• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ ଅଳଙ୍କୃତ କରିଥିବା ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଥିଲା ମୂଳରୁ ସଂଘର୍ଷମୟ ଏତେ ସହଜ ନଥିଲା ଆସନ୍ତୁ ଜାଣିବା ଶିକ୍ଷୟିତ୍ରୀରୁ ନେତ୍ରୀ ହୋଇଥିବା ଦ୍ରୌପଦୀଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନର କିଛି ଜଣାଅଜଣା ଅଧ୍ୟାୟ ଉପରେ ...

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ପ୍ରାୟ ୬୦ ବର୍ଷ ତଳେ ଏକ ନିପଟ ମଫସଲ ଗାଁ ଥିଲା । ସେଭଳି ଏକ ଗାଁ ବାଇଡ଼ାପୋସିରେ ୧୯୫୮ ଜୁନ୍ ୨୦ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ଏହାପରେ ନିକଟସ୍ଥ ଉପରବେଢ଼ା ସ୍କୁଲରେ ସପ୍ତମ ଯାଏଁ ପଢ଼ି, ସାନ୍ତାଳ ସଂପ୍ରଦାୟର ଛୋଟିଆ ଝିଅଟି ନିଜ କାକାଙ୍କ ସହ ଚାଲିଆସିଥିଲା ଭୁବନେଶ୍ୱର । ୟୁନିଟ-୨ ଗାର୍ଲସ ହାଇସ୍କୁଲରେ ନାଁ ଲେଖାଇଥିଲା । ସହର ନୂଆ, ସ୍କୁଲ ନୂଆ, ସାଙ୍ଗସାଥି ବି ନୂଆ । ଏଇଠି ହଷ୍ଟେଲରେ ରହି ଅଷ୍ଟମରୁ ଏକାଦଶ ଯାଏଁ ପଢ଼ିଥିଲେ । ଓ ୧୯୭୪ରେ ମାଟ୍ରିକ୍ ପାସ୍ କରିଥିଲେ ଦ୍ରୌପଦୀ।

ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟର୍ରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ଛାତ୍ରୀ ଜୀବନରେ ବି ଦ୍ରୌପଦୀ କେତେ ମେଳାପୀ ଥିଲେ, ସେସଂପର୍କରେ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ସ୍କୁଲ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ । ଏନେଇ ସେ କହିଛନ୍ତି, ‘ଦ୍ରୌପଦୀ ହିଁ ତାଙ୍କ ସ୍ୱାମୀଙ୍କୁ ଅକ୍ଷର ଚିହ୍ନାଇଥିଲେ, ପାଠ ପଢ଼ାଇଥିଲେ’ ।

ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି । ରମାଦେବୀ ମହିଳା ମହାବିଦ୍ୟାଳୟରେ ଆଉ ଏବେ ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କର ସ୍କୁଲଠୁ ନେଇ ହାଇସ୍କୁଲ ଓ କଲେଜ ଯାଏଁ, ସବୁଠି ଉତ୍ସାହ ଓ ଉତ୍ସବର ପରିବେଶ ।

ପାଠପଢ଼ା ପରେ ଅଳ୍ପ କିଛି ଦିନ ଜଳସେଚନ ବିଭାଗରେ କିରାଣୀ ଚାକିରି କରିଥିଲେ ବି ଦ୍ରୌପଦୀଙ୍କ ମନ ଲାଗିନଥିଲା । ରାଜଧାନୀରେ ସେ ପୁଣି ନିଜ ଜନ୍ମମାଟି ରାଇରଙ୍ଗପୁରକୁ ବାହୁଡ଼ି ସେଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୧୯୯୪ରୁ ୯୭ ଯାଏଁ ଶିକ୍ଷକତା କରିଥିଲେ ।

ଶିକ୍ଷକତାରୁ ପରେ ରାଜନୀତିକୁ ଆସିଥିଲେ ବି, ଦ୍ରୌପଦୀଙ୍କୁ ଜୀବନର ସବୁଠୁ ଦାରୁଣ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା, ଯେତେବେଳେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ସହ ଅବେଳରେ ୨ ପୁଅ ଲକ୍ଷ୍ମଣ ଓ ସିପୁନଙ୍କୁ ହରେଇଲେ । ଏହାପରେ ନିଃସଙ୍ଗ ଜୀବନରୁ ମୁକ୍ତି ପାଇଁ ନିଜ ଶ୍ୱଶୁର ଘର ଗାଁ ପାହାଡ଼ପୁରରେ ଦ୍ରୌପଦୀ  SLS ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏବେ ତାଙ୍କର ପରପିଢ଼ି କହିଲେ ଏକମାତ୍ର ଝିଅ ଇତିଶ୍ରୀ ।

ଏହା ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନର କଥା ଓ ବ୍ୟଥା ଥିଲା । ରାଜନୈତିକ ଜୀବନ ଉପରେ ନଜର ପକାଇଲେ ଦ୍ରୌପଦୀ ୧୯୯୭ରେ ବିଜେପିରେ ଯୋଗ ଦେବା ସହ ରାଇରଙ୍ଗପୁର ଏନ୍ଏସିରେ କାଉନ୍ସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ନିଜ ହୋମ୍ ଗ୍ରାଉଣ୍ଡରୁ ୨ଥର ନିର୍ବାଚିତ ହୋଇ ୨୦୦୦ରୁ ୨୦୦୯ ଯାଏଁ ବିଧାୟକ ଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୨- ବାଣିଜ୍ୟ ଓ ପରିବହନ ଏବଂ ୨୦୦୨ରୁ ୦୪- ମତ୍ସ୍ୟ ଓ ପ୍ରାଣୀ ସଂପଦ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ଦ୍ରୌପଦୀ। ଏହାପରେ ସେ ୨୦୧୫ରୁ ୨୦୨୧ ଯାଏଁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୁଯୋଗ ପାଇଥିଲେ । ଝାଡ଼ଖଣ୍ଡରେ ୬ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ମଧ୍ୟ ସେ ପ୍ରଥମ ରାଜ୍ୟପାଳ ।

ତେବେ ଦ୍ରୌପଦୀ ମୁର୍ମୁ ରାଇସିନା ହିଲ୍‌କୁ ନିର୍ବାଚିତ ହୋଇ ଦେଶର ପ୍ରଥମ ଆଦିବାସୀ ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।