମତା କେନ୍ଦ୍ରକୁ ଆସିବା କ୍ଷଣି ବରିଷ୍ଠଙ୍କୁ ଦୂରେଇ ଦେଇ ଅନଭିଜ୍ଞ ଓ ଚାଟୁକାର କୋଟେରୀଙ୍କୁ ପ୍ରାଧାନ୍ୟ ଦେଇଥିବା ଲେଖିଛନ୍ତି । ସୋନିଆ ଦଳର ଅଧକ୍ଷା ଥିଲେ ମଧ୍ୟ ରାହୁଲଙ୍କ ସିକ୍ୟୁରିଟି ଗାର୍ଡ ଓ ପିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବାର ସଂଗୀନ ଅଭିଯୋଗ ଲଗାଇଛନ୍ତି ।

ହାଇକମାଣ୍ଡ ସୋନିଆଙ୍କୁ ଆଜାଦଙ୍କ ସେଇ ୫ ପୃଷ୍ଠାର ଇସ୍ତଫାପତ୍ର, ଯେଉଁଥିରେ ରାହୁଲଙ୍କୁ ଜୋରଦାର ଢଙ୍ଗରେ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି-ରାହୁଲ କଂଗ୍ରେସ କ୍ଷମତା କେନ୍ଦ୍ରକୁ ଆସିବା କ୍ଷଣି ଦଳର ପତନ ଆରମ୍ଭ ହୋଇଯାଇଥିଲା ।୨୦୧୩ରେ ରାହୁଲ କଂଗ୍ରେସ ଉପସଭାପତି ହେଉ ହେଉ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯିବାର ପରମ୍ପରାକୁ ଧ୍ୱସ୍ତ କରି ଦିଆଗଲା । ବରିଷ୍ଠ ଓ ଅଭିଜ୍ଞମାନଙ୍କୁ କୋଣଠେସା କରି ଅନଭିଜ୍ଞ ଓ ଚାଟୁକାରୀ କୋଟେରୀର ଉଦୟ ହେଲା ଏବଂ ଏହି କୋଟେରୀ ଦ୍ୱାରା ହିଁ ସବୁକିଛି ଚାଲିଲା । ଇସ୍ତଫା ପତ୍ରରେ ରାହୁଲଙ୍କ ପିଲାଳିଆମିର ଉଦାହରଣ ରଖି ତାଙ୍କୁ ଅପରିପକ୍ୱ ବୋଲି ବର୍ଣ୍ଣନା କରିବାକୁ ପଛେଇ ନାହାନ୍ତି ।

ଆଜାଦ୍ ଲେଖିଛନ୍ତି ଦାଗି ନେତା ନିର୍ବାଚନ ଲଢିବା ସଂପର୍କିତ ୨୦୧୩ର ଅଧ୍ୟାଦେଶକୁ ପ୍ରେସ୍ କନ୍ଫରେନ୍ସରେ ଚିରିବା ରାହୁଲଙ୍କ ସବୁଠୁ ବଡ଼ ଅପରିପକ୍ୱତା ଥିଲା, ଯାହା ପ୍ରଧାନମନ୍ତ୍ରୀ ପଦ ଓ ଭାରତସରକାରଙ୍କ ଅଧିକାରକୁ ନଷ୍ଟ କରି ଦେଇଥିଲା । ୨୦୧୪ରେ ୟୁପିଏ ସରକାର ହାରିବା ପଛରେ ଏହା ପ୍ରମୁଖ କାରଣ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ସେହିପରି ଗୋଟିଏ ଝଟକାରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ରାହୁଲ ଦଳର ବରିଷ୍ଠ ନେତା ଓ ସଂଗଠନକୁ ଅପମାନିତ କରିଥିଲେ ବୋଲି ଗୁଲାମନବୀ ଆଜାଦ୍ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି । ଏଣେ ଦଳରେ ଏବେ ରିମୋଟ କଣ୍ଟ୍ରୋଲ ମଡେଲ ଚାଲିଛି ।

ସୋନିଆ କଂଗ୍ରେସ ଅଧ୍ୟକ୍ଷା ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ଗାନ୍ଧିଙ୍କ ସିକ୍ୟୁରିଟି ଗାର୍ଡ ଓ ପିଏ ନେଉଥିବାର ସଂଗୀନ ଅଭିଯୋଗ ଲଗାଇଛନ୍ତି ଆଜାଦ୍ । ଏଥିସହିତ ରାହୁଲଙ୍କ ଅପରିପକ୍ୱ ନେତୃତ୍ୱ କାରଣରୁ ୨୦୧୪ ପରଠୁ କଂଗ୍ରେସ ବିଭିନ୍ନ ନିର୍ବାଚନରେ କିଭଳି ଶୋଚନୀୟ ପରାଜୟର ସାମ୍ନା କରୁଛି । ସେ ନେଇ ବି ବିସ୍ତୃତ ଭାବେ ସୋନିଆଙ୍କୁ ଲେଖି ଜଣାଇଛନ୍ତି ଗୁଲାମନବୀ ।

ଏପଟେ ଆଜାଦ୍ ଦଳ ଛାଡିବାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆ ଯାଇଛି । ମହଙ୍ଗା ମାଡ଼, ବେକାରୀ ଓ ବେରୋଜଗାରୀ ପ୍ରସଙ୍ଗରେ ଦଳ ଏକଜୁଟ୍ ହୋଇ କେନ୍ଦ୍ରକୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଥିବା ବେଳେ ଗୁଲାମନବୀଙ୍କ ଭଳି ପୁରୁଖା ନେତା ଦଳ ଛାଡିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ହେଲେ ରାହୁଲଙ୍କ ବିରୋଧରେ ଆଜାଦ୍ ଆଣିଥିବା ଅଭିଯୋଗ ନେଇ କିନ୍ତୁ କେହି କୌଣସି ଟିପ୍ପଣୀ କରିନାହାନ୍ତି ।

ରବିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଦଳର ନୂଆ ସଭାପତି ଚୟନ କରାଯିବାର ସମ୍ଭାବନା ରହିଛି । ତେବେ ତା ପୂର୍ବରୁ ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାର ଆଗରେ ଥିବା ଗୁଲାମ୍ ନବୀ ଆଜାଦଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟକା ସଦୃଶ ହୋଇଛି ।