/odishatv-khabar/media/post_attachments/uploadimage/library/16_9/16_9_0/ss_1637738243.jpg)
Eggs Hurled At CM Naveen’s Carcade
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି। କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ଦୁଇ ଜଣ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଲକ୍ଷ୍ୟ କରି ଅଣ୍ଡା ଫିଙ୍ଗି ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍ରୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ଶ୍ରୀମନ୍ଦିର ଆଡକୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗେଇ ଚାଲିଥିବା ବେଳେ ଏହି ସମୟରେ ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଧସେଇ ପଶି ଆସିଥିଲେ ୨ ଜଣ ଯୁବକ। ବଡ଼ଦାଣ୍ଡ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ସତ୍ତ୍ୱେ ସେମାନେ କଳାପତାକା ଦେଖାଇବା ସହ ନବୀନ ପଟ୍ଟନାୟକ ‘ଗୋ ବ୍ୟାକ୍’ ସ୍ଲୋଗାନ ଦେଇଥିଲେ। ବିରୋଧ ପ୍ରଦର୍ଶନ କରିଥିବା ଯୁବକଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏହାପରେ ଆଉ ଜଣେ ଯୁବକ ମଧ୍ୟ ଧସେଇ ପଶିଥିଲେ। ପରେ ୩ ଯୁବକଙ୍କୁ ପୋଲିସ କାବୁ କରିଥିଲା।
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ପୁରୀ ସହରର କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୭ ଦଫା ଦାବି ନେଇ କଂଗ୍ରେସ କର୍ମୀ ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ପୋଲିସକୁ ମାତ୍ ଦେଇ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ଧସେଇ ପଶି ସିଂହଦ୍ୱାର ପର୍ଯ୍ୟନ୍ତ ଚାଲି ଆସି ଅତିରିକ୍ତ ଏସ୍ପିଙ୍କୁ ସ୍ମାରକପତ୍ର ଦେଇଥିଲେ। ଜଗନ୍ନାଥ ମନ୍ଦିରରେ ଦଶାବତାର ମୂର୍ତ୍ତି ସ୍ଥାପନ ଓ ରତ୍ନଭଣ୍ଡାର ଖୋଲା ଯାଇ ରତ୍ନ ଗଣନା କରିବା ଏବଂ ରଘୁବୀର କମିଶନଙ୍କ ରିପୋର୍ଟ ସର୍ବସାଧାରଣ କରିବାକୁ କଂଗ୍ରେସ ଦାବି କରିଛି।
ସୂଚନାଥାଉ କି, ଏହା ପୂର୍ବରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି।
ଆଜି ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜ ଏହି ପ୍ରକଳ୍ପର ଶିଳା ସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଶ୍ୱର ସମସ୍ତ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଐତିହାସିକ ଦିନ। ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ପବିତ୍ର ଦିନ। ପ୍ରକଳ୍ପ ପାଇଁ ଜମିଦାନ କରିଥିବା ୧୦ଜଣ ବ୍ୟକ୍ତିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା କରିଥିଲେ।
ଆଜି ସକାଳଳେ ସୂର୍ଯ୍ୟ ପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ପରେ ଶିଳା ସ୍ଥାପନ ଓ ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଓ ସୌନ୍ଦର୍ଯ୍ୟକରଣ କରାଯିବ।
- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ମଠ ଓ ମନ୍ଦିର ଗୁଡିକର ପୁନଃ ବିକାଶ କରାଯିବ
- ରଥଯାତ୍ରା ଓ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦିକ୍ଷଣ ପଥ ପ୍ରସ୍ତୁତ ହେବ। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ୫୦୦ ବର୍ଗ ମିଟର ପରିମିତ ଗୃହ ନିର୍ମାଣ କରାଯିବ
- ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଓ ଦାନକେନ୍ଦ୍ର ରହିବ
- ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର କରାଯିବ
- ଏକା ସାଙ୍ଗରେ ୬ହଜାର ଭକ୍ତଙ୍କ ସୁବିଧାପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ କରାଯିବା ସହ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)