/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753098679.jpg)
ବାଲେଶ୍ୱରରୁ ବଳଙ୍ଗା
ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ଉଭୟ ବିଜେପି ଓ ବିଜେଡି ଅନେକ ଉପଲବ୍ଧି ହାସଲ କରିଥିବେ ନିଶ୍ଚୟ! କାରଣ ବିଜେପି ଓଡିଶାରେ ଏକାକୀ ସରକାର ଚଳାଇବାର ପୂର୍ବ ଅଭିଜ୍ଞତା ନଥିଲା କି, ବିରୋଧୀଦଳରେ ରହିବାର ବିଜେଡିର ଅଭିଜ୍ଞତା ନଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ବିରୋଧୀଦଳରେ ଥିବା ପ୍ରଦେଶ କଂଗ୍ରେସ ପାଇଁ ଉପଲବ୍ଧି ହେଉଛି ପ୍ରଥମ କରି ଡବଲଇଂଜିନ ସରକାରଙ୍କୁ ସାମ୍ନା କରିବା ।
ଦୁର୍ନାମ କାହିଁକି
ଓଡିଶାରେ ବିଜେପି ସରକାର ଗଠନ ହେବାର ବର୍ଷକରେ ଘଟିଥିବା ଅବ୍ୟବସ୍ଥା, ଅପରାଧୀକ ଘଟଣା ଓ ମହିଳା ବିରୋଧୀ ହିଂସାକୁ ନେଇ ବିବାଦ ଓ ବିତର୍କ ଚର୍ଚ୍ଚାରେ ଥିବାବେଳେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣା ରାଜ୍ୟବାସୀଙ୍କ ସମସ୍ତ ଧୌର୍ଯ୍ୟ ଓ ନିରବତାକୁ ରୋକିପାରିଲା ନାହିଁ । ଏହି ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଆଲୋଡନ ସୃଷ୍ଟି କରିବା ସହିତ ସାଧାରଣ ଲୋକଙ୍କ ଭାବନାକୁ ଗଭୀର ପ୍ରଭାବିତ କଲା । ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ ନିଜ କଲେଜରେ ଅଧ୍ୟାପକଙ୍କ ଦ୍ୱାରା ଦୀର୍ଘ ୬ ମାସ ଧରି ଯୌନନିର୍ଯାତନା ଓ ମାନସିକ ନିର୍ଯାତନାର ଶୀକାର ହେଉଥିବା ବିଷୟରେ ପ୍ରିନ୍ସପାଲଙ୍କଠାରୁ ଆରମ୍ଭକରି କେନ୍ଦ୍ର ଶିକ୍ଷାମନ୍ତ୍ରାଣାଳୟ ପର୍ଯ୍ୟନ୍ତ ବ୍ୟବସ୍ଥାର ମୂଳରୁ ଚୁଳ ଯାଏଁ ସମସ୍ତଙ୍କୁ ଜଣାଇଲେ । ଶେଷରେ ନ୍ୟାୟ ନପାଇ କଲେଜରେ ହିଁ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଦେଲେ । ନ୍ୟାୟ ପାଇଁ ସଂଗ୍ରାମ ଏବଂ ମରଣ ସହିତ ସଂଘର୍ଷ କରି ଶେଷରେ ଜୀବନ ହାରିଲେ ।
ବାଲେଶ୍ୱରରୁ ବଳଙ୍ଗା
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀଙ୍କ ସ୍ପର୍ଶକାରତ ହୃଦୟବିଦାରକ ଘଟଣାରେ ସରକାରଙ୍କୁ ଘେରି ବିରୋଧୀଦଳମାନେ ବ୍ୟାପକ ଆନ୍ଦୋଳନ, ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ ଜାରି ରଖିବା ସମୟରେ ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର ଜଣେ ଛାତ୍ରୀଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେବା ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଦ କରିଦେଲା । ୧୫ ବର୍ଷିୟ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀ ସମ୍ପର୍କିୟଙ୍କ ଘରକୁ ଯିବାବେଳେ କିଛି ଦୁର୍ବୃତ୍ତ ଏଭଳି ଘଟଣା ଭିଆଇଥିଲେ । ଯେଉଁଥିରେ ଛାତ୍ରୀଙ୍କ ଶରୀରର ପ୍ରାୟ ୭୦ଭାଗ ଜଳିଯାଇଥିବା ସୂଚନା ମିଳିଲା । ସରକାର ଏହି ଘଟଣାରେ ଅତ୍ୟନ୍ତ ଗୁରୁତ୍ୱ ଓ ଗମ୍ଭୀରତା ପ୍ରକାଶ କଲେ । ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଇବା ସହିତ ଦୁର୍ବୃତ୍ତଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଲେ ।
ବ୍ୟବସ୍ଥାର ବିଫଳତା
ସୌମ୍ୟାଶ୍ରୀ ଘଟଣା ସମଗ୍ର ଜନମାନସକୁ ଦୋହଲାଇଦେଇବା ସହିତ ଆମ ବ୍ୟବସ୍ଥାର ବଡ ବିଫଳତାକୁ ପଦାରେ ପକାଇଲା । ବ୍ୟବସ୍ଥା ବିରୋଧରେ ଅଭିଯୋଗ ହେଉଥିବା ସବୁଠାରୁ ଚର୍ଚ୍ଚିତ ବିନ୍ଦୁଟି ହେଉଛି ଘଟଣାର ‘ଟ୍ୱିଟ୍’! ସବୁ କ୍ଷେତ୍ରରୁ ନ୍ୟାୟ ନପାଇ ନିରାଶ ହେବା ପରେ ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ (ଏଚ୍ଓଡି)ଙ୍କ ଦ୍ୱାରା ନିର୍ଯାତନାର ଶୀକାର ହେଉଥିବା ସମ୍ପର୍କରେ ଛାତ୍ରୀ ଜଣକ ସୋସିଆଲ ମିଡିଆ ‘ଏକ୍ସ’ (ଟ୍ୱିଟ୍)ରେ ଜୁଲାଇ ୧ ତାରିଖରେ ୯ଟି ଟ୍ୟାଗ କରିଥିଲେ ।
ଯେଉଁଥିରେ ଓଡିଶା ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବାଲେଶ୍ୱର ଜିଲ୍ଲାପାଳ, ଉଚ୍ଚଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ଏବଂ ବାଲେଶ୍ୱର ବିଧାୟକଙ୍କୁ ଟ୍ୟାଗ ହୋଇଥିଲା । ଏହି ସବୁ ଟ୍ୱିଟ୍ ଆକାଉଂଟ ସକ୍ରିୟ ଥିବା ସତ୍ୱେ କୌଣସି ଆଶ୍ୱାସନା କି ଉତ୍ତର ଆସିନଥିଲା । କେବଳ ଟ୍ୱିଟ୍ କାହିଁକି, ଏ ସମ୍ପର୍କରେ ଅନେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ହେଲେ ନ୍ୟାୟ ନପାଇ ଶେଷରେ ଛାତ୍ରୀ ଜଣକ ଜୁଲାଇ ୧୨ରେ ଆତ୍ମାହୂତି ଭଳି ଚରମ ନିଷ୍ପତ୍ତି ନେଇଥିଲେ ।
‘ଟ୍ୱିଟ୍’ ତତ୍ୱ
କହିବାକୁଗଲେ ଆଜି କାଲି ସୋସିଆଲ ମିଡିଆରେ ସରକାର ଚାଲୁଛି ! ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଓ ପଦକ୍ଷେପ ଅଧିକାଂଶ ସମୟ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସେ । ଏଭଳି ସ୍ଥଳେ ସୌମ୍ୟଶ୍ରୀଙ୍କ ଟ୍ୱିଟକୁ ଉପରୋକ୍ତ ୯ ହ୍ୟାଣ୍ଡେଲ ମଧ୍ୟରୁ କେହି ଜଣେ ବି କେମିତି ଦେଖିପାରିଲେ ନାହିଁ? ଯଦିଓ ଛାତ୍ରୀଜଣକ ଆତ୍ମାହୂତିରେ ଜୀବନ ହାରିବା ପରେ ସେହି ହ୍ୟାଣ୍ଡେଲରୁ ଦୁଃଖ ପ୍ରକାଶ ଓ ନ୍ୟାୟର ପ୍ରତିଶ୍ରୁତି ଦେବା ଚର୍ଚ୍ଚାରେ ରହିଛି । ସେହିଭଳି ବିରୋଧୀଙ୍କ ନଜର ଆଢୁଆଳରୁ ଏହି ଟ୍ୱିଟ ଓ ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗ ଆଦି ଖସିଯିବା ମଧ୍ୟ ବ୍ୟତିକ୍ରମ ବୋଲି କୁହାଯାଏ । ସୌମ୍ୟାଶ୍ରୀଙ୍କ ଜୀବୀତ ଅବସ୍ଥାରେ ତାଙ୍କ ଟ୍ୱିଟ ଏବଂ ଖବରକୁ ଆଧାର କରି ବିରୋଧୀଦଳ ପକ୍ଷରୁ ସରକାରଙ୍କୁ କାହିଁକି ଜବାବ ମଗାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ପୂର୍ବରୁ ବିଜେଡି ସରକାର ସମୟରେ ସୋସିଆଲ ମିଡିଆ ‘ଟ୍ୱିଟ’ ବିଷୟରେ ରାଜ୍ୟବାସୀ ବିଶେଷ ଅବଗତ ହେଲେ ଯେତେବେଳେ କରୋନା ସମ୍ପର୍କିତ ଅପଡେଟ୍ ପ୍ରକାଶ ପାଉଥିଲା । କ୍ୱାରେନଟାଇନ, କଂଟେନମେଂଟ, ନିର୍ଦ୍ଦେଶାବଳୀ, ଆକ୍ରାନ୍ତଙ୍କ ତଥ୍ୟ ସୂଚନା ଆଦି ସରକାର ‘ଟ୍ୱିଟ’ ମାଧ୍ୟମରେ ପ୍ରକାଶ କରୁଥିଲେ । ପରବର୍ତ୍ତୀ ସମୟରେ ‘ଟ୍ୱିଟ’ ସରକାରଙ୍କ ସୂଚନା ପ୍ରଦାନର ପ୍ରମୁଖ ମାଧ୍ୟମ ଭାବରେ ପରିଗଣିତ ହୋଇଥିଲା । ଲୋକେ ମଧ୍ୟ ‘ଟ୍ୱିଟ’ ଉପରେ ନିର୍ଭରଶୀଳ ହେଲେ । ଏହିକ୍ରମରେ ସୌମ୍ୟଶ୍ରୀ ମଧ୍ୟ ନ୍ୟାୟ ପାଇଁ ‘ଟ୍ୱିଟ’ର ସାହାରା ନେଇଥିଲେ । ତେବେ ଦୁର୍ଭାଗ୍ୟର ବିଷୟ ଏହାରି ଉପରେ ସରକାର ନା ବିରୋଧୀ, କାହାରି ନଜର ପଡିଲା ନାହିଁ । ଯଦିଓ ଘଟଣା ପ୍ରଘଟ ହେବା ପରେ ବିରୋଧୀ ସରକାରଙ୍କୁ ଘେରିଲେ ।
ଗୋଟିଏ ପରେ ଗୋଟିଏ ଓଡିଶାରେ ଘଟିଚାଲିଥିବା ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରୁଥିବାବେଳେ ଏକ ଅଶାନ୍ତ ଓ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଯାହା ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏଥିପ୍ରତି ସରକାର ଯତ୍ନବାନ ହୋଇ ସମାଜକୁ ଭୟମୁକ୍ତ ଓ ଅପରାଧ ହ୍ରାସ କ୍ଷେତ୍ରରେ ତ୍ୱରିତ ଆକ୍ସନ ନେବାର ଆବଶ୍ୟକତା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)