/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661263844.jpg)
Embankment Breach
ନଈ ବଢିଲା, ଘାଇ ଭାଙ୍ଗିଲା । ମହାନଦୀ ଅବବାହିକାରେ ଗୋଟିଏ କି ଦୁଇଟି ନୁହେଁ ସୃଷ୍ଟି ହେଲା ସାତ ସାତଟି ଘାଇ । ଯାହା ଦ୍ୱାରା ବୁଡିଲା ଅନେକ ଅଂଚଳ । ଏବେ ବି ଗାଁ ଦାଣ୍ଡରୁ ବନ୍ୟାପାଣି ଛାଡିନି । ମହାନଦୀରେ ଦୁଇଟି, ମକରା, ଲୁଣା, ରାଜୁଆ, କୁଶଭଦ୍ରା ଓ ପାଇକା ନଦୀ ବନ୍ଧରେ ଗୋଟିଏ ଗୋଟିଏ ଘାଇ ସୃଷ୍ଟି ହୋଇଛି । ଏହାଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି ବଡ଼ମ୍ବା, କଣାସ, ମାର୍ଶାଘାଇ, ଜଟଣୀ, ଗୋପ ଓ କୁଜଙ୍ଗ ବ୍ଲକ୍ ।
ସେପଟେ କାଣୀ ନଦୀରେ ହୋଇଥିବା ଘାଇ ଯୋଗୁଁ ଦଶରଥପୁର ବ୍ଲକ୍ ବି ପ୍ରଭାବିତ ହୋଇଛି । ତେବେ ଏତେ ସଂଖ୍ୟକ ଘାଇ ପାଇଁ ଦାୟୀ କିଏ ? ବର୍ଷା ପୂର୍ବରୁ ଜଳସଂପଦ ବିଭାଗ ନଦୀ ବନ୍ଧଗୁଡିକୁ ମଜଭୁତ୍ କରିଥିଲା କି ? ନା ଠିକା କାମ ଦେବା ନାଁରେ ଠିକ୍ରେ ମରାମତି ହୋଇନଥିଲା ? ବିଭାଗ ବିଭାଗ ଭିତରେ ସମନ୍ୱୟ ଅଭାବରୁ ନଦୀବନ୍ଧ ମରାମତି ସଠିକ୍ ଭାବେ ହୋଇନି କି ? ଯଦି ବର୍ଷା ପୂର୍ବରୁ ନଦୀ ବନ୍ଧଗୁଡିକ ସୃଦୃଢ଼ କରାଯାଇଥାନ୍ତା, ହୁଏତ ଅନେକ ଅଂଚଳ ବନ୍ୟା ଦୁର୍ଦ୍ଦଶାରୁ ବର୍ତ୍ତି ଯାଇପାରିଥାନ୍ତା ବୋଲି କୁହାଯାଉଛି ।
ସେପଟେ ମହାନଦୀରେ ସୃଷ୍ଟି ହୋଇଥିବା ଘାଇକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅଭିଯୋଗ କରିଛନ୍ତି, ନଦୀବନ୍ଧ ମରାମତିରେ ବ୍ୟାପକ ଅନିୟମିତତା ହୋଇଛି ।
ସେପଟେ ମହାନଦୀ ସମେତ ଅନ୍ୟ ନଦୀଗୁଡିକରେ ଜଳସ୍ତର ଖସୁଛି । ତେବେ ବର୍ଷା ଋତୁ ଚାଲିଥିବାରୁ ମହାନଦୀ ସିଷ୍ଟମରେ ହୋଇଥିବା ଘାଇଗୁଡିକ ଏବେ ଅସ୍ଥାୟୀ ଭାବେ ମରାମତି କରାଯାଉଛି । ନଭେମ୍ବରରେ ସ୍ଥାୟୀ ମରାମତି ହେବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ପୂର୍ବରୁ ମଧ୍ୟ ଠିକାଦାରଙ୍କ ଦୁର୍ବଳ କାମ ଯୋଗୁଁ ନଦୀବନ୍ଧରେ ଘାଇ ହେବାର ନଜିର ରହିଛି । ଏଥର ମଧ୍ୟ ବିରୋଧୀ ସମାନ ଅଭିଯୋଗ ଆଣିଥିବା ବେଳେ ତାର ତଦନ୍ତ କରି କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)