• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେଡିକୁ 'ସୌମ୍ୟ' ଅଡୁଆ । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଟେନସନରେ ଦଳ । ପ୍ରଥମେ ନିଜ ଖବର କାଗଜ, ତା ପରେ ଭାଷଣରେ ରାଜ୍ୟ ଶାସନର ଗୁମର ଖୋଲି ହଇଚଇ ସୃଷ୍ଟି କରିଛନ୍ତି ସୌମ୍ୟ । ଅମଲାତନ୍ତ୍ର ଦଳକୁ କବଜା କଲାଣି, ନିଜ ଅସ୍ତିତ୍ତ୍ୱ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି, ବି-ଟିମ୍ ଶାସନ ଚଳାଉଥିବାରୁ ସବୁଥିରେ ବିବାଦ ଦେଖାଦେଉଛି । ଏଭଳି ନାନା ଗୁରୁତର ଅଭିଯୋଗ ଆଣି ରାଜ୍ୟ ରାଜନୀତିରେ କଂପନ ସୃଷ୍ଟି କରିଛନ୍ତି । ଏହି ମୌକାରେ ବିରୋଧୀ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ସୌମ୍ୟଙ୍କୁ ଖୋଦ୍ ତାଙ୍କରି ଦଳର ନେତାମାନେ ଘେରିଛନ୍ତି ।

ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ନିଜ ଜନ୍ମଦିନରେ ନିଜ ଖବର କାଗଜରେ ଜନ୍ମଦିନ ଅନୁଚିନ୍ତା ଲେଖାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । 5T ସଚିବଙ୍କ ଜିଲ୍ଲା ଗସ୍ତରେ ୩ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ଆଣିବା ସହ ପ୍ରଶ୍ନ ବି ଉଠାଇଥିଲେ । ପୁଣିଥରେ ମନ୍ତ୍ରୀ ବଡ଼ ନା ସଚିବ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ।

କେବଳ ଲେଖାରେ ସୀମିତ ନରହି ଗତକାଲି ସନ୍ଧ୍ୟାରେ ସୌମ୍ୟ ସୌରଭ ନାମକ ପୁସ୍ତକ ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ସୌମ୍ୟ ।ଅମଲାତନ୍ତ୍ର ଏବେ ଦଳକୁ କବଜା କରୁଛି, ତେଣୁ ଗଣତନ୍ତ୍ର ବିପଦରେ । ନିଜର ଅସ୍ତିତ୍ତ୍ୱ ଓ ପ୍ରଭାବ ବିସ୍ତାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି ବୋଲି କହିବା ସହ ମହାପ୍ରଭୁ ଅଭିଶାପ ଦେବେ ବୋଲି ସୌମ୍ୟ କହିଛନ୍ତି । ଦଳ ମଧ୍ୟ ଦଳୀୟ ବ୍ୟବସ୍ଥାରେ ନାହିଁ, ଅଜବ ଶାସନ ବ୍ୟବସ୍ଥା ଚାଲିଥିବା କହି କଟାକ୍ଷ କରିଛନ୍ତି ।

ଏଥିସହ ରାଜ୍ୟରେ ବି-ଟିମ୍  ଶାସନ ଚଳାଉଥିବାରୁ ସବୁଥିରେ ବିବାଦ ଦେଖାଦେଉଛି ବୋଲି କହି ସିଧାସଳଖ ଟାର୍ଗେଟ କରିଛନ୍ତି । ଖବର କାଗଜ ଲେଖାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସୌମ୍ୟ କହିଛନ୍ତି ମୋ ଲେଖାକୁ ନେଇ ଦଳ ପକ୍ଷରୁ ମୋତେ କିଛି କୁହାଯାଇ ନାହିଁ । ତେବେ ସୌମ୍ୟଙ୍କ ଲେଖା ଓ ଭାଷଣକୁ ନେଇ ବଢ଼ିଛି ବିଜେଡିର ଅଡୁଆ । ଏହାପରେ ବିଜେଡିର ବିଭିନ୍ନ ନେତା ଗଣମାଧ୍ୟମ ଆଗରେ ମୁହଁ ଖୋଲି ସୌମ୍ୟଙ୍କୁ ଘେରିଛନ୍ତି ।

ତେଣେ ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ବିଜେପି  ଓ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସୌମ୍ୟଙ୍କ ମନ୍ତବ୍ୟକୁ ବିଜେପି ସମର୍ଥନ କରିବା ସହ ରାଜ୍ୟରେ ଅସାଧୁ ନେତା, ଦଲାଲଙ୍କ ରାଜୁତି ଚାଲିଛି ବୋଲି ଅଭିଯୋଗ କରିଛି । ଦଳୀୟ ସାଂସଦ ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି, ଏଠି ଦୁର୍ଯ୍ୟୋଧନ, ଦୁଃଶାସନ, ରାବଣ, କଂସମାନଙ୍କ ଶାସନ ଚାଲିଛି । କଂଗ୍ରେସ ବି ଅଭିଯୋଗ କରିଛି, ଓଡ଼ିଶାରେ ମାଫିଆରାଜ ଚାଲିଛି । ସରକାରୀ ଟଙ୍କାରେ ରାଜନୀତି କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ବଡ଼ ପ୍ରଶ୍ନ ସୌମ୍ୟଙ୍କ ଏଭଳି ବିସ୍ଫୋରଣ ପଛର ଅସଲ କାରଣ କଣ ? ଦଳରେ ନିଜକୁ ଅବହେଳିତ ମନେ କରି ଏମିତି ଗରଗର ହେଉଛନ୍ତି କି? ନା ବିଜେଡି ସହ ସଂପର୍କ ତୁଟାଇବାକୁ ଜାଣିଶୁଣି ଏଭଳି ମନ୍ତବ୍ୟ ଦେଉଛନ୍ତି ? ଆଗକୁ ନିର୍ବାଚନ ଥିବାରୁ ଏବେଠୁ କିଛି ମୂଲଚାଲ୍ ଚକ୍କରରେ ନାହାନ୍ତି ତ ସୌମ୍ୟ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି ।

  • Reported by:
  • HARIHARA CHAND , SOUMYA RANJAN SAHOO