• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ। ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ ନିର୍ବାଚନ ଲଢିବି ନାହିଁ ବୋଲି ଆଜି ରୋକ୍ ଠୋକ୍ କହିଛନ୍ତି ମନ୍ମଥ । ଏମିତି ସ୍ଥିତିରେ ସୁରଙ୍କ ଲିଗାସୀ ଆଗକୁ ବଢି ପାରିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ସେପଟେ ସୁରଙ୍କ ପରିବାରର ଏମିତି ରାଜନୈତିକ ହାଇଡ୍ରାମା କର୍ମୀ ଏବଂ ସଂଗଠନ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ।

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ବାପାଙ୍କ କଥାରେ ସହମତ ହୋଇପାରୁନାହନ୍ତି ପୁଅ ମନ୍ମଥ । ସୁରଙ୍କ ପରେ ସାନ ପୁଅ ମନ୍ମଥ ଜଟଣୀରେ କଂଗ୍ରେସରୁ ଲଢିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଥିଲେ ନିଜେ ସୁର ରାଉତରାୟ । ଆଉ ପୁଅ ବି ବାପାଙ୍କ କଥାରେ ହିଁ ମିଳାଇ ଦଳର ସଭା ସମିତି, କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ହେଲେ ହଠାତ ଗତକାଲି ମନ୍ମଥ ମାରିଲେ ୟୁ-ଟର୍ଣ୍ଣ । କଂଗ୍ରେସରୁ ନିର୍ବାଚନ ନଲଢିବା ପାଇଁ ଘୋଷଣା କଲେ । ଏହା ସହ ଏ ନିଷ୍ପତ୍ତି ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିବା କହିଥିଲେ । ହେଲେ ସୁର କିନ୍ତୁ ନଛଡୋବନ୍ଧା ।

ଆଜି ପୁଣି ପୁରୁଣା ମନ୍ତବ୍ୟକୁ ଦୋହରାଇଛନ୍ତି ସୁର । କହିଛନ୍ତି ଅନ୍ୟ କେଉଁ ଦଳ ନୁହେଁ ପୁଅ ଛିଡା ହେବ ତ କେବଳ କଂଗ୍ରେସରୁ । ଏମିତିକି ବିଜେଡି, ବିଜେପିରୁ ଅଫର ମିଳୁଥିଲେ ମଧ୍ୟ ବାପା ହିସାବରେ ମୋର ଇଚ୍ଛା ସେ କଂଗ୍ରେସରୁ ଲଢୁ । ଅନ୍ୟପଟେ ଗତକାଲି କଂଗ୍ରେସରୁ ଛିଡା ହେବିନି ବୋଲି ବୟାନ ଦେଇଥିବା ମନ୍ମଥ, ବାପାଙ୍କ ଇଚ୍ଛାରେ ଲଢିବେ ବୋଲି ଆଜି କହିଛନ୍ତି ।

ନିର୍ବାଚନ ଯେତିକି ପାଖଉଛି ସୁରଙ୍କ ପରିବାରରେ ରାଜନୈତିକ ବିବାଦ ସେତିକି ଘନଉଛି ।  ବାପା-ପୁଅଙ୍କ ଭିତରେ ରହୁନି ତାଳମେଳ । ପୂର୍ବରୁ ମଧ୍ୟ ସୁର, ସାନ ପୁଅ ଜଟଣୀରୁ  ଲଢିବେ ବୋଲି ଘୋଷଣା କରିଥିବା ବେଳେ ବଡ଼ ପୁଅ ସିଦ୍ଧାର୍ଥ ମଧ୍ୟ କିଛି ଦିନ ପରେ ନିଜେ ଲଢିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ । ଏହାପରେ ସୁର-ସିଦ୍ଧାର୍ଥ-ମନ୍ମଥଙ୍କ ମଧ୍ୟରୁ କିିଏ ନିର୍ବାଚନ ଲଢିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ପରେ ଜଟଣୀରୁ ସାନ ପୁଅ ଏବଂ ଅନ୍ୟ କେଉଁଠି ବଡ ପୁଅ ଲଢିବେ ବୋଲି ସ୍ପଷ୍ଟ କରିଥିଲେ ସୁର ।

ଅନ୍ୟପଟେ ବାପାଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଭେଟିଥିଲେ । ସେହିଭଳି କିଛି ଦିନ ପୂର୍ବରୁ ସାନପୁଅ ମନ୍ମଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିବା କୁହାଯାଉଛି । ତେଣୁ ସୁରଙ୍କ ଉଭୟ ପୁଅ କେତେବେଳେ ବିଜେଡି ତ କେତେବେଳେ ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଚର୍ଚ୍ଚା, ଏହା ଜଟଣୀରେ କଂଗ୍ରେସ ସଂଗଠନ ଉପରେ କଣ ପ୍ରଭାବ ପକାଇବ ।

ସୁରଙ୍କ ପୁଅ ମନ୍ମଥ ଜଟଣୀରୁ ପିସିସି ମେମ୍ବର ଅଛନ୍ତି, ଏଭଳି ସ୍ଥିତିରେ କଂଗ୍ରେସରୁ ସେ ଲଢିବେନି ବୋଲି କହି ଆଗକୁ କଂଗ୍ରେସରୁ ମୁହଁ ଫେରାଇବାର ଇସାରା ଦେଉନାହାଁନ୍ତି ତ, ତାକୁ ନେଇ ବି ପ୍ରଶ୍ନ ଉଠିଛି ।

  • Reported by:
  • JAGDISH DAS , SOUMYA RANJAN SAHOO , BIBARTAN PANDA