• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିଟ୍‌ଫଣ୍ଡ ମାମଲାରେ ଇଡି ଆକ୍ସନ । ଆଟାଚ୍ ହେଲା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି । ସି-ସୋର ମାମଲାରେ ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କଟକ SBI ଶାଖାରେ ଥିବା ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ସହ ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ମିଶାଇ ମୋଟ୍ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ପ୍ରପର୍ଟି ଆଟାଚ୍ କରିଛି ED ।

ସି-ସୋର କମ୍ପାନୀଠାରୁ ଏସବୁ ଅର୍ଥ ଆସିଥିବା ଜାଣିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ପଦକ୍ଷେପ ନିଆଯାଇଛି । ଇଡି ଦର୍ଶାଇଛି ଯେ, ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଓ ସିବିଆଇ ପକ୍ଷରୁ ଦାଏର ଚାର୍ଜସିଟ୍ ଆଧାରରେ ସଂପତ୍ତି ଆଟାଚ୍ ହୋଇଛି । ଏକ ଅଣ ବ୍ୟାଙ୍କିଂ ସସ୍ଥା ହୋଇ ସି-ସୋର କଂପାନୀ ଲୋକଙ୍କଠାରୁ ବେଆଇନ୍ ଭାବେ ଅର୍ଥ ସଂଗ୍ରହ କରୁଥିଲା ।

କମ୍ପାନୀଠାରୁ ୨୫ଲକ୍ଷ ଟଙ୍କା ପ୍ରଭାତ ବିଶ୍ୱାଳ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲା । ତାସହ ଏକ ଟିଭି ଚ୍ୟାନେଲ୍ ପ୍ରତିଷ୍ଠା କରାଇବା ଉଦ୍ଦେଶ୍ୟରେ ମିଡିଆ ଗୁରୁ ସଂସ୍ଥାକୁ ୪ କୋଟି ଟଙ୍କା ଯାଇଥିଲା । ଏପଟେ ଇଡିର ସଂପତ୍ତି ଆଟାଚ୍ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୋର ୩ କୋଟି ୯୨ ଲକ୍ଷ ଟଙ୍କା ଋଣ ଅଛି । ଘର କରିବାକୁ ୧ କୋଟି ୧୫ ଲକ୍ଷ ଟଙ୍କା ଋଣ ଆଣିଥିଲି । ବୋଧହୁଏ ସେ ଋଣ ଟଙ୍କାରୁ ୨୫ ଲକ୍ଷ ଟଙ୍କା ଆଟାଚ କରିଛି ଇଡି । ତେବେ ଏହା ଏକ ଜମିଜମା ସଂପର୍କିତ ମାମଲା ହୋଇଥିବାରୁ କୋର୍ଟରେ ଏହାକୁ ପ୍ରମାଣ କରିବି । ସେହିପରି ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନି କହିଛନ୍ତି, ଏକ ଜମି କିଣାବିକା ବାବଦରେ ସି-ସୋର କମ୍ପାନୀ ସହ ୨୫ ଲକ୍ଷ ଟଙ୍କାର ନେଣଦେଣ ହୋଇଥିଲା । ବାକି ଟଙ୍କା କଥା ସେ ଜାଣନ୍ତିନି ।

୨୦୧୭ ସେପ୍ଟେମ୍ବର ୧୯ । ସିସୋର ଚିଟଫଣ୍ଡ ଲିଙ୍କରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ତାପୂର୍ବରୁ ୩ ବର୍ଷ ଧରି ବିଭିନ୍ନ ସମୟରେ ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରା ବି ହୋଇଥିଲା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା ।

ଏଗ୍ରିମେଣ୍ଟ ଅନୁସାରେ ଲକ୍ଷ୍ମୀ ବିଳାସୀନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ । ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସୀନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ଦେଇଥିଲେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସ । ବାକି ଟଙ୍କା ଜମି ରେଜିଷ୍ଟ୍ରେସନ ବେଳେ ଦେବାକୁ ସ୍ଥିର ହୋଇଥିଲା । ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ । ସେ ଦେଇଥିବା ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ । ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସୀନୀ ।

 

ତେବେ ପ୍ରମାଣ ଦେଖାଇ ପାରିନଥିଲେ । କହିଥିଲେ ପ୍ରଶାନ୍ତ ତାଙ୍କୁ କୌଣସି ରସିଦ ଦେଇ ନଥିଲେ । ପରେ ଟଙ୍କା ଫେରସ୍ତ ନେଇ ଏକ ଏଗ୍ରିମେଣ୍ଟ ପେପର ଦେଖାଇଥିଲେ ଲକ୍ଷ୍ମୀ ବିଳାସିନୀ । ଏହି ଟଙ୍କା କାରବାରରେ ପ୍ରଭାତ ବିଶ୍ୱାଳଙ୍କୁ ଦୋଷୀ ପାଇବା ପରେ ସିବିଆଇ ଶେଷରେ ୨୦୧୭ରେ ତାଙ୍କୁ ଗିରଫ କରିଥିଲା । ୨୦୧୮ ଜୁନ୍ ୨୭ରେ ତାଙ୍କୁ ବେଲ୍ ମିଳିଥିଲା । ଏବେ ସେହି ମାମଲାରେ ପ୍ରଭାତଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଣେ ଇଡି ପକ୍ଷରୁ ସଂପତ୍ତି ଆଟାଚ୍ ପରେ ତେଜିଛି ରାଜନୈତିକ ବୟାନବାଜି ।