• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହାତରେ ଆଉ ୧୨ ଘଣ୍ଟାରୁ ବି କମ୍ ସମୟ । ରାତି ପାହୁ ପାହୁ ପଞ୍ଚାୟତ ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅନ୍ତର୍ଗତ ପଞ୍ଚାୟତ ଗୁଡ଼ିକରେ ଜନ ପ୍ରତିନିଧି ବାଛିବେ ଭୋଟର୍ । ମତଦାନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ରହିଥିବା ବେଳେ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍‌କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍‌ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଜୋନ୍, ଏହା ଅନ୍ତର୍ଗତ ୧୬ଶହ ୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ବୁଥ୍‌ରେ ନିଜ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର୍ । ମୋଟ୍ ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଆସନ୍ତାକାଲି ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟରେ ୩, ୩୫୭ଟି ବୁଥ୍ ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ ହୋଇଛି ।

ପଂଚାୟତ ନିର୍ବାଚନରେ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍‌ ଗ୍ରହଣ ହେବ । ଗୋଟିଏ ଗୋଟିଏ ବୁଥ୍‌ରେ ୩ଶହରୁ ୫ଶହ ଭିତରେ ଭୋଟର୍‌ଙ୍କ ପାଇଁ ଭୋଟ ଦେବାର ବ୍ୟବସ୍ଥା ହୋଇଛି ।

 

ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟିଂ ପହଞ୍ଚିବା ପରେ ଆସନ୍ତାକାଲିର ଭୋଟ୍ ପାଇଁ ବାଲାଟ୍ ପେପର୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ତେଜନାପୂର୍ଣ୍ଣ ବୁଥ୍‌ ଗୁଡ଼ିକରେ ପୋଲିସ୍ ଯାଞ୍ଚ କରିଛି । ପ୍ରତି ବ୍ଳକ୍‌ରେ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ କରିବାକୁ କୁହାଯାଇଛି । ଏହି ବୁଥ୍‌ରେ କେବଳ ମହିଳା ଅଧିକାରୀମାନେ ହିଁ ନିର୍ବାଚନ ପରିଚାଳନା କରିବେ । ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସର୍‌ଙ୍କ ନିକଟରେ ଯାଞ୍ଚ କରିବେ ।

ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ । ତାପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇବେ । ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯିବେ । ପ୍ରଥମେ ସରପଞ୍ଚ, ତାପରେ ୱାର୍ଡମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପର୍ରେ ଭୋଟ୍ ଦେବେ । ସରପଞ୍ଚ ପଦବୀ ଲାଗି ଗୋଲାପୀ, ୱାର୍ଡ ମେମ୍ବର ଲାଗି ହଳଦିଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ରଖାଯାଇଛି ।

ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇ ବ୍ଲକ୍ ହେଡ୍‌ କ୍ୱାର୍ଟରରେ ଥିବା ଷ୍ଟ୍ରଙ୍ଗ୍ ରୁମ୍‌କୁ ଅଣାଯିବ । ଦିନେ ଛାଡି ଦିନେ, ଏମିତି ୫ଟି ପର୍ଯ୍ୟାୟରେ ୨୪ ତାରିଖ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।

ରିପୋର୍ଟର- କେନ୍ଦୁଝରରୁ ପ୍ରଣୟ ପାଣି, ସମ୍ବଲପୁରରୁ ସଂଜୟ ଜେନା ଓ ଭୁବନେଶ୍ୱରରୁ ହରିହର ଚାନ୍ଦ