Manmohan Singh Death: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଶା ଦେଇଥିଲେ ମନମୋହନ

୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ ବିକାଶର ପଥରେ ଆଗେଇ ନେଇଥିଲା । ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟରେ ପଡିଥିଲା ।

ମନମୋହନ ଥିଲେ ଗ୍ରାମୀଣ ଅର୍ଥନୀତିର ତ୍ରାଣକର୍ତ୍ତା

ମନମୋହନ ସିଂ ନଥିଲେ ବୁଡ଼ି ଯାଇଥାଆନ୍ତା ଭାରତୀୟ ଅର୍ଥବ୍ୟବସ୍ଥା ! ଆଧାର, ମନରେଗା, ଆରଟିଆଇ ନୀତି ପଛରେ ରହିଛି ତାଙ୍କର ବଡ଼ ଅବଦାନ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ସେଠାରେ ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ଭାରତରେ ଏକ ଯୁଗର ଅନ୍ତ ଘଟିଛି ।

ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳରେ ଦେଶ ଅନେକ ଉପଲବ୍ଧି ହାସଲ କରିଛି । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥନୈତିକ ସଂସ୍କାର ଏବଂ ଅନେକ ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ଦେଶକୁ ଏକ ନୂତନ ଦିଗ ମିଳିଛି । ୧୯୯୧ରେ ମନମୋହନ ସିଂ ଭାରତର ଅର୍ଥନୀତିର ସଙ୍କଟମୋଚକ ସାଜିଥିଲେ । ନାମିଦାମୀ ଅର୍ଥନୀତିଜ୍ଞ ତାଲିକାରେ ମନମୋହନ ସିଂଙ୍କ ନାମ ସମ୍ମାନର ସହ ନିଆଯାଏ । ସେ ନଥିଲେ ୧୯୯୧-୯୨ ମସିହାରେ ଭାରତ ଅର୍ଥନୀତି ରସାତଳକୁ ଚାଲିଯାଇଥାଆନ୍ତା । ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ ମିଶି ଭାରତର ଆର୍ଥିକ ଦିଗ ପରିବର୍ତ୍ତନ କରିଦେଇଥିଲେ।

ଅଧିକ ପଢ଼ନ୍ତୁ: Manmohan Singh: ମନମୋହନଙ୍କ ପ୍ରଶ୍ନ: ‘ହମ କୋ ଉନସେ ବଫା କି ହୈ ଉମ୍ମିଦ; ସୁଷମାଙ୍କ ଉତ୍ତର- ‘ୟୁ ହିଁ କୋଇ ବେବଫା ନହିଁ ହୋତା..’

୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ ବିକାଶର ପଥରେ ଆଗେଇ ନେଇଥିଲା । ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟରେ ପଡିଥିଲା । ଗଲ୍ଫରେ ଯୁଦ୍ଧ ହେତୁ ତୈଳ ଦର ଆକାଶଛୁଆଁ ହୋଇଯାଇଥିଲା ଏବଂ ବିଦେଶରେ କାର୍ଯ୍ୟ କରୁଥିବା ଭାରତୀୟଙ୍କଠାରୁ ଆସୁଥିବା ଧନରାଶି ହ୍ରାସ ପାଇଥିଲା ।

ସେ ସମୟରେ ଭାତର ପାଖରେ ମାତ୍ର ଦୁଇ ସପ୍ତାହ ଆମଦାନୀ ପାଇଁ ଅର୍ଥ ବଞ୍ଚିଥିଲା । ହେଲେ ମନମୋହନ ସିଂଙ୍କ ଆର୍ଥିକ ଉଦାରୀକରଣ ନୀତି ପାଇଁ ଦେଶର ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଆସିଥିଲା । ରପ୍ତାନୀ ବୃଦ୍ଧି ସହ ସରକାରୀ ନିୟନ୍ତ୍ରଣକୁ କମାଇବା, ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ବୃଦ୍ଧି କରିବା ଏବଂ ଢାଞ୍ଚାଗତ ସଂସ୍କାର ଲାଗୁ କରିବା ସାମିଲ ରହିଛି, ଯାହା ଭାରତର ଅର୍ଥନୀତିକୁ ବିଶ୍ୱ ବଜାର ସହ ପରିଚିତ କରାଇଥିଲା ।

୧୯୯୧-୧୯୯୨ ବଜେଟରେ ଆସିଲା ନୂତନ ଦିଶା

୨୪ ଜୁଲାଇ ୧୯୯୧ ରେ ଉପସ୍ଥାପିତ ବଜେଟରେ ଅର୍ଥନୈତିକ ସଂସ୍କାର ତ୍ୱରାନ୍ୱିତ ହୋଇଥିଲା । ବଜେଟରେ କର୍ପୋରେଟ୍ ଟ୍ୟାକ୍ସ ବୃଦ୍ଧି କରାଯାଇଥିଲା ଏବଂ TDS ଆରମ୍ଭ ହୋଇଥିଲା । ଏଥିସହ ମ୍ୟୁଚୁଆଲ୍ ପାଣ୍ଠିରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅନୁମତି ଦିଆଯାଇଥିଲା । ଏହି ସଂସ୍କାରଗୁଡ଼ିକ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗର ଦ୍ୱାର ଖୋଲିଥିଲା। ବେସରକାରୀ କ୍ଷେତ୍ର ପାଇଁ ଅନେକ ସାର୍ବଜନୀନ ଶିଳ୍ପ ଖୋଲା ଯାଇଥିଲା ଏବଂ ବିଶ୍ୱ ବାଣିଜ୍ୟରେ ଭାରତ ନିଜର ସ୍ୱତନ୍ତ୍ର ସ୍ଥାନ ପକ୍କା କରିବା ପାଇଁ ସୁଯୋଗ ପାଇଥିଲା । ଏହି ନୀତିଗୁଡ଼ିକୁ ଆଜି ବି ଭାରତର ଆର୍ଥିକ ପ୍ରଗତିର ମୂଳଦୁଆ ଭାବରେ ବିବେଚନା କରାଯାଏ ।

ମନମୋହନ ସିଂଙ୍କର ଆହୁରି ଅନେକ ଉପଲବ୍ଧି ରହିଛି । ଦେଶର ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀ ଥିବାବେଳେ ମନମୋହନ ସିଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ସେଥି ମଧ୍ୟରେ ଥିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)। ୨୦୦୫ରେ ଲାଗୁ ହୋଇଥିବା ଏହି ଅଧିନିୟମ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନ ଯାଏ ନିଶ୍ଚିତ ରୋଜଗାର ଗ୍ୟାରେଣ୍ଟି ପ୍ରଦାନ କରେ । ମନମୋହନ ସିଂ ସରକାର ଏହି ଆଇନ ଆଣି ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ସୁଧାର ଆଣିଥିଲେ । ଏହାସହ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହୋଇଥିଲା ।

ସୂଚନା ଅଧିକାର ଆଇନ (ଆରଟିଆଇ)

୨୦୦୫ ରେ ପାସ ହୋଇଥିବା ଆରଟିଆଇ ନାଗରିକମାନଙ୍କୁ ସାର୍ବଜନୀକ ପ୍ରାଧିକରଣ ଠାରୁ ସୂଚନା ପାଇବାକୁ କ୍ଷମତା ଦେଇଥିଲା, ଯାହା ଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥିଲା ।

 ଅଧାର ବ୍ୟବସ୍ଥା:

ବର୍ତ୍ତମାନ ସମୟରେ ସବୁ କାମ ପାଇଁ ଦରକାର ପଡ଼ୁଥିବା ଆଧାର ପରିଯୋଜନା ପଛରେ ମନମୋହନ ସିଂହ ବଡ଼ ଭୂମିକା ରହିଛି । ତାଙ୍କ କାର୍ଯ୍ୟକାଳ ସମୟରୁ ହିଁ ଦେଶବାସୀଙ୍କୁ ଏକକ ପରିଚୟ ପ୍ରଦାନ କରିବା ପାଇଁ କାମ ଆରମ୍ଭ ହୋଇଥିଲା ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT)

ଡକ୍ଟର ମନମୋହନ ସିଂଙ୍କ ସରକାରରେ Direct Benefit Transfer ସିଷ୍ଟମ ଲାଗୁ ହୋଇଥିଲା, ଯାହା କଲ୍ୟାଣ ବଣ୍ଟନକୁ ସୁଗମ କରିଥିଲା ଏବଂ ଅନେକ ଅସୁବିଧା ଦୂର କରିଥିଲା।

କୃଷି ଋଣ ଛାଡ (୨୦୦୮)

ମନମୋହନ ସିଂଙ୍କ ସରକାରରେ କୃଷକଙ୍କ ହିତ ଦୃଷ୍ଟିରୁ ବଡ଼ ପଦକ୍ଷେପ ନିଆଯାଇଥିଲା । କୃଷି ସଙ୍କଟ ଦୂର କରିବା ପାଇଁ ୬୦,୦୦୦ କୋଟି ଟଙ୍କା ଋଣ ଛାଡ଼ କରାଯାଇଥିଲା ।

ଭାରତ-ଆମେରିକା ପରମାଣୁ ଚୁକ୍ତି

ମନମୋହନ ସିଂଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ମଧ୍ୟରୁ ଗୋଟିଏ ହେଉଛି ଭାରତ-ଆମେରିକା ପରମାଣୁ ବୁଝାମଣା ଉପରେ ଆଲୋଚନା । ଏହି ବୁଝାମଣା ଅନୁସାରେ ଭାରତକୁ ପରମାଣୁ ଯୋଗାଣକାରୀ ସମୂହ (NSG) ଠାରୁ ଆଶ୍ୱସ୍ତି ମିଳିଥିଲା । ଭାରତକୁ ନିଜ ନାଗରିକ ଏବଂ ସୈନ୍ୟ ପରମାଣୁ କାର୍ଯ୍ୟକ୍ରମକୁ ଅଲଗା କରିବା ପାଇଁ ଅନୁମତି ମିଳିଥିଲା । ଚୁକ୍ତି ଅନୁଯାୟୀ ଭାରତକୁ ଏହି ଟେକ୍ନୋଲୋଜି ଥିବା ଦେଶରୁ ୟୁରାନିୟମ ଆମଦାନୀ କରିବାକୁ ଅନୁମତି ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ସେ ଥିଲେ ଅପ୍ରତ୍ୟାଶିତ ପ୍ରଧାନମନ୍ତ୍ରୀ, ସେ ଥିଲେ ଅର୍ଥନୈତିକ ସଂସ୍କାରକ; ଆରପାରିରେ ମନମୋହନ ..