• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ । ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ୱାଟସଆପ୍ ଚାଟ୍ । ଯେଉଁଥିରେ ରହିଛି ଟ୍ରାନ୍ସଫର ପୋଷ୍ଟିଂ ଭଳି ଅନେକ କଳା କାରବାରର କଚ୍ଚା ଚିଠା । ସେପଟେ ହେମନ୍ତଙ୍କ ସହ ଝାଡ଼ଖଣ୍ଡର ଚର୍ଚ୍ଚିତ କଂଗ୍ରେସ ସାଂସଦ ଧୀରଜ ସାହୁ ଲିଙ୍କ୍ ସାମ୍ନାକୁ ଆସିବା ପରେ, ଧୀରଜଙ୍କୁ ସମନ୍ କରିଛି ଇଡି । ଗତବର୍ଷ ଡିସେମ୍ବରରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ଧୀରଜଙ୍କ ମଦ ସାମ୍ରାଜ୍ୟରୁ ସାଢ଼େ ୩ଶହ କୋଟି ଟଙ୍କାର କ୍ୟାଶ୍ ଜବତ କରିଥିଲା ଆୟକର ବିଭାଗ ।

ହେମନ୍ତ ସୋରେନଙ୍କ ଗୁମର ଫିଟାଇଲା ବିବାଦୀୟ ହ୍ୱାଟସଆପ୍ ଚାଟ୍ ! ଗୋଟେ ଅଧେ ନୁହେଁ, କୋର୍ଟଙ୍କୁ ୫୩୯ ପୃଷ୍ଠାର ଚାଟ୍ ଦେଖାଇଲା ଇଡି 'ଟ୍ରାନ୍ସଫର ପୋଷ୍ଟିଂ' ପାଇଁ ହେଉଥିଲା କୋଟି କୋଟି ଟଙ୍କାର ଖେଳ ! ଇଡି ପାଇଲା ବହୁ ଅନୈତିକ କାରବାର ଓ କ୍ଷମତା ଅପବ୍ୟବହାରର ସୁରାକ୍ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତାଙ୍କ ସହଯୋଗୀ ତଥା ଆର୍କିଟେକ୍ଟ ବିନୋଦ ସିଂ ୨୦୨୦ ଜୁନରେ କରିଥିଲେ ଏହି ଚାଟ୍ ।

୭ ଜୁନ ୨୦୨୦ରେ ବିନୋଦ ଲେଖିଛନ୍ତି- 'କେଉଁଠିକାର ଡିସି ବନାଇ ଦେବ... ନୋ ରିଲେସନ ପିଓର୍ କମର୍ସିଆଲ୍' । 'ଭାଇ ଶଶି ରଞ୍ଜନ ଆଇଏଏସ୍, ଆଇଜି ପ୍ରିଜନ୍, ସୁଡା ଡାଇରେକ୍ଟର । 'ୟାଙ୍କୁ ବି ଡିସି ହଜାରୀବାଗ / ବୋକାରୋ ଇତ୍ୟାଦି' । 'ଭାଇ ଏଯାଏଁ ଯେତିକି ବି ସୁପାରିଶ କରିଛି, କାହାଠୁ ଟଙ୍କାଟେ ବି ନେଇନି' । 'କାମ ହେବା ପରେ ନିଶ୍ଚିତ ରୂପେ' । 'ଯେମିତି ଆପଣଙ୍କର ଆଦେଶ ହେବ' । 'କିନ୍ତୁ ଅନୁରୋଧ କରୁଛି, କିଛି କେସ୍ କନସିଡର୍ କରିନେବ' । 'ଆଇ ୱିଶ୍, ମୁଁ ବି ଏହି ଛୋଟ ସିଷ୍ଟମର ପାର୍ଟ ହୋଇଥାନ୍ତି' ।

ପୁଣି ୧୨ ଜୁନ ୨୦୨୦ରେ ହେମନ୍ତ ସୋରେନଙ୍କୁ ବିନୋଦ ଲେଖିଛନ୍ତି- 'ଭାଇ ଯଦି ସମ୍ଭବ ହେବ ତେବେ କୋଲକାତାର ଲାଲା ଜିଙ୍କୁ ରବିବାର ଥରେ ଭେଟିବେ' । 'ବାକି ଆପଣଙ୍କ ଉପରେ ନିର୍ଭର କରେ ' । 'କେବେଠାରୁ କରିବାର ଅଛି, ଅବା କରିବାର ନାହିଁ, ଥରଟେ ବୁଝି ନେଇଥାନ୍ତି' । 'ସେ ଗୋଟିଏ ବଡ଼ ପାର୍ଟି' । 'ମୋତେ ଜଣେଇବ' । 'ତାର ବାୟୋଡାଟା ଅନ୍ୟ ମୋବାଇଲରୁ ପଠାଇଥିଲି, ତୁମେ ଦେଖିଛ?' । 'ଭାଇ... ୨ କୋଟି ପ୍ରତି ମାସ' ।

ଆଉ ୨୬ ଜୁନ୍ ୨୦୨୦ର ଚାଟ୍ । ଲେଖା ଅଛି- 'ରବି ରାଜ ଶର୍ମା, ପ୍ରେଜେଣ୍ଟ ପୋଷ୍ଟିଂ- ଡେପୁଟି ସେକ୍ରେଟାରି, JSSC' । 'ଚଏସ୍- ସେକ୍ରେଟାରି, RTA ହଜାରିବାଗ କିମ୍ବା AMC, ରାଞ୍ଚି ମହାନଗର ନିଗମ' । 'ମହମ୍ମଦ ହାଇଦର ଅଲି, ଜଏଣ୍ଟ ସେକ୍ରେଟାରି, ଡାଇରେକ୍ଟର, DRDA, ଗୁମଲା' । 'ପୋଷ୍ଟିଂ ହେବ- DDC, ଲାତେହାର୍' । କେବଳ ଟ୍ରାନ୍ସଫର୍ ପୋଷ୍ଟିଂ ନୁହେଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାଞ୍ଚି PMLA କୋର୍ଟରେ ଦାଖଲ କରାଯାଇଥିବା ୫୩୯ ପୃଷ୍ଠାର ଚାଟରେ ବହୁ ଗୁପ୍ତ ସଂପତ୍ତି, ଗୋପନୀୟ ସରକାରୀ ରେକର୍ଡ, ବିପୁଳ ଟଙ୍କା କାରବାର ସଂପର୍କିତ ତଥ୍ୟ ଆଦି ଆଦାନ-ପ୍ରଦାନ ହୋଇଥିବା ସୂଚନା ମିଳିଛି ।

ଏଥିସହ ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଆଦି ମଧ୍ୟ ହ୍ୱାଟ୍ସଆପରେ ସେୟାର ହୋଇଥିଲା । ହେମନ୍ତଙ୍କୁ ଏହିସବୁ ଚାଟ୍ ସଂପର୍କରେ ଜେରା ହୋଇଥିଲେ ବି, ସେ ସନ୍ତୋଷଜନକ ଉତ୍ତର ଦେଉନଥିବା କୋର୍ଟଙ୍କୁ ଜଣାଇଛି ଇଡି । କେବଳ ହ୍ୱାଟ୍ସଆପ୍ ଚାଟ୍ ନୁହେଁ, ହେମନ୍ତ ସୋରେନଙ୍କ ପାଇଁ ଅଡ଼ୁଆ ବଢ଼ାଇଛି 'କ୍ୟାଶ୍-କୁବେର' ଧିରଜ ସାହୁ ଲିଙ୍କ୍ । ଇଏ ସେହି ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁ, ଯାହାଙ୍କ ମଦ ସାମ୍ରାଜ୍ୟ ଉପରେ ଆଇଟି ମହା-ରେଡ୍ ବେଳେ ଜବତ ହୋଇଥିଲା ପ୍ରାୟ ସାଢ଼େ ୩ଶହ କୋଟିର ନଗଦ ଟଙ୍କା ।

ଚର୍ଚ୍ଚା ହେଉଛି, ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଜାନୁଆରୀ ୨୯ରେ ଜବତ ହୋଇଥିବା BMW SUVଟି ପ୍ରକୃତରେ ଧୀରଜ ସାହୁଙ୍କର । ହରିୟାଣା ନମ୍ବର ପ୍ଲେଟ୍ ଥିବା ଏହି ଦାମୀ କାର୍ ଗୁରୁଗ୍ରାମର ଏକ ଫାର୍ମ ନାଁରେ ପଞ୍ଜୀକୃତ ହୋଇଛି । ତେବେ ବେନାମୀ ଭାବେ ଏହା ଧୀରଜଙ୍କ ସହ ଲିଙ୍କ୍ ରହିଥିବା ଆଶଙ୍କା କରାଯାଉଛି । ଏଥିପାଇଁ ଗତକାଲି ଗୁରୁଗ୍ରାମ ସ୍ଥିତ କର୍ଦ୍ଦାରପୁର ଗାଁରେ ଥିବା ଫାର୍ମ ଏବଂ କୋଲକାତାର ୨ଟି ସ୍ଥାନରେ ଚଢ଼ାଉ ହୋଇଥିଲା ।

ଏହାକୁ ଧୀରଜ ସାହୁ କେଉଁ ସ୍ୱାର୍ଥ ପାଇଁ ହେମନ୍ତ ସୋରେନଙ୍କୁ ଗିଫ୍ଟ କରିଥିଲେ ତାର ଖିଅ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିସହ ଆସନ୍ତା ୧୦ ତାରିଖରେ ହାଜର ହେବାକୁ ଧୀରଜ ସାହୁଙ୍କୁ ସମନ ବି କରିଛି । ସେପଟେ ହେମନ୍ତ-ଧୀରଜ ଲିଙ୍କ୍ ସାମ୍ନାକୁ ଆସିବା ପରେ, କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ତୀବ୍ର ସମାଲୋଚନା କରିଛି ବିଜେପି ।

ସାଢ଼େ ୮ ଏକର ଜମି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ରେ ଗିରଫ ହୋଇଥିଲେ ହେମନ୍ତ ସୋରେନ । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ଆହୁରି ଅନେକ କ୍ଷେତ୍ରରେ କଳା କାରବାରର ଗୁମର ଫିଟିବା ପରେ, ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ସେପଟେ ହେମନ୍ତଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବେସମେଣ୍ଟର ନିବୁଜ କୋଠରୀରେ ରଖାଯାଇଛି ଏବଂ ସେଠାରେ ଝରକା ନାହିଁ କି ସୂର୍ଯ୍ୟାଲୋକ ପଡ଼ୁନାହିଁ ।