• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକ ପରେ ଧାମନଗର ଭୋଟ ଗଣତି । ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ଛାତି ଧଡଧଡ । ତେବେ ରାଜନୈତିକ ଦଳଙ୍କୁ ତାଠୁ ବି ଅଧିକ ଟେନସନ୍ କଣ ହେବ ଫଳାଫଳ, ତାକୁ ନେଇ ମନରେ ଦକ କାରଣ । ଏଥର ବିଜେଡି, ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ହୋଇଛି କଡା ଟକ୍କର । ତେବେ ୨୦୧୯ ତୁଳନାରେ ଅଧିକ ଭୋଟ୍ ବ୍ୟବଧାନରେ ଜିତିବାକୁ ଆଶା ରଖିଛି ବିଜେପି । ସେହିପରି ଦଳୀୟ ପ୍ରାର୍ଥୀ ୨୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଦୃଢୋକ୍ତି କରିଛି ବିଜେଡି । ଅନ୍ୟପକ୍ଷରେ ଫଳାଫଳ ଘୋଷଣା ଆଗରୁ ହାତ ଟେକିଦେଇଛି କଂଗ୍ରେସ । ଏଣେ ରାଜନୈତିକ ଦଳଙ୍କ ଦାବି ଓ ଦୃଢୋକ୍ତି ଭିତରେ ନଜର ରହିଛି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ଉପରେ ।

ଏଥର ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ସମ୍ଭବ ହେଉନି ଆଗୁଆ ଆକଳନ । ତେବେ ନିଜ ନିଜ ବିଜୟ ସମ୍ଭାବନାକୁ ନେଇ ନିଶ୍ଚିତ ବିଜେପି ଓ ବିଜେଡି । ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ ବ୍ୟବଧାନରେ ଜିତିଥିଲେ । ଏଥର ତାଠୁ ଅଧିକ ଭୋଟରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସର ସହ କହିଛି । ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି କରିଛି । ଅବନ୍ତୀ ଦାସ୍ ୨୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ଦଳ ଆଗୁଆ ଆକଳନ କରିଛି । ମାତ୍ର ଫଳ ଘୋଷଣା ଆଗରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ । ତେବେ ଦଳୀୟ ପ୍ରାର୍ଥୀ ୩ ନମ୍ବରରେ ରହିଲେ ବି ଗତ ଥରଠାରୁ ଅଧିକ ଭୋଟ ପାଇବେ ବୋଲି କଂଗ୍ରେସ ଆଶା ରଖିଛି ।

ସେପଟେ ଫଳ ବାହାରିବା ଆଗରୁ ଅଙ୍କ କଷିଛନ୍ତି ରାଜନୈତିକ ସମୀକ୍ଷକ । ୨୦୧୯ରେ ଏଠି ୭୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ୬୯ ପ୍ରତିଶତକୁ ଖସି ଆସିଛି । ତେବେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍ ଦେଇଥିବାରୁ ସମୀକରଣକୁ ପ୍ରଭାବିତ କରିପାରେ । ପ୍ରାୟ ୭୫ ପ୍ରତିଶତ ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିବାରୁ ବିଜେଡ଼ିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ନିର୍ଣ୍ଣାୟକ ହୋଇପାରେ ବିଜେଡିର ବ୍ରିଦୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ଭୋଟ୍ ।

ନିଜର ଦବଦବା ଥିବା ୧୩ରୁ ଅଧିକ ପଞ୍ଚାୟତରେ ରାଜୁ ଦାସ୍ ବିଜେଡି ଭୋଟ ବିଭାଜନ କରିବା ଆକଳନ କରାଯାଇଛି । ଏହା ହେଲେ ବିଜେପିକୁ ଫାଇଦା ମିଳିବ । ଅନ୍ୟପକ୍ଷରେ ନିର୍ବାଚନ ମଣ୍ଡଳୀର ୧୫ ହଜାର ସଂଖ୍ୟାଲଘୁ ଭୋଟ ଏଥର ୪ ଭାଗ ହୋଇଥିବା କୁହାଯାଉଥିବା ବେଳେ ୩୧ ପଞ୍ଚାୟତରେ ୩ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଛି କଡା ଟକ୍କର । ତେଣୁ ପୂର୍ବ ଉପ ନିର୍ବାଚନରେ ବିଜେଡି ଯେଭଳି ସହଜ ବିଜୟ ହାସଲ କରୁଥିଲା , ଏଥର ସେ ସମ୍ଭାବନା କମ୍ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ପୂର୍ବ ନିର୍ବାଚନଗୁଡିକ ଅପେକ୍ଷା ଏଥର ଫୁଲ ଦମରେ ମଇଦାନକୁ ଓହ୍ଲାଇଛି ବିଜେପି । ତାସହିତ ବିଜେଡିର ଷ୍ଟ୍ରାଟେଜିକୁ କାଉଣ୍ଟର କରି ଦଳ ନିର୍ବାଚନ ଲଢିଛି । ତେଣୁ ଧାମନଗର ଫଳାଫଳ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।