ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ..ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ତାଙ୍କର ଅବର୍ତ୍ତମାନରେ ମନେ ପଡ଼ିଯାଏ ଅନେକ କଥା । ସେ ଜଣେ ଭଲ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ନୁହେଁ..ଏସବୁର ଊର୍ଦ୍ଧ୍ୱରେ ସେ ଥିଲେ ଜଣେ ଭଲ ମଣିଷ । ସ୍ୱଭାବରେ ଥିଲେ ଲାଜକୁଳା..ଚୁପଚାପ..କମ କଥା କହୁଥିବା ଜଣେ ଭଦ୍ର, ଅମାୟିକ ବ୍ୟକ୍ତିତ୍ୱ । ହେଲେ ଥଟ୍ଟାମଜା..ସଙ୍ଗୀତ ସାଏରୀରେ ବି କମ ନ ଥିଲେ । ସଂସଦ ଭବନରେ ସୁଷମା ସ୍ୱରାଜ ଆଉ ମନମୋହନ ସିଂହଙ୍କ ସାଏରୀ.. ସାଏରୀ ରେ ବାକଯୁକ୍ତି ଆଜି ବି ଶୁଣିଲେ ବେଶ ମଜା ଲାଗେ ।
ସାଏରୀରେ ମନମୋହନଙ୍କ ପ୍ରଶ୍ନ ଓ ସୁଷମାଙ୍କ ଉତ୍ତର
ସବୁବେଳେ ସିଧା ସିଧା ଉତ୍ତର ଦେଉଥିବା ମନମୋହନଙ୍କ କଥା ବା ଭାଷଣରେ କେବେ ସାଏରୀ..କବିତା ଶୁଣିବାକୁ ମିଳି ନ ଥାଏ । ୧୫ତମ ଲୋକସଭା ଚାଲିଥାଏ । ଶାସକ ଦଳରେ କଂଗ୍ରେସ ଆଉ ବିରୋଧୀ ଆସନରେ ବିଜେପି । ମନମୋନହ ସିଂହ ପ୍ରଧାନମନ୍ତ୍ରୀ ଏବଂ ସ୍ୱର୍ଗତ ସୁଷମା ସ୍ୱରାଜ ବିରୋଧୀ ଦଳ ନେତ୍ରୀ । ସଂସଦରେ ଅନେକ ସମୟରେ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ସ୍ଥିତି ଦେଖିବାକୁ ମିଳେ ।
ଥରେ ମନମୋହନ ସିଂହ ବିପକ୍ଷ ବିଜେପିକୁ ଟାର୍ଗେଟ କରି ମିର୍ଜା ଗାଲିବଙ୍କ ସାଏରୀ ପଢିଲେ । ‘ହମ କୋ ଉନସେ ବଫା କି ହୈ ଉମ୍ମିଦ..ଯୋ ନହିଁ ଜାନତେ ବଫା କ୍ୟା ହୈ..’
ଏହାର ଉତ୍ତର ରଖିଥିଲେ ସୁଷମା ସ୍ୱରାଜ । କହିଥିଲେ, ସାଏରୀର ଉତ୍ତର ଯଦି ସାଏରୀରେ ଦିଆ ନ ଯାଏ ତେବେ ଋଣ ବାକି ରହିଯିବ । ଏହା ପରେ ସେ ବଶୀର ବନ୍ଦ୍ରଙ୍କର ଏକ ସାଏରୀ ପଢିଥିଲେ । ‘କୁଛ ତୋ ମଜବୁରିଆ ରହି ହୋଙ୍ଗି..ୟୁ ହିଁ କୋଇ ବେବଫା ନହିଁ ହୋତା..’
ଏହାପରେ ସୁଷମା ଦ୍ୱିତୀୟ ଶାଏରୀ ପଢିଥିଲେ । କହିଥିଲେ, ‘ ତୁମ୍ହେ ବଫା ୟାଦ ନହିଁ, ହମେ ଜଫା ୟାଦ ନହିଁ..... ଜିନ୍ଦଗୀ ଔର ମୌତ କେ ଦୋ ହି ତରାନେ ହୈ, ଏକ ତୁମ୍ହେ ୟାଦ ନହିଁ.. ଏକ ହମେ ୟାଦ ନହିଁ..’ । ଏହା ପରେ ଗୃହରେ ଉପସ୍ଥିତ ସଦସ୍ୟ ନିଜର ହସ ରୋକି ପାରିନଥିଲେ ।
ଏ ଥିଲା ଗୋଟିଏ ଦିନର ସାଏରୀ ଯୁଦ୍ଧ । ୨୦୧୧ରେ ସଂସଦରେ ଏମିତି ଆଉ ଏକ ଦିନ ଆସିଥିଲା ଯେଉଁଦିନ ମୁହାଁମୁହିଁ ହୋଇଥିଲେ ମନମୋହନ-ସୁଷମା । ହୋଇଥିଲା ସାଏରୀ ଯୁଦ୍ଧ । ମନଭରି ଉପଭୋଗ କରୁଥିଲେ ଉପସ୍ଥିତ ସାଂସଦ । ମନମୋହନ ଇକବାଲଙ୍କା ଏକ ଶାଏରୀ ପଢିଥିଲେ । ‘ମାନା କି ତେରେ ଦୀଦ କେ କାବିଲ ନହିଁ ହୁଁ ମେ..ତୁ ମେରା ଶୌକ ତ ଦେଖ..ମେରା ଇନ୍ତଜାର ଦେଖ..’
ସୁଷମା ସ୍ୱରାଜ ପ୍ରତ୍ୟୁତ୍ତର ରଖିଥିଲେ । ‘ନା ଇଧର-ଉଧର କୀ ତୁ ବାତ କର, ୟେ ବତା କି କାଫିଲା କ୍ୟୁଁ ଲୁଟା । ହମେଁ ରହଜନୋଁ ସେ ଗିଲା ନହିଁ..ତେରୀ ରହବରୀ କା ସବାଲ ହୈ..’
ସମୟର ସୁଅରେ ଦୁହେଁ ଅନେକ ଦୂର ଚାଲି ଯାଇଛନ୍ତି । ଅନେକ ପୂର୍ବରୁ ଚାଲି ଯାଇଥିଲେ ସୁଷମା ସ୍ୱରାଜ ଆଉ ଗତକାଲି ଚାଲିଗଲେ ମନମୋହନ । ହେଲେ ଏ ସ୍ମୃତି ମନେ ରହିବ ସବୁଦିନ ।
माना कि तेरी दीद के क़ाबिल नहीं हूँ मैं
— शून्य (@ShoonyaPoetry) December 26, 2024
तू मेरा शौक़ देख मिरा इंतिज़ार देख…
विनम्र श्रद्धांजलि #ManmohanSingh जी🌸 pic.twitter.com/KJZxIiBBFt
ବନ୍ଧୁବତ୍ସଳ ଥିଲେ ମନମୋହନ
ମନମୋହନ ସିଂହଙ୍କର ଜନ୍ମ ୧୯୩୨ ସେପ୍ଟେମ୍ବର ୨୬ରେ ଅଭିବକ୍ତ ଭାରତ (ଏବେର ପାକିସ୍ତାନ)ରେ ହୋଇଥିଲା । ୧୯୪୭ ଦେଶ ବିଭାଜନ ହେଲା ସେ ଭାରତ ଚାଲି ଆସିଲେ । ଏଠାରେ ତାଙ୍କର ଶିକ୍ଷା ଆଗକୁ ବଢିଥିଲା । ହେଲେ ନିଜ ଗାଁ, ପିଲାଦିନର ବନ୍ଧୁମାନଙ୍କୁ ଭୁଲି ନ ଥିଲେ । ମନେ ମନେ ଝୁରୁଥିଲେ ସେମାନଙ୍କୁ ।
ମନମୋହନ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତାଙ୍କର ପୈତୃକ ଗାଁରେ ଖବର ପହଞ୍ଚି ଯାଇଥିଲା । ସମସ୍ତେ ଖୁସିରେ ନାଚି ଉଠିଥିଲେ । ସେଠାରେ ତାଙ୍କର ଜଣେ ବନ୍ଧୁ ରାଜା ମହମ୍ମଦ ଅଲି ଆଜି ବି ଅଛନ୍ତି । ୨୦୦୮ରେ ବନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲେ ।
ପିଲାଦିନର ବନ୍ଧୁଙ୍କୁ ଦେଖି ଖୁସିରେ ଗଦଗଦ ହୋଇ ଯାଇଥିଲେ ମନମୋହନ ସିଂହ । ରାଜା ମହମ୍ମଦ ମନମୋହନଙ୍କୁ ତାଙ୍କ ଗାଁର ଏକ ଫଟୋ ଉପହାର ଦେଇଥିଲେ । ପ୍ରତିବଦଳରେ ମନମୋହନ ତାଙ୍କୁ ଏକ ପଗଡି, ଏକ ଶାଲ, ଏକ ଟାଇଟନ ଘଡ଼ି ଉପହାର ଦେଇଥିଲେ ।
ପିଲାଦିନୁ ମା’ଙ୍କୁ ହରାଇଥିଲେ..ମନେ ନଥିଲା ଜନ୍ମ ତାରିଖ
ମନମୋହନ ସିଂ ତିନିମାସ ତଳେ ତାଙ୍କର ୯୨ତମ ଜନ୍ମଦିନ ପାଳନ କରିଥିଲେ । କୁହାଯାଏ, ତାଙ୍କର ଜନ୍ମ ଦିନ ପ୍ରକୃତରେ କେଉଁ ଦିନ କେହି ଠିକରେ ଜାଣନ୍ତି ନାହିଁ । ବହୁତ କମ ବୟସରୁ ମନମୋହନ ତାଙ୍କ ମା’ଙ୍କୁ ହରାଇଥିଲେ । ଜେଜେମା’ ତାଙ୍କର ଲାଳନପାଳନ କରିଥିଲେ । ପ୍ରଥମେ ସେ ଯେତେବେଳେ ସ୍କୁଲରେ ନାଁ ଲେଖାଇବାକୁ ଯାଇଥିଲେ ସେତେବେଳେ ତାଙ୍କର ଜନ୍ମ ତାରିଖ ସେପ୍ଟେମ୍ବର ୨୬ ବୋଲି ଲେଖିଥିଲେ । ହେଲେ ପ୍ରକୃତରେ ମନମୋହନଙ୍କ ପ୍ରକୃତ ଜନ୍ମ ତାରିଖ ତାଙ୍କର ମନେ ନ ଥିଲା । ଯାହା ବି ହେଉ, ସ୍କୁଲ ସାର୍ଟିଫିକେଟ ତାରିଖ ହିଁ ତାଙ୍କର ଜନ୍ମତାରିଖ ହୋଇଥିଲା ।
ଅଭାବ ଭିତରେ କଟିଥିଲା ପିଲାଦିନ
ମନମୋହନଙ୍କ ପିଲାଦିନ ଖୁବ ଅଭାବ ମଧ୍ୟରେ କଟିଥିଲା । ପାକିସ୍ତାନର ଯେଉଁ ଇଲାକାରେ ତାଙ୍କର ଘର ଥିଲା ତାହା ଏକ ପଛୁଆ ଇଲାକା ଥିଲା । ସେଠାରେ ସ୍କୁଲ ନ ଥିଲା କି ବିଜୁଳି ବି ନ ଥିଲା । ପିଲାଦିନେ କିରୋସିନ ଲ୍ୟାମ୍ପରେ ସେ ପାଠ ପଢିଥିଲେ । ମାଇଲ ମାଇଲ ବାଟ ଚାଲି ଚାଲି ସ୍କୁଲ ଯାଉଥିଲେ ।
ଭାରି ଲାଜକୁଳା ଥିଲେ
ପିଲାଦିନେ ଭାରି ଲାଜକୁଳା ଥିଲେ ମନମୋହନ । ବିବିସିର ଜଣେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏମିତି ଏକ ଘଟଣାର ସ୍ମୃତି ଚାରଣ କରିଥିଲେ । କେମ୍ବ୍ରିଜରେ ପଢିଲାବେଳେ ସେ ଏକମାତ୍ର ଶିଖ ଥିଲେ । ସେଠାରେ ସେ ସବୁବେଳେ ଥଣ୍ଡା ପାଣିରେ ଗାଧଉଥିଲେ । ଏହା ପଛରେ ଏକ ରୋଚକ କାହାଣୀ ରହିଛି । କଥା ହେଲା, ଲମ୍ବା ବାଳ ଯୋଗୁ ସବୁବେଳେ ସେ ସଙ୍କୋଚ ଅନୁଭବ କରୁଥିଲେ । ଅନ୍ୟମାନଙ୍କ ସମ୍ମୁଖରେ ତାଙ୍କର ଲମ୍ବାବାଳ ଦେଖାଇବାକୁ ଚାହୁଁ ନ ଥିଲେ । ସେଥିପାଇଁ ସେ ସମସ୍ତଙ୍କ ସମ୍ମୁଖରେ ଗାଧୋଇବାକୁ ଯାଉ ନ ଥିଲେ । ସବୁପିଲା ଯେତେବେଳେ ଗରମ ପାଣି ପାଇଁ ଲମ୍ବା ଲାଇନରେ ଛିଡ଼ା ହେଉଥିଲେ ସେତେବେଳେ ସେ ସମସ୍ତଙ୍କ ପଛରେ ରହୁଥିଲେ । ତାଙ୍କ ବେଳକୁ ଗରମ ପାଣି ଶେଷ ହୋଇ ଯାଉଥିଲା । ଆଉ ତା ପରେ ସେ ଅଲଗା ସ୍ଥାନରେ ଥଣ୍ଡାପାଣିରେ ଗାଧୋଉଥିଲେ ।
ନେହରୁଙ୍କ ଅନୁରୋଧ ଏଡାଇ ଦେଇଥିଲେ
ରାଜନୀତିରେ ପ୍ରବେଶ କରିବା ପାଇଁ ତାଙ୍କୁ ବହୁତ ପୂର୍ବରୁ ସୁଯୋଗ ମିଳିଥିଲା । ହେଲେ ମନମୋହନ ଏହାକୁ ଏଡ଼ାଇ ଦେଇଥିଲେ । ୧୯୬୨ରେ ଜବାହରଲାଲ ନେହରୁ ମନମୋହନଙ୍କୁ ତାଙ୍କ ସରକାରରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ । ହେଲେ ମନମୋହନ ଏହି ଆମନ୍ତ୍ରଣକୁ ଗ୍ରହଣ କରି ନ ଥିଲେ । ସେତେବେଳେ ସେ ଅମୃତସର କଲେଜରେ ଅଧ୍ୟାପକ ଥିଲେ । ସେ ଅଧ୍ୟାପନା ଛାଡିବାକୁ ସେତେବେଳେ ପ୍ରସ୍ତୁତ ନ ଥିଲେ ।