• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ । ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ବା ନୋମିନୀ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠ ଦାଖଲ କରିବେ । ନିଜ ନାଁରେ ଥିବା ଅପରାଧିକ ମାମଲା, ସଂପତ୍ତି ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠରେ ତଥ୍ୟ ଦେବା ବଧ୍ୟତାମୂଳକ କରାଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଲେ ଦଣ୍ଡ ଭୋଗିବେ । ନିଜ ନାଁରେ ଥିବା ଅପରାଧିକ ମାମଲା, ଶିକ୍ଷାଗତ ଯୋଗ୍ୟତା ଓ ସଂପତ୍ତି ସଂପର୍କିତ ବିବରଣୀ ନେଇ ଭୁଲ୍ ତଥ୍ୟ ଦେଲେ ଦଣ୍ଡ ଭୋଗିବେ ପ୍ରାର୍ଥୀ । ଏପରିକି ପ୍ରାର୍ଥୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା ହୋଇପାରେ । ଆବଶ୍ୟକସ୍ଥଳେ ଜେଲ୍ ଦଣ୍ଡ ସହ ଜରିମାନା ବି ହୋଇପାରେ । ଦଣ୍ଡ ବ୍ୟବସ୍ଥା ସହ ପଞ୍ଚାୟତ ପ୍ରତିନିଧିଙ୍କୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ ଓଡ଼ିଶା ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇଛି ।

ଅଧ୍ୟାଦେଶ ଜରିଆରେ ରାଜ୍ୟ ସରକାର ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରୁଥିଲେ । ହେଲେ ତଥ୍ୟ ପ୍ରଦାନ ବାଧ୍ୟତାମୂଳକ ନଥିଲା କି ଭୁଲ୍ ତଥ୍ୟ ପାଇଁ ଦଣ୍ଡବିଧି ନଥିଲା । ଏଣୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସଂଶୋଧନ ଆଣି ଦଣ୍ଡ ବ୍ୟବସ୍ଥା କରିଛନ୍ତି । ଗତକାଲି ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସଂପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୫, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୫୯ର ଧାରା ୪୫ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ଧାରା ୩୩ରେ ସଂଶୋଧନ ଅଣାଯାଇଛି ।

ସଂଶୋଧିତ ଆଇନ ଅନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ଏସବୁ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନୂଆ ଆଇନ ଲାଗୁ କରାଯିବ । ସେହପରି ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୪୪ ଓ ପଞ୍ଚାୟତ ସମିତି ଆଇନର ଧାରା ୨୦ରେ ସଂଶୋଧନ କରାଯାଇ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ବେଳେ ରିଲିଫ, ଥଇଥାନ ଓ ପୁନଃନିର୍ମାଣରେ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହେବେ ।

ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେ ରାଜନୀତି ଧିରେ ଧିରେ ଉଷ୍ମ ହେବାରେ ଲାଗିଛି । ଓବିସି ସଂରକ୍ଷଣକୁ ନେଇ ବିଜେଡି ବିଜେପି ମୁହାଁ ମୁହିଁ ହୋଇଛନ୍ତି । ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାର କାଉଣ୍ଟର କରିଛନ୍ତି । ସେହିପରି ବିଜେପି ସାମ୍ବାଦିକ ସମ୍ମଳନୀ କରାଯାଇ ରାଜ୍ୟ ସରକାର ପଛୁଆବର୍ଗକୁ ଅବହେଳା କରୁଥିବା ଅଭିଯୋଗ କରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ କଟିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ସରକାର ଓବିସି ସଂରକ୍ଷଣ ବିରୋଧୀ । ସଂରକ୍ଷଣ ସୁନିଶ୍ଚିତ କରିବା ନେଇ ଆଇନଗତ ଓ ଯୁକ୍ତିସଙ୍ଗତ ପଦକ୍ଷେପ ନେଉନାହାନ୍ତି । ମଧ୍ୟ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ୍ କରିବାକୁ ଯାଉଥିବା ବେଳେ ଓଡିଶା ସରକାର କାହିଁକି ଆବେଦନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଧର୍ମେନ୍ଦ୍ରଙ୍କ ଟୁଇଟ୍‌ର ଜବାବ୍ ଦେଇଛନ୍ତି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ମଧ୍ୟପ୍ରଦେଶରେ ବିଜେପି ସରକାରରେ ଥିଲେ ମଧ୍ୟ କାହିଁକି ଓବିସିଙ୍କୁ ସଂରକ୍ଷଣ ଦେଇପାରିଲା ନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେହିପରି କେନ୍ଦ୍ରରେ ବିଜେପି ସାଢ଼େ ସାତ ବର୍ଷ ଧରି ଶାସନ ଗାଦିରେ ଥିଲେ ମଧ୍ୟ ପଛୁଆବର୍ଗ ସଂରକ୍ଷଣ ଲାଗି କାହିଁକି ଆଇନ ଆଣି ନାହିଁ ବୋଲି ପଚାରିଛନ୍ତି ପ୍ରଣବ ।