Advertisment

ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଭୋଟର୍‌ଙ୍କ ନିକଟତର ହେବାକୁ ୩ ପ୍ରମୁଖ ଦଳଙ୍କ ଫୋକସ୍

୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍‌ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।

author-image
Pramod Behera
undefined

For general elections 3 major parties trying closer to the voters

୨୪' ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବୁଥ୍ ସ୍ତରର ଭୋଟର୍‌ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ ବୁଥ୍ ସଶକ୍ତିକରଣ କର୍ମଶାଳାରେ ଆଜି କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ। ମାର୍ଚ୍ଚ ସୁଦ୍ଧା ଉଭୟ ବୁଥ୍‌ ଏବଂ ଶକ୍ତିକେନ୍ଦ୍ରରେ କମିଟି ଗଠନ କରି ଦଳ କାର୍ଯ୍ୟାରମ୍ଭ କରିବାକୁ ଯୋଜନା ରଖିଛି। ସେପଟେ

Advertisment

ବିଜେଡି ଓ କଂଗ୍ରେସ ବି ବୁଥ୍‌ ସ୍ତରରୁ ଭୋଟ ହାତେଇବାକୁ ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୁଥ୍‌ ସଶକ୍ତୀକରଣ କର୍ମଶାଳାରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ ମନ୍ତ୍ର ଦେବା ସହ କିଛି ପୁରୁଣା ଟାକ୍ସର ସମୀକ୍ଷା ସହ ନୂଆ ଟାକ୍ସ ବି ଦେଇଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ବୁଥ୍, ୱାର୍ଡ ଓ ପଞ୍ଚାୟତ କମିଟି। ବୁଥ୍ ସ୍ତରରେ ପନ୍ନା ପ୍ରମୁଖ କାର୍ଯ୍ୟକ୍ରମ ଅନୁସାରେ ୪୦ରୁ ୪୧ ଜଣ ନେଇ ଗଠନ ହେବ କମିଟି।

ଏସବୁକୁ ପରିଚାଳନା ପାଇଁ ରହିବେ ୪ ଜଣିଆ ଲେଖାଏଁ ଶକ୍ତିକେନ୍ଦ୍ର କମିଟି ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ ଓ ସଂଯୋଜକ ରହିବେ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗରେ ଭୋଟର୍‌ଙ୍କୁ ଯୋଡିବା କାମ ଏହି କମିଟି କରିବ। ବୁଥ୍ ସ୍ତରର କର୍ମୀଙ୍କୁ କିଭଳି ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଯୋଡ଼ି ହେବ, ତା ଉପରେ ବି ଗୁରୁତ୍ୱ ଦେଇଥିଲେ ବଂଶଲ।

Advertisment

ସେପଟେ ବିଜେଡି ବି ନିର୍ବାଚନ ପୂର୍ବରୁ ବୁଥ୍ ସ୍ତରରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିଛି ରଣନୀତି। ଦଳର ବୁଥ୍‌ ଓ ୱାର୍ଡ କମିଟି ଜରିଆରେ ରାଜ୍ୟ ବଜେଟ୍‌ର ବିଭିନ୍ନ ସ୍କିମ୍‌କୁ ସାଧାରଣ ଲୋକଙ୍କ ପାଖେ ପହଞ୍ଚାଇବାକୁ ଦଳ କରିଛି ଯୋଜନା। ମୁଖ୍ୟମନ୍ତ୍ରୀଙ୍କ ତ୍ରିଶକ୍ତି ଫର୍ମୁଲା- ଚାଷୀ, ମହିଳା ଓ ଯୁବକଙ୍କୁ ଫୋକସ୍‌ କରି ବୁଥ୍‌ରେ କାର୍ଯ୍ୟକ୍ରମ ବି କରିବ ଶାସକ ଦଳ।

ତେଣେ କଂଗ୍ରେସ ବି ଏଥିରେ ପଛରେ ପଡ଼ିନି। ହାତ୍‌ ସେ ହାତ୍‌ ଯୋଡ୍‌ କାର୍ଯ୍ୟକ୍ରମକୁ ବୁଥ୍‌ ସ୍ତରକୁ ନେବାକୁ ସ୍ଥିର କରିଛି। ଏଥିପାଇଁ ଦଳ ପ୍ରଥମେ ବୁଥ୍‌ ଓ ପରେ ପଞ୍ଚାୟତ ଏବଂ ଶେଷରେ ବ୍ଲକ୍‌ସ୍ତରୀୟ କମିଟି ଗଢ଼ିବ। ରାୟପୁର ଅଧିବେଶନରେ ଏନେଇ ବିଶେଷ ଆଲୋଚନା ହୋଇଥିବା ସୂଚନା ମିଳିଛି।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ତଳସ୍ତରର ଲୋକଙ୍କ ପାଖେ ପହଞ୍ଚିବାକୁ ବୁଥ୍‌କୁ ଫୋକସ୍ କରୁଥିବାବେଳେ ଭୋଟର କାହା ଆଡ଼କୁ ମୁହାଁଇବେ ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

(ଭୁବନେଶ୍ୱରରୁ ଜଗଦୀଶ ଦାସ, ହରିହର ଚାନ୍ଦ ଓ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

BJD BJP Congress General Election 2024
Advertisment
Advertisment