Advertisment

ନାଁ ନନେଇ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍, ଜବାବରେ ସାଂସଦଙ୍କୁ ବିଜେଡିର ବ୍ୟକ୍ତିଗତ ଆକ୍ଷେପ

ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ।

author-image
Prangyan Parimita
undefined

Aparajita Sarangi

ହାଇଜାକ୍ ହୋଇଛି ଓଡ଼ିଶାର ଶାସନ ବ୍ୟବସ୍ଥା । ସଚିବସ୍ତରର ଅଧିକାରୀ କରିଛନ୍ତି ହାଇଜାକ୍ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ନାଁ ନ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି।

Advertisment

ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାନ୍ତି। ସଚିବସ୍ତରର ଅଧିକାରୀ ଉଡାଜାହଜରେ ବୁଲୁଛନ୍ତି, ସବୁଠି ପ୍ରାୟୋଜିତ ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି। ସାଧାରଣ ସଭାରେ ସରକାରୀ ପ୍ରକଳ୍ପ ଘୋଷଣା କରୁଛନ୍ତି । ଯାହାକି ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି କହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସାଂସଦ।

ସେହିପରି ସାଧାରଣ ସଭା ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀମାନେ ପହଞ୍ଚି ସମସ୍ତ ଆୟୋଜନ କରୁଛନ୍ତି ହେଲେ ମଞ୍ଚ ଉପରେ ସେମାନଙ୍କୁ ଦେଖିବାକୁ ମିଳୁନି। ଏମିତି କରିବାକୁ ମୁଖ୍ୟମନ୍ତ୍ରୀଙ୍କର କୌଣସି ନିର୍ଦ୍ଦେଶ ଅଛି କି ବୋଲି ପଚାରିଛନ୍ତି ଅପରାଜିତା। ଏହାସହ ମଞ୍ଚରେ ମନ୍ତ୍ରୀ, ବିଧାୟକ ନରହି ଅଧିକାରୀ ରହୁଥିବାରୁ ଅର୍ଡର ଅଫ ପ୍ରିନ୍ସିଡେନ୍ସର ଏହା ଅବମାନନା ବୋଲି ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ବିଧାୟକମାନଙ୍କୁ ବାଧ୍ୟ କରି ଦାସତ୍ୱ ସ୍ୱୀକାର କରିବାକୁ କୁହାଯାଉଛି ।

Advertisment

ଯଦି ରାଜନୀତି କରିବାର ଇଛା ଅଛି ଚାକିରି ଛାଡି ମୈଦାନକୁ ଓହ୍ଲାନ୍ତୁ ବୋଲି ଅପରାଜିତା ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ଖାଲି ସେତିକି ନୁହେଁ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରି ଅପରାଜିତା ପଚାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୩ ଆଇଏଏସ ଅଧିକାରୀ ଦକ୍ଷିଣ ଭାରତୀୟ ନିଯୁକ୍ତ ହେବା ସଂଯୋଗ ନା ସୁନିୟୋଜିତ ଷଡ଼ଯନ୍ତ୍ର । ରାଜ୍ୟରେ ଦକ୍ଷିଣୀଲବି କାମ କରୁଛି ଯାହାଫଳରେ ବଡ ବଡ ଠିକା କାମ ଦକ୍ଷିଣୀ ଭାରତୀୟ କଂପାନୀକୁ ଦିଆଯାଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା।

ସେପଟେ ଅପରାଜିତାଙ୍କୁ କଡ଼ା ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଅପରାଜିତା ଏବେ ବି ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରି ପାରିନାହାନ୍ତି । ନିଜର ଅପାରଗତାକୁ ଲୁଚାଇବା ପାଇଁ ସେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣହେଲା, ପ୍ରଶାସନିକ ବ୍ୟବସ୍ଥା ନେଇ ଅପରାଜିତା ଯେଉଁ ସବୁ ସଙ୍ଗିନ୍ ପ୍ରଶ୍ନ ପଚାରିଥିଲେ ତାର କୌଣସି ଜବାବ ରଖିନଥିଲେ ଶ୍ରୀମୟୀ । ସେହିପରି ଅପରାଜିତା ଜଣେ ସଚିବଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିବା ବେଳେ ତାକୁ ପ୍ରଶାସନିକ ସ୍ତରରେ ଜବାବ ଦେବା ବଦଳରେ ବିଜେଡି କାର୍ଯ୍ୟାଳୟରୁ ଜଣେ ଦଳୀୟ ମୁଖପାତ୍ର ଡିଫେଣ୍ଡ କରିଥିଲେ, ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ପୂର୍ବତନ ପ୍ରଶାସକଙ୍କ ମତରେ ଅଲ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ କହୁଛି, ସଚିବ ସ୍ତରର ଅଧିକାରୀ କୌଣସି ସାଧାରଣ ସଭା କରିପାରିବେନି କିମ୍ବା ସରକାରୀ ପ୍ରକଳ୍ପ ଘୋଷଣା କରିପାରିବେନି। ତେଣୁ ଏଠି ଖୋଲାଖୋଲି ନିୟମର ଉଲ୍ଲଘଂନ ହୋଇଛି ।

BJD Aparajita Sarangi Bureaucrats
Advertisment
Advertisment