Advertisment

ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ

ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମନ୍ତ୍ରୀଙ୍କ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ସଜ ହେଲେଣି ବିଜେପି ଓ କଂଗ୍ରେସ

author-image
Sarbeswar
ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

ଭୁବନେଶ୍ୱର: ମମିତାଙ୍କୁ କେମିତି ମାରିଥିଲା ଗୋବିନ୍ଦ ? ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେଉଁ ଉପାୟ ଆପଣାଇଥିଲା ? ଜାରି ରହିଥିବା ଖୋଳତାଡ଼ ଭିତରେ ଆସିଛି ପୁଣି ନୂଆ ତଥ୍ୟ। ପୂର୍ବ ଯୋଜନା ମୁତାବକ ଗୋବିନ୍ଦ ସାହୁ ପୁରୁଣା ଟାୟାର ଡ୍ରାଇଭର ରାଧେ ହାତରେ ମଗାଇଥିଲା। ଓଟିଭି ହାତରେ ଲାଗିଥିବା କେସ୍ ଡାଏରୀରେ ଏସବୁ ତଥ୍ୟ ରହିଛି । ତାସହ CRPC-164 ବଦଳରେ 161 ବୟାନ୍ ରେକର୍ଡ କରାଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜ୍ଞ। ସେପଟେ ମାମଲାରେ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କଳାହାଣ୍ଡିରେ ଯୁଦ୍ଧଦେହିଂ ଡାକରା ଦେଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

Advertisment

ମହାଲିଙ୍ଗର ମହାପାପକୁ ଲୁଚାଇବାକୁ ଯାଇ ଗୋବିନ୍ଦ ରଚିଥିବା ମହାଷଡ଼ଯନ୍ତ୍ରର ଧୀରେ ଧୀରେ ଖୋଲୁଛି ଗୁମର । ମମିତାଙ୍କୁ ଯେଭଳି ହତ୍ୟା କରି ମାଟିରେ ମିଶାଇଦେଲା ଜହ୍ଲାଦ, ତାଜୁବ୍ କରିଦେଉଛି ସମସ୍ତଙ୍କୁ। ମାତ୍ର ୨ଟି ପୁରୁଣା ଟାୟାରରେ ମମିତାଙ୍କ ମୃତଦେହକୁ ଜାଳି ପୋଡ଼ି ଗୋବିନ୍ଦ ପାଉଁଶ କରିଦେବା ଘଟଣା ଏବେ ଦୋହଲାଇ ଦେଉଛି ସମସ୍ତଙ୍କୁ। ସେପ୍ଟେମ୍ବର ୮ ତାରିଖ ସମୟ ଅପରାହ୍ନ ପ୍ରାୟ ସାଢ଼େ ୩ଟା ହେବ। ମହାଲିଙ୍ଗର ବ୍ୟବସାୟୀ ବିବେକ ଅଗ୍ରୱାଲଙ୍କ ପାଖରେ ପହଞ୍ଚିଥିଲା ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡି।

ଗୋବିନ୍ଦ କହିବା ମୂତାବକ ରାଧେଶ୍ୟାମ ହାତରେ ପିକ୍ଅପ୍ ଭ୍ୟାନର ୨ଟି ପୁରୁଣା ଟାୟାର ଦେଇଦେଲେ ବିବେକ୍ । ଟାୟାରକୁ ଆଣି ମମିତାଙ୍କୁ ପୋତିବା ପାଇଁ ଖୋଳାଯାଇଥିବା ଷ୍ଟାଡ଼ିୟମର ଗାତ ନିକଟରେ ରଖିଥିଲା ରାଧେ । ସେହି ଟାୟାରକୁ ବ୍ୟବହାର କରି ଗୋବିନ୍ଦ ମମିତାଙ୍କ ମୃତଦେହକୁ ଜାଳିପୋଡ଼ି ନଷ୍ଟ କରିଦେଇଥିବା ସୂଚନା ମିଳିଛି।

Advertisment

ତେବେ ମହାଲିଙ୍ଗ ଷ୍ଟାଡିୟମରୁ କିଛି ଖଣ୍ଡ ହାଡ, ବ୍ୟାଗ, ତାର, ପାଉଁଶ, ପୋଡା ଲୁଗା, ଲୁଣ, ସୁନା ରଙ୍ଗର ଚେନ ଓ ଆଙ୍କଲେଟ ଜବତ କରି ଫୋରରେନସିକ ଲ୍ୟାବକୁ ପଠାଯାଇଥିବା ସିଜର ଲିଷ୍ଟରେ ଦର୍ଶାଯାଇଛି । ମିଳିଥିବା ଶରୀରର ଅବଶେଷ ମମିତାଙ୍କ ବୋଲି ଜାଣିବା ପାଇଁ ମମିତାଙ୍କ ବାପା ଓ ମାଙ୍କ ରକ୍ତ ନମୂନା ପଠାଯାଇଛି। କେବଳ ଏତିକି ନୁହେଁ, ଯେଉଁ କାରରେ ହତ୍ୟା କରାଯାଇଥିଲା ମମିତାଙ୍କୁ, ସେହି କାରରୁ ୫ଟି ଲମ୍ବା ଚୁଟି, ପଥର ଲଗା ଚୁମକୀ, କାନଫୁଲ, ଟାୱାଲ, ଜାର, ଷ୍ଟିଲ ଛୁରୀ, ଟୁଥବ୍ରସ୍ ଓ ଟଙ୍ଗ କ୍ଳିନର, ନାଲି ଓ କଳା ରଙ୍ଗର ଛତା ସହ କିଛି କଟନ୍ ଜବତ କରିଥିବା ସିଜର ଲିଷ୍ଟରେ ଦର୍ଶାଯାଇଛି।

ତେବେ ମମିତା ହତ୍ୟାକାଣ୍ଡ ଭଳି ସଂଗୀନ ଅପରାଧ କ୍ଷେତ୍ରରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ 164 ବଦଳରେ କାହିଁକି 161 ବୟାନ୍ ରେକର୍ଡ କରିଛି ପୋଲିସ ? କୋର୍ଟରେ ଏହା ଗ୍ରହଣୀୟ ହେବ ତ ? ଏଭଳି ପ୍ରଶ୍ନ ଉଠାଇ କୋର୍ଟ ଆଗରେ ସାକ୍ଷୀଙ୍କ ବୟାନକୁ ନେଇ ସନ୍ଦେହ କରିଛନ୍ତି ବରିଷ୍ଠ ଆଇନଜୀବୀ । ତାସହ କହିଛନ୍ତି, ମାମଲାରେ ବହୁ ପ୍ରଭାବଶାଳୀଙ୍କ ସଂପୃକ୍ତି ଅଭିଯୋଗ ଉଠୁଥିବାରୁ ଭଲ ତଦନ୍ତ ହେବା ଜରୁରୀ।

ସେପଟେ ମମିତା ହତ୍ୟା ମାମଲାରେ ଦିବ୍ୟ-ଗୋବିନ୍ଦଙ୍କ ଲିଙ୍କ୍ ପରଠୁ କମ୍ପୁଛି କ୍ୟାପଟେନଙ୍କ ହୋମଗ୍ରାଉଣ୍ଡ। ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ସହ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିବାବେଳେ ଜିଲ୍ଲା ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ଚେତାବନୀ ଦେଇଛି। ଏନେଇ କିନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଭବାନୀପାଟଣାରୁ ରାଜକୁମାର ସିଂଦେଓ, ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା ଏବଂ ବଲାଙ୍ଗିରରୁ ମନରଂଜନ ଯୋଶୀଙ୍କ ରିପୋର୍ଟ

BJP Odisha Police Congress Mamita Murder Case
Advertisment
Advertisment