/odishatv-khabar/media/post_attachments/uploadimage/library/16_9/16_9_0/Face_Off_1719928607.jpg)
Face-Off
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ । ବିଜେପିର ବିରୋଧ ପ୍ରଦର୍ଶନ ବେଳେ ଉଭୟ ପକ୍ଷ ମଧ୍ୟରେ ଟେକାପଥର ମାଡ଼ ଓ ନାରାବାଜି ହୋଇଛି । ଗତକାଲି ଲୋକସଭାରେ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ବିରୋଧ କରି ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିଜେପି ବିରୋଧ କରିଛି । ପୋଲିସ ଉପସ୍ଥିତିରେ ଟେକାପଥର ଓ ଗୋବର ମାଡ଼ ହୋଇଛି । ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଗତକାଲି ଜୋରଦାର ହଙ୍ଗାମା ହୋଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଆରମ୍ଭ କରି ରାହୁଲ କେନ୍ଦ୍ର ସରକାର ଉପରେ ହମଲା କରିବା ସହ ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବା ନେଇ ମନ୍ତବ୍ୟ ରଖିବାରୁ ଏହାର ତୀବ୍ର ବିରୋଧ ହୋଇଥିଲା ।
ଖୋଦ୍ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ହିନ୍ଦୁ ସମାଜକୁ ହିଂସୁକ କହିବା ଗମ୍ଭୀର ବିଷୟ ବୋଲି କହିଥିଲା ବେଳେ ଗୃହମନ୍ତ୍ରୀ ଏଥିପାଇଁ ଦେଶବାସୀଙ୍କ ଆଗରେ ରାହୁଲ କ୍ଷମା ମାଗିବାକୁ ଦାବି କରିଥିଲେ । ବିଜେପି ଉପରେ ହମଲା ପାଇଁ ଲୋକସଭାରେ ପ୍ରଭୁ ଶିବଙ୍କ ସାହାରା ନେଲେ । ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବାର ମନ୍ତବ୍ୟ ବି ରଖିଲେ ।
ଯାହା ଉପରେ ତୁରନ୍ତ ପ୍ରତିକ୍ରିୟା ରଖି ବିଜେପି ପୂରା ହିନ୍ଦୁ ସମାଜ ନୁହଁନ୍ତି ବୋଲି ସଫେଇ ରଖିଥିଲେ ରାହୁଲ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତୀବ୍ର ଆପତ୍ତି ଉଠାଇଥିଲେ । ଶାହ କହିଥିଲେ ରାହୁଲ କହିବାକୁ ଚାହାନ୍ତି କି ଦେଶର କୋଟି କୋଟି ହିନ୍ଦୁ ହିଂସୁକ ଅଟନ୍ତି । ହିଂସାକୁ କୌଣସି ବି ଧର୍ମ ସହ ଯୋଡ଼ିବା ଉଚିତ୍ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)