• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବ ED । ମନି ଲଣ୍ଡରିଂ ମାମଲାରେ ED ହେମନ୍ତଙ୍କୁ ଅଧିକ ପଚରାଉଚରା କରିବ । ଏଥିପାଇଁ ୧୦ ଦିନିଆ ରିମାଣ୍ଡ ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା । ହେଲେ ୫ ଦିନର ରିମାଣ୍ଡ ଅନୁମତି ମିଳିଥିଲା ।

ହେଲେ ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ବି ଝଟକା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ । ତେବେ ମାମଲାରଲ ଶୁଣାଣି ପାଇଁ ମନା କରିବା ସହ ଇଡିର ଗିରଫଦାରୀ ଓ ସମନକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଶୁଣାଣି ବେଳେ କାହିଁକି ହାଇକୋର୍ଟ ଗଲେନି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅଦାଲତ ।

ସେପଟେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପଇ ସୋରେନ । ରାଂଚି ରାଜଭବନରେ ଚମ୍ପଇଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ । ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ତେବେ ଅନ୍ୟ ଦୁଇ ଜଣ ମଧ୍ୟ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସେମାନେ ହେଲେ ଆରଜେଡି ବିଧାୟକ ସତ୍ୟାନନ୍ଦ ଭକ୍ତା ଓ କଂଗ୍ରେସ ବିଧାୟକ ଆଲାମଗିର ଆଲମ । ଆସନ୍ତା ୧୦ ଦିନ ଭିତରେ ଚମ୍ପଇ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ । ଝାଡ଼ଖଣ୍ଡ ବିଧାନସଭାରେ ୮୧ ଆସନ ଥିବା ବେଳେ ମ୍ୟାଜକ ନମ୍ବର ହେଉଛି ୪୧ ।

ତେବେ ନିଜ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଚମ୍ପଇ ସୋରେନ । ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ମିଶାଇ ୩ ଜଣ ଶପଥ ନେଇଥିବା ବେଳେ ଅନ୍ୟ ୩୮ ବିଧାୟକ ସଂଖ୍ୟା ଗରିଷ୍ଠତା ପ୍ରମାଣ ଯାଏ ହାଇଦ୍ରାବାଦରେ ରହିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।