• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବା ଲାଗି ଦ୍ରୌପଦୀ ମୁର୍ମୁଙ୍କ ଲାଗି ପରିଷ୍କାର ହୋଇଛି ରାସ୍ତା । ବିପୁଳ ଭୋଟ ବ୍ୟବଧାନରେ ସେ ବିଜୟୀ ହେବା ଆଶା ଉଜ୍ୱଳ ହୋଇଛି । କାରଣ ଏନଡିଏ ଭୋଟ ସମେତ ତାଙ୍କୁ ମିଳିଛି ବିଜେଡି, ୱାଇଏସଆର କଂଗ୍ରେସ,ଶିବସେନା, ବିଏସପି, ଟିଡିପି, ଜେଡିଏସ୍ ଓ ସିରୋମଣୀ ଅକାଳୀ ଦଳର ଭୋଟ୍ । ତେବେ ଏହା ବ୍ୟତିତ ଦଳୀୟ ନିଷ୍ପତ୍ତି ବାହାରେ ତାଙ୍କୁ ସମର୍ଥନ କରିଛନ୍ତି ଆହୁରି ଅନେକ ବିଧାୟକ । ଓଡିଶା ଓ ହରିଆଣାର ଜଣେ ଲେଖାଏଁ କଂଗ୍ରେସ ବିଧାୟକ ଏବଂ ଗୁଜରାଟ ଓ ଝାଡଖଣ୍ଡର ଜଣେ ଲେଖାଏଁ ଏନସିପି ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ ଦେଇଥିବା ଖୋଲାଖୋଲି କହିଛନ୍ତି ।

ଦ୍ରୌପଦୀ ଓଡ଼ିଶାର ଝିଅ ହୋଇଥିଲେ ମଧ୍ୟ ରାଜ୍ୟ କଂଗ୍ରେସ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା ତେବେ ପାର୍ଟି ବଦଳରେ ମାଟି ସପକ୍ଷରେ ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଦଳର ବରିଷ୍ଠ ବିଧାୟକ ମହମ୍ମଦ ମୋକିମ୍ । ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ହ୍ୱିପର ବ୍ୟବସ୍ଥା ନଥିବା ବେଳେ ସଦସ୍ୟମାନେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେଇପାରିବେ । ଦ୍ରୌପଦୀ ମାଟିର ଝିଅ ହୋଇଥିବାରୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ଉଚିତ୍ ଭାବିଲେ ବୋଲି କହିଛନ୍ତି ମୋକିମ୍ ।

ହରିଆଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋୟୀ ମଧ୍ୟ ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ପୂର୍ବରୁ ଗତମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନ ବେଳେ ବି ସେ କ୍ରସ ଭୋଟିଂ କରିଥିଲେ । ଝାଡଖଣ୍ଡରେ ଏନସିପି ବିଧାୟକ କମଲେଶ ସିଂ ଓ ଗୁଜରାଟର ଏନସିପି ବିଧାୟକ କନ୍ଧଳ ଜାଡେଜା ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି । ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗର ବହୁ ସାଂସଦ ଓ ବିଧାୟକମାନେ ବି ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟି କରିଥିବା କୁହାଯାଉଛି ।

କେବଳ ଆସାମର ୨୦ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା AIUDF ବିଧାୟକ କରିମୁଦ୍ଦିନ ବାର୍ଭୁୟା ଦାବି କରିଛନ୍ତି । ସେହିପରି ଭାଇ ମୁଲାୟମ ସିଂହ ଯାଦବଙ୍କୁ ଆଇଏସଆଇ ଏଜେଣ୍ଟ ଆଖ୍ୟା ଦେଇଥିବାରୁ ସେ କେବେ ବି ଯଶବନ୍ତଙ୍କୁ ଭୋଟ ଦେବେନି ବୋଲି କହିଥିଲେ ସମାଜବାଦୀ ପାର୍ଟି ବିଧାୟକ ଶିବପାଲ ଯାଦବ । ତେଣୁ ଦ୍ରୌପଦୀ ବିପୁଳ ଭୋଟ ବ୍ୟବଧାନରେ ଜିତିବା ଆଶା କରାଯାଉଛି । ତେବେ ବାସ୍ତବରେ କେତେ ସାଂସଦ ଓ ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ ମତଦାନ କରିଛନ୍ତି ଭୋଟ ଗଣତି ପରେ ହିଁ ତାହା ସ୍ପଷ୍ଟ ହେବ ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ଜିତିବା ନିଶ୍ଚିତ ଥିବା ବେଳେ ରେକର୍ଡ ଭୋଟ ମିଳିବା ଆଶାରେ ରହିଛି ବିଜେପି । ରାମନାଥ କୋବିନ୍ଦଙ୍କ ଠାରୁ ବି ଦ୍ରୌପଦୀ କିଭଳି ଅଧିକ ଭୋଟ ପାଇବେ । ସେନେଇ ଦଳ ପକ୍ଷରୁ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଥିଲା । ବ୍ୟାପକ କ୍ରସ ଭୋଟିଂର ସୂଚନା ମିଳିବା ପରେ ଦଳର ରଣନୀତ ସଂପୂର୍ଣ୍ଣ ସଫଳ ହେବାକୁ ଯାଉଥିବା କୁହାଯାଉଛି।