Advertisment

First Year Completion of BJP Govt : ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ଅପେକ୍ଷା...କେମିତି ରହିବ ଭବିଷ୍ୟତ ନକ୍ସା ?

ମୋହନଙ୍କ ପାଇଁ ଆଉ ଏକ ବଡ଼ ଆହ୍ୱାନ ଥିଲା ଯେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିନଥିବା ଅନେକ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରି ସରକାର ଚଳାଇବା । ତାଙ୍କ ମନ୍ତ୍ରୀମଣ୍ଡଳରେ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟତୀତ ପୂର୍ବରୁ ଅନ୍ୟ କାହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ବିଜେପି ସରକାରର ପ୍ରଥମ ବର୍ଷ

ବିଜେପି ସରକାରର ପ୍ରଥମ ବର୍ଷ

ଜୁନ୍ ୧୨ ତାରିଖ, ୨୦୨୫ । ଅତ୍ୟନ୍ତ ଆକାକ୍ଷିଂତ ଦିନଟିଏ – ବିଶେଷ କରି ଓଡ଼ିଶା ପ୍ରଦେଶର ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନଙ୍କ ପାଇଁ ତଥା ଅଗଣିତ ଗଣତନ୍ତ୍ର ପ୍ରେମୀଙ୍କ ପାଇଁ । ସମେସ୍ତ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିନ ଆସିବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣଙ୍କ ମାଝିଙ୍କ ସହିତ ମଞ୍ଚରେ ଉପସ୍ଥିତ ରହି ରାଜ୍ୟବାସୀଙ୍କୁ ତାଙ୍କ ଦଳର ଶାସନରେ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଫଳତା ତଥା ଉପଲବ୍ଧିର ଏକ ଚିଠା ଉପସ୍ଥାପନ କରିବେ । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ରାଜ୍ୟ ସାରା ଏକ ଉତ୍ସବର ପରିବେଶ ଗଢିତୋଳିବା ଲାଗି ଭରପୂର ଉଦ୍ୟମ କରୁଛି । ନକରିବ ବା କାହିଁକି ? ଅନେକ ଦିନର ପ୍ରତୀକ୍ଷା ଓ ପରିଶ୍ରମ କରି ଦଳ ୨୪ ବର୍ଷ କାଳ ରାଜ୍ୟ ଶାସନରେ ଥିବା ଶକ୍ତିଶାଳୀ ବିଜୁ ଜନତା ଦଳକୁ ପରାସ୍ତ କରି ଏକାକୀ କ୍ଷମତାକୁ ଆସିଛି ।

Advertisment

୨୦୨୪ ମସିହା ଜୁନ୍ ୧୨ ତାରିଖ ଦିନ ଭୁବନେଶ୍ୱରର ଜନତା ମଇଦାନ ଠାରେ ଏକ ବିଶାଳ ତଥା ଭବ୍ୟ ସମାରୋହରେ ମୋହନ ଚରଣ ମାଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେଦିନ ପ୍ରଧାନମନ୍ତ୍ରୀ ତାଙ୍କ ହାତ ଧରି ମଞ୍ଚ ଉପରେ ତାଙ୍କୁ ରାଜ୍ୟବାସୀଙ୍କ ଆଗରେ ରାଜ୍ୟର ନୂଆ ମୁରବୀ ଭାବରେ ପରିଚୟ କରାଇଦେଇଥିଲେ । ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମୋହନଙ୍କ ପାଇଁ ରାସ୍ତା ଏତେ ପୁଷ୍ପମୟ ନଥିଲା । ଉତ୍ତରାଧିକାରୀ ଭାବରେ ସେ ଯାହା ପାଇଥିଲେ, ତାହା ତାଙ୍କୁ ଏକ ନିର୍ବିଘ୍ନ ଶାସନ ଦେବା ପାଇଁ ସେତେଟା ଅନୁକୂଳ ନଥିଲା । ମୋହନଙ୍କ ପାଇଁ ସବୁଠାରୁ ଯେଉଁ ବଡ଼ ଚ୍ୟାଲେଞ୍ଚ ରହିଥିଲା ବା ଏବେ ବି ରହିଛି ତାହା ହେଲା ତୃଣମୂଳସ୍ତରରେ ଏବେ ବି ବିଜେଡି ଦୃଢ ରହିଛି ।

ଏହାଛଡ଼ା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ରାଜ୍ୟରେ ୩୦ଟି ଜିଲ୍ଲାରେ ବିଜେଡିର ପରିଷଦ ରହିଛି । ସେହିପରି ସହରାଞ୍ଚଳ ବା ପୌରପରିଷଦଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ବିଜେଡ଼ି ପାଖରେ ରହିଛି । କେବଳ ସେତିକି ନୁହେଁ, ବିଧାନସଭାରେ ବିଜେଡ଼ିର ୫୧ ଜଣ ସଦସ୍ୟ ରହିବା ମଧ୍ୟ ଏକ ଛୋଟ କଥା ନୁହେଁ । ଯଦି ବିଧାନସଭା ନିର୍ବାଚନ ଭୋଟ୍ କଥା ଦେଖିବା, ତେବେ ନବୀନ ପଟ୍ଟନାୟକଙ୍କ ଆଞ୍ଚଳିକ ଦଳ ବିଜେଡ଼ି ଭାରତୀୟ ଜନତା ପାର୍ଟି ଠାରୁ ବହୁ ଅଧିକ ଭୋଟ୍ ପାଇଛି । ଭାରତୀୟ ଜନତା ପାଟି ୧ କୋଟି ୬୪ ହଜାର ୮୨୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡ଼ି ୧ କୋଟି ୧୦ ଲକ୍ଷ ୨ହଜାର ୪୫୪ଖଣ୍ଡ ଭୋଟ ପାଇଥିଲା । ଶାସକ ଦଳ ଠାରୁ ମୁଖ୍ୟ ବିରୋଧୀ ଦଳ ଅଧିକ ଭୋଟ୍ ପାଇଲେ ଏହା ତାହାକୁ ଢ଼େର୍ ନୈତିକ ବଳ ଯୋଗାଇଥାଏ । ଏହାକୁ ନେଇ ବିରୋଧୀ ଦଳ ସର୍ବଦା ଶାସକ ଦଳକୁ ବ୍ୟାକଫୁଟ୍ ବା ପଛକୁ ଠେଲିବା ପାଇଁ ଚେଷ୍ଟା କରିଥାଏ । ଠିକ୍ ଏହା ହିଁ ଅଧିକ ସମୟରେ ବିଧାନସଭା ଓ ଏହା ବାହାରେ ଦେଖିବାକୁ ମିଳୁଛି ।

Advertisment

ଆଉ ଯେଉଁ ବିକାର ବା ବ୍ୟାଧିଗ୍ରସ୍ତ ବ୍ୟବସ୍ଥାଟି ମୋହନ ଚରଣ ମାଝି ପାଇଥିଲେ ତାହା ହେଲା ଅତ୍ୟଧିକ ଶକ୍ତିଶାଳୀ ବ୍ୟୁରୋକ୍ରାସୀ ବା ଅମଲାତନ୍ତ୍ର । ବିଗତ ଦୁଇ ଦଶନ୍ଧି କାଳ ନବୀନ ପଟ୍ଟନାୟକଙ୍କ ଓଡ଼ିଆ, ଓଡ଼ିଶା ବା ଓଡ଼ିଆମାନଙ୍କ ସମ୍ପର୍କରେ ଆବଶ୍ୟକ ପରିମାଣରେ ଜ୍ଞାନର ଅଭାବ ହେଉ ବା ସେମାନଙ୍କ ସମସ୍ୟାକୁ ସମାଧାନ କରିବାରେ ଅସଫଳତା ହେଉ, ତାହା ପରୋକ୍ଷରେ ବ୍ୟୁରୋକ୍ରାସୀକୁ ଅନାବଶ୍ୟକ ଭାବରେ ଶକ୍ତିଶାଳୀ କରିଥିଲା । ଗଣତନ୍ତ୍ରରେ ନିବାର୍ଚିତ ପ୍ରତିନିଧିମାନଙ୍କ ଠାରୁ ଅମଲାତନ୍ତ୍ର ଅଧିକ ଶକ୍ତିଶାଳୀ ହେଲେ ତାହା ଅତ୍ୟନ୍ତ ବିପଦଜ୍ଜନକ ସାବ୍ୟସ୍ତ ହୋଇଥାଏ । ଏହି କାରଣରୁ ଏଠି ପ୍ୟାରିମୋହନ ମହାପାତ୍ର ଓ ଭୈରବ କାର୍ତିକେୟନ ପାଣ୍ଡିଆନଙ୍କ ଭଳି ଅମଲାତାନ୍ତ୍ରୀକ ଚରିତ୍ର ବେଶ୍ ଚର୍ଚ୍ଚାରେ ରହିଲେ । ଆଲୋଚନା ହେଲା, — ଏହି ଚରିତ୍ରମାନଙ୍କ ନିକଟରେ ବିଜେଡ଼ିର ନିର୍ବାଚିତ ସଦସ୍ୟମାନେ ଅଧସ୍ତନ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଏହା ହିଁ ରାଜ୍ୟ ରାଜନୀତିର ମୋଡ଼ ପରିବର୍ତ୍ତନ କଲା ।

ମୋହନ ମାଝିଙ୍କ ପ୍ରଥମ ଆହ୍ୱାନ ଥିଲା ବ୍ୟୁରୋକ୍ରାସୀକୁ ନିଜ ସ୍ଥାନରେ ରଖିବା ଏବଂ ଗଣତାନ୍ତ୍ରୀକ ବିଧି ଓ ବ୍ୟବସ୍ଥା ଅନୁସାରେ ଜନସାଧାରଣଙ୍କ ପ୍ରଧିନିଧିମାନଙ୍କୁ ସେମାନଙ୍କର ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ଫେରାଇଦେବା । ସେ ପ୍ରଥମରୁ ଏହି ମିଶନ ବା ଲକ୍ଷ୍ୟରେ କାର୍ଯ୍ୟ ଆରମ୍ଭ କଲେ । ଯେଉଁ ଅମଲାମାନେ ପାଣ୍ଡିଆନଙ୍କ ସମୟରେ ଟିକିଏ ଅଧିକ କ୍ଷମତାଶାଳୀ ହୋଇ ଧରାକୁ ସରା ମଣୁଥିଲେ, ସେମାନଙ୍କୁ ଅପେକ୍ଷାକୃତ ଭାବରେ କମ୍ ଗୁରୁତ୍ୱ ବହନ କରୁଥିବା ବିଭାଗକୁ ସ୍ଥାନାନ୍ତର କରି କର୍ମଠ ତଥା ଜନତାମାନଙ୍କ ସମସ୍ୟାକୁ ବୁଝୁଥିବା ତଥା ସେମାନଙ୍କ ପାଇଁ ସମ୍ବେଦନଶୀଳ ଥିବା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଇଥିଲେ । ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକ ପଦରେ ନୂଆ ଲୋକଙ୍କୁ ଅବସ୍ଥାପିତ କରି ମୋହନ ତାଙ୍କର ନିଜର ଟିମ୍ ଗଠନ କରିଥିଲେ ।

ମୋହନଙ୍କ ନୂଆ ଟିମ୍ ଆଶାନୂରୂପକ ଭାବରେ ତାଙ୍କୁ ସହଯୋଗ ପ୍ରଦାନ କରୁଥିବା ପ୍ରତୀୟମାନ ହେଉଛି । ରାଜ୍ୟ ଏହା ମଧ୍ୟରେ ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ବୋନସ୍ ଦେବା ଏକ ବଡ଼ ଉପଲବ୍ଧି । ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକରିବା ହେଉ ବା ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲିବା ସହିତ ରତ୍ମଭଣ୍ଡାର ଖୋଲି ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା, —ବିଜେପିର ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ମୁତାବକ ମୋହନ ମାଝି ସରକାର ସମ୍ପାଦିତ କରିବା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇ ପାରେ । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ସରକାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସାଉଁଟିବା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଥିଲା ।

ମୋହନଙ୍କ ପାଇଁ ଆଉ ଏକ ବଡ଼ ଆହ୍ୱାନ ଥିଲା ଯେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିନଥିବା ଅନେକ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରି ସରକାର ଚଳାଇବା । ତାଙ୍କ ମନ୍ତ୍ରୀମଣ୍ଡଳରେ କନକ ବର୍ଦ୍ଧନ ସିଂହଦେଓଙ୍କ ବ୍ୟତୀତ ପୂର୍ବରୁ ଅନ୍ୟ କାହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା । କିନ୍ତୁ ଏବେ ଯାହା ଦେଖାଯାଉଛି ପ୍ରତ୍ୟେକ ମନ୍ତ୍ରୀ ଢ଼େର ଅଭିଜ୍ଞତା ସାଉଁଟି ସାରିଲେଣି ଏବଂ ନିଜସ୍ୱ ଢଙ୍ଗରେ ତଥା ସ୍ୱାଧୀନ ଭାବରେ ନିଜର କର୍ତବ୍ୟ ସମ୍ପାଦିତ କରିପାରୁଛନ୍ତି ।

ମୋହନଙ୍କ ସବୁ ଠାରୁ ବଡ଼ ପଦକ୍ଷେପ ହେଲା ବହୁ ଦିନରୁ ଅଚଳ ହୋଇପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବା ସିଏମ୍ ଗ୍ରିଭାନ୍ସ ସେଲ୍ ଖୋଲିବା ଏବଂ ନିୟମିତ ଭାବରେ ଜନସାଧାରଣଙ୍କ ସୁବିଧା ଓ ଅସୁବିଧା ବୁଝିବା । ଏହି ପ୍ରକ୍ରିୟା ସରକାର ଓ ଜନସାଧାରଙ୍କ ମଧ୍ୟରେ ବ୍ୟବଧାନ କମାଇବା ସହିତ ଶାସନ ପ୍ରକ୍ରିୟାକୁ ଲୋକାଭିମୁଖୀ କରାଇପାରିଛି । କେବଳ ସେତିକି ନୁହେଁ, ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ମାଧ୍ୟମରେ ମୋହନ ନିଜକୁ ଲୋକମାନଙ୍କର ନିକଟତର କରିବା ସହିତ ସେମାନଙ୍କର ଭଲପାଇବା ତଥା ଭରସା ଜିତିପାରିଛନ୍ତି ।

ତେବେ ଏ କଥା ମଧ୍ୟ କୁହାଯାଇପାରେଯେ, ମୋହନଙ୍କ ପାଇଁ ଆଗକୁ ଅନେକ ଅଗ୍ନିପରୀକ୍ଷା ରହିଛି । ଏଣିକି ବିରୋଧୀମାନେ ଏକଜୁଟ୍ ହେବେ ଏବଂ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ । ସେଥିପାଇଁ ସମ୍ଭାବ୍ୟ ରାଜନୈତିକ ସମସ୍ୟାକୁ କିଭଳି ସଫଳତାର ସହିତ ସମ୍ମୁଖୀନ ହୋଇପାରିବେ, ସେ ନେଇ ସେ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତାର ରହିଛି । ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ମୋହନଙ୍କ ହାତ ଧରି ମଞ୍ଚ ଉପରକୁ ନେବେ, ଦେଖିବାର କଥା ଯେ ସେ ସେତେବେଳକୁ ରାଜ୍ୟବାସୀଙ୍କ ସାମ୍ନାରେ କ’ଣ ଆଭିମୁଖ୍ୟ ଓ ସ୍ୱପ୍ନ ଉପସ୍ଥାପନ କରୁଛନ୍ତି । ଏକ ଶୁଭାରମ୍ଭ ନିଶ୍ଚିତ ହୋଇପାରିଛି । ଏହି ଶୁଭାରମ୍ଭକୁ ଆଧାର କରି ଏକ ନୂଆ ତଥା ବିକଶିତ ଭାରତର ନକ୍ସା ଅଙ୍କନ କରିବା ସହିତ ତାହାକୁ ନରେନ୍ଦ୍ର ମୋଦି ଓ ମୋହନ ମାଝି କିଭଳି ଗଢ଼ିପାରୁଛନ୍ତି, ତାହା ହିଁ ସମସ୍ତେ ନିରୀକ୍ଷଣ କରୁଛନ୍ତି ।

Naveen Patnaik Opposition Odisha Politics Chief Minister Mohan Majhi
Advertisment
Advertisment