• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଂସଦ ଅନୁଭବ ଏବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବର୍ଷା ଜାଲ୍ କାଗଜପତ୍ର ତିଆରି କରିଛନ୍ତି । ଏ ସଂପର୍କରେ ଅନୁଭବ ଲୋକସଭା ସେକ୍ରେଟାରିଏଟକୁ ଜଣାଇଛନ୍ତି । ଘଟଣାର ତଦନ୍ତ କରାଯାଉଛି ବୋଲି ଅନୁଭବ କହିଛନ୍ତି । କଟକରେ ଏକ ମାମଲାରେ କୋର୍ଟକୁ ଆସିଥିବା ବେଳେ ଅନୁଭବ ଏହି ଅଭିଯୋଗ କରିବା ସହ ଏହା ଉପରେ ବର୍ଷା ମୁଁହ ଖୋଲନ୍ତୁ ବୋଲି କହିଛନ୍ତି ।

ଯଦି ଅନୁଭବଙ୍କ କଥା ସତ ହୋଇଥାଏ, ତେବେ ଏହା ଏକ ସାଂଘାତିକ ଅପରାଧ । ବର୍ଷା ଏବେ କଟକ ନନ୍ଦି ସାହିରେ ଅନୁଭବଙ୍କ ଘରେ ରହୁଛନ୍ତି । ଅନୁଭବଙ୍କ ବାପା ଅଭୟ ମହାନ୍ତି ଜାଲ୍ କାଗଜପତ୍ର କରିବାରେ ମାହିର୍ । ହାଇକୋର୍ଟ ନିକଟରେ ତାଙ୍କୁ ଭର୍ତ୍ସନା କରିଛନ୍ତି । ସେ ଅଧ୍ୟାପକ ଚାକିରି କରୁଥିବା ବେଳେ ଉଚ୍ଚଶିକ୍ଷା ବିଭାଗରେ ଜାଲ୍ କାଗଜପତ୍ର ଦାଖଲ କରି ପଦୋନ୍ନତି ପାଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ 1997 ମସିହାରେ ସେ ଏକ ରିଫ୍ରେସର କୋର୍ସ କରିଛନ୍ତି ବୋଲି ସରକାରଙ୍କ ନିକଟରେ .ସାର୍ଟିଫିକେଟ୍ ଉପସ୍ଥାପନ କରିଥିଲେ । କିନ୍ତୁ ବାସ୍ତବରେ ସେହି ବର୍ଷ ଏମିତି କୌଣସି ରିଫ୍ରେସର କୋର୍ସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇନଥିଲା । ଏକ ମାମଲାରେ ଏହି କଥା ହାଇକୋର୍ଟଙ୍କ ନଜରକୁ ଆସିବା ପରେ ହାଇକୋର୍ଟ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତା ପରେ ଯାହା ହୋଇଛି, ତାହା ଓଡିଶା ବାସୀ ଜାଣିଛନ୍ତି ।

ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦ ଥମିନି । ସେ ଏବେ ବି କନ୍ଦରପୁର କଲେଜର ଛାତ୍ର ବୋଲି ବୋଲି ଆଡଭୋକେଟ୍ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ ଆଣି ସସସ୍ତ ସରକାରୀ କାଗଜପତ୍ର ଦେଖାଇଥିଲେ । ଆରଟିଆଇରେ ଏହି ତଥ୍ୟ ମିଳିଥିଲା । ଅନୁଭବ ମିରଟର ଏକ କଲେଜରୁ ସ୍ନାତକ ପାସ୍ କରିଛନ୍ତି ବୋଲି 2014 ମସିହାରେ ସତ୍ୟପାଠ ଦାଖଲ କରିଥିଲେ । ତେବେ ଏହି କଲେଜ କେନ୍ଦ୍ର ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବାର ନିଶିକାନ୍ତ କହିଥିଲେ । ତେଣୁ ଏହା ଉପରେ ଅନୁଭବ ଓ ରାଜ୍ୟ ସରକାର ମତ ରଖିବାକୁ ନିଶିକାନ୍ତ ଦାବି କରିଥିଲେ । ଆଜି ପର୍ଯ୍ୟନ୍ତ ନା ରାଜ୍ୟ ସରକାର ନା ସାଂସଦ ଅନୁଭବ, କେହି ଏହା ଉପରେ ମତ ରଖିନାହାନ୍ତି । ଅନୁଭବ ଏକ ପ୍ରେସ ରିଲିଜ୍ ମାଧ୍ୟମରେ କହିଥିଲେ ଯେ, ତାଙ୍କୁ ବଦନାମ କରିବାକୁ ତାଙ୍କ ନାଁରେ ଏପରି ଆରୋପ ଲଗାଯାଇଛି । କିନ୍ତୁ ସେ ସିଧାସଳଖ ନିଶିକାନ୍ତଙ୍କ ପ୍ରଶ୍ନର ଉତ୍ତର ଦେଇନଥିଲେ । ଅନୁଭବଙ୍କ ବାପା ଏହି କନ୍ଦରପୁର କଲେଜରେ ଅଧ୍ୟକ୍ଷ ମଧ୍ୟ ଥିଲେ ।

ଅନୁଭବ ବର୍ଷାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟତା କେତେ, ତାହା କେବଳ ବର୍ଷା ହିଁ କହିପାରିବେ । ଯଦି କାଗଜପତ୍ର ଜାଲ୍ ହୋଇଛି, କେଉଁଠି କରାଯାଇଛି, କିଏ କରିଛି ? ଏହି ଜାଲ୍ କଥା ସେ ଶିଖିଲେ କେଉଁଠି ? ଏ ସବୁର ଉତ୍ତର ଖୋଜିବାକୁ ହେଲେ, ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି ଅନୁଭବଙ୍କ ନନ୍ଦି ସାହି ଘର ଉପରକୁ । ଏ ସଂପର୍କରେ ଅନୁଭବ କିମ୍ୱା ତାଙ୍କ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।