• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରେସମିଟରେ ଦ୍ରୌପଦୀଙ୍କ ନାଁ ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶାର ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ । ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ଥିଲେ ଦ୍ରୌପଦୀ ।

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ । ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଏହାପରେ ରାଇରଙ୍ଗପୁରଠାରେ ଥିବା ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଛନ୍ତି ।

୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ । ୧୯୯୭ରେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ସେ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ସେ ।  ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି ।

ଅନ୍ୟପଟେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ମେଣ୍ଟ । ଯଶୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ମିଳିତ ବିରୋଧୀ ଦଳର ବୈଠକରେ ସିହ୍ନାଙ୍କ ନାଁ ଚୂଡ଼ାନ୍ତ ହୋଇଛି । ପ୍ରେସମିଟରେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେ ଏହି ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା ।

ଏନସିପି ନେତା ଶରଦ ପାୱାରଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଏକାଠି ମିଶି ଏନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରରେ ଯଶୱନ୍ତ ସିହ୍ନା ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ।

ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ସେ ସୂଚାରୁ ରୂପେ ତୁଲାଇଥିଲେ । ଏହାପରେ ଦୀର୍ଘଦିନ ଧରି ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଥିଲେ । ୨୦୧୮ରେ ବିଜେପିରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିଲେ । ୨୦୨୧ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ସାମିଲ ହେବାପରେ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ।