• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାଲିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନମୋହନ ସିଂହ । ପରଲୋକ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି କରି ସୂଚନା ଦେଇଛି । ରାତି ୯.୫୧ରେ ମନମୋହନ ସିଂହ ମୃତ୍ୟୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ରିଲିଜ୍‌ କହୁଯାଇଛି କି ବୟସାଧିକ କାରଣରୁ ହଠାତ୍ ଅସୁସ୍ଥ ପରେ ଆଜି ରାତି ୮.୦୬ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ରାତି ୯.୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ ।

ସୂଚନା ଅନୁସାରେ ୧୯୯୦ ମସିହାରେ ମନମୋହନ ସିଂହଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ୨୦୦୪ରେ ଷ୍ଟେଣ୍ଟ୍ ଲଗାଯାଇଥିଲା । ଏହା ପରେ, ସେ ୨୦୦୯ରେ ପୁନର୍ବାର ହାର୍ଟ ସର୍ଜରୀ କରିଥିଲେ।

ଡକ୍ଟର ମନମୋହନ ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ପୃଷ୍ଠଭୂମିରୁ ଆସି ମନମୋହନ ସିଂହ ତାଙ୍କ ଜୀବନରେ ଶିକ୍ଷା, ଅର୍ଥନୀତି ଏବଂ ରାଜନୀତିରେ ଅସାଧାରଣ ସଫଳତା ହାସଲ କରିଥିଲେ । ଡକ୍ଟର ମନମୋହନ ସିଂହ ୧୯୪୮ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ୧୯୫୭ ମସିହାରେ କେମ୍ବ୍ରିଜ ୟୁନିଭରସିଟି (ୟୁକେ)ରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଅକ୍ସଫୋର୍ଡ ୟୁନିର୍ଭସିଟିର ନଫିଲ୍ଡ କଲେଜରୁ ଅର୍ଥନୀତିରେ ଡି.ଫିଲ ଡିଗ୍ରୀ ହାସଲ କରିଥିଲେ ।

୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରରେ ଯୋଗ ଦେଇଥିଲେ ଏବଂ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା ହୋଇଥିଲେ । ୧୯୭୨ରେ, ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ସେ ଅର୍ଥ ମନ୍ତ୍ରଣାଳୟର ସଚିବ, ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।

୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟ ମଧ୍ୟରେ ସେ ଅର୍ଥନୈତିକ ସଂସ୍କାରର ଏକ ବିସ୍ତୃତ ନୀତି ପ୍ରଣୟନ କରିଥିଲେ, ଯାହା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଏହି ସଂସ୍କାର ଭାରତକୁ ଅର୍ଥନୈତିକ ସଙ୍କଟରୁ ବାହାର କରି ଏକ ନୂତନ ଦିଗ ଦେଇଥିଲା । ଡକ୍ଟର ମନମୋହନ ସିଂହ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ସେ ଆସାମକୁ ପାଞ୍ଚ ଥର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୧୯ରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ । ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ, ଯେତେବେଳେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିଲା, ସେତେବେଳେ ଡକ୍ଟର ସିଂହ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ । ସେ ୧୯୯୯ରେ ଦକ୍ଷିଣ ଦିଲ୍ଲୀରୁ ଲୋକସଭା ନିର୍ବାଚନ ​​ମଧ୍ୟ ଲଢ଼ିଥିଲେ । କିନ୍ତୁ ବିଜୟର ସ୍ୱାଦ ଚାଖି ପାରିନଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now