ଗଂଜାମ ପାଇବ ଦେଶର ଶ୍ରେଷ୍ଠ ଜିଲ୍ଲା ପୁରସ୍କାର। ସେଇ ଜିଲ୍ଲାର ହିଞ୍ଜିଳିକାଟୁକୁ ବି ମିଳିବ ଶ୍ରେଷ୍ଠ ବ୍ଲକ୍ ସମ୍ମାନ। ଏପ୍ରିଲ୍ ୧୭ରେ ରାଷ୍ଟ୍ରପତି ଦେବେ ଆୱାର୍ଡ।
ଗମନାଗମନ ସୁବିଧା ନଥିବାରୁ ସରକାରୀ ଚାଉଳ ଆଣିବାକୁ ଲୋକଙ୍କୁ ଏମିତି ମାଇଲ ମାଇଲ୍ ବାଟ ଚାଲିବାକୁ ହୁଏ। ହଠାତ୍ କେହି ଅସୁସ୍ଥ ହୋଇଗଲେ ଖଟିଆ ହିଁ ସାହା। ସ୍ବଚ୍ଛ ପାଇପ୍ ପାଣି ଓ ଆବାସ ଯୋଜନା ଏଠି ସାତ ସପନ। ଗୋଟିଏ ନଳକୂଅ ପାଖେ ରାତି ପାହିଲେ ମହିଳାଙ୍କ ଲମ୍ବା ଧାଡ଼ି।
ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ହିଞ୍ଜିଳି ବ୍ଲକର ସାରୁ ଗାଁ। ଏଠି ଘରେ ଘରେ ତାଲା ପଡ଼ିଛି। ପିଲାଛୁଆ ଧରି ଦାଦନ ଖଟିବାକୁ ଏଠୁ ଅଧିକାଂଶ ଲୋକ ସୁରତ, ଚେନ୍ନାଇ ଓ ହାଇଦ୍ରାବାଦ ଯାଇଛନ୍ତି। ପର୍ବପର୍ବାଣୀ ପଡ଼ିଲେ ବର୍ଷକୁ ଥରେ ଅଧେ ଆସନ୍ତି। ଜଳସେଚନ, ଶୀତଳଭଣ୍ଡାର ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଏ ସବୁ ଏଠି କେବଳ ତୁଛା ଧୂଆଁବାଣ ବୋଲି ଲୋକଙ୍କ ଅଭିଯୋଗ। ସେମିତି ଦାଦନ ଶ୍ରମିକଙ୍କ କରୁଣ କାହାଣୀର ପୁଳା ପୁଳା ଚିତ୍ର ମାତ୍ର ଦୁଇ ବର୍ଷ ତଳେ ସାମ୍ନାକୁ ଆସିଥିଲା ଏଇ ଗଂଜାମ ଜିଲ୍ଲାର ଖଲିକୋଟ୍ ଅଞ୍ଚଳରୁ।
ନିଜ ଅଞ୍ଚଳରେ ନିଯୁକ୍ତି ନଥିବାରୁ ଦାଦନ ଖଟିବାକୁ ଯାଇ ଅନେକ ଯୁବକ ଶବ ହୋଇ ଫେରୁଥିବାର ବି ଅନେକ ଉଦାହରଣ ରହିଛି। ଗାଁ ପରିମଳ ଧୋବା ତୁଠରୁ ଜାଣିଲା ଭଳି ବିକାଶର ଗ୍ରାଫ୍ କେତେ ଉଚ୍ଚକୁ ଯାଇଛି ଅକୁହା କଥାରେ ସେ ଚିତ୍ର ଜଳ ଜଳ ବଖାଣି ଦେଉଛି, ଖଲ୍ଲିକୋଟ ବ୍ଲକର ଝୋଳମାଳ ଗାଁକୁ ଯାଇଥିବା ରାସ୍ତା।
ତେଣେ ଗଂଜାମକୁ ଶ୍ରେଷ୍ଠ ଜିଲ୍ଲା-ପଞ୍ଚାୟତ ଓ ହିଞ୍ଜିଳିକାଟୁକୁ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ସମ୍ମାନ ପାଇଁ ମନୋନୀତ ହେବା ପରେ ବିରୋଧୀ କରିଛନ୍ତି ଟାର୍ଗେଟ୍। ଜିଲ୍ଲା
ବିଜେପି ସଭାପତି କହିଛନ୍ତି ଦାଦନ ବହୁଳ ଓ ଶିଳ୍ପ ଶୂନ୍ୟ ଜିଲ୍ଲା ସଂପର୍କରେ ମିଛ ରିପୋର୍ଟ ଦେଇ ପୁରସ୍କାର ଆଣୁଛନ୍ତି। ଜବାବରେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି- ବିକାଶକୁ ପରଖି ହିଁ କେନ୍ଦ୍ର ସରକାର ଶ୍ରେଷ୍ଠ ଜିଲ୍ଲା ଭାବେ ମନୋନୀତ କରିଛନ୍ତି।
(ରିପୋର୍ଟ: ଆସ୍କାରୁ ମନୋଜ ମୁନୀ)