/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719066083.jpg)
Double blow for BJD
ଯେହେତୁ ଦଳ କ୍ଷମତାରେ ଥିଲା ତେଣୁ କେହି କିଛି କହୁ ନଥିଲେ। ମନରେ ବିଦ୍ରୋହ ଥିଲା,ଦଳରେ କନ୍ଦଳ ଥିଲା, ହେଲେ ମୁହଁ ଖୋଲୁନଥିଲେ । ଯାହା କରୁଥିଲେ ଭିତରେ ଭିତରେ । ୨୪ ନିର୍ବାଚନରେ ପରାଜୟର ଏହା ବି ଏକ କାରଣ କୁହାଯାଉଥିବା ବେଳେ ପୁଣି କଟକ, ଭୁବନେଶ୍ୱର ମହାନଗର ନିଗମ କମିଟି ଅଧ୍ୟକ୍ଷ ନିର୍ବାଚନରେ ଆସିଛି ଗୋଷ୍ଠୀ କନ୍ଦଳର ସାଂଘାତିକ ଚିତ୍ର। କେଉଁଠି କମିଟି ଅଧ୍ୟକ୍ଷ ପାଇଁ ବିଜେଡି-ବିଜେଡି ଭିତରେ ଲଢେଇ ତ ଆଉ କେଉଁଠି ଦଳୀୟ ପ୍ରାର୍ଥୀ ଥାଇ ବି ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ବିଜେଡି କର୍ପୋରେଟର।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ। କଟକ ମହାନଗର ନିଗମରେ ଗତକାଲି ଥିଲା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ। ଆଉ ଗୋଷ୍ଠୀ କନ୍ଦଳ ପାଇଁ ଦଳକୁ ଲାଗିଛି ଡବଲ ଝଟ୍କା । ହାତରୁ ଯାଇଛି ଦୁଇ ଦୁଇଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ। ରାଜ୍ୟରେ କ୍ଷମତାକୁ ଆସୁ ଆସୁ କଟକ ମହାନଗର ନିଗମରେ ଧସେଇ ପଶି ବିଜେପି ଦଖଲ କରିଛି ଏଷ୍ଟାବ୍ଲିସମେଣ୍ଟ କମିଟି। ଏହି କମିଟିରେ ୭ ସଦସ୍ୟଙ୍କ ଭିତରୁ ବିଜେଡିର ୩, ବିଜେପିର ଦୁଇ ଏବଂ କଂଗ୍ରେସ ଓ ସ୍ୱାଧୀନ ଜଣେ ଲେଖାଏଁ ଥିଲେ ବି ବିଜେପିର ରାକେଶ ସ୍ୱାଇଁ ଏହି ପଦବି ହାତେଇଛନ୍ତି।
ବିଡ଼ମ୍ବନାର କଥା ହେଲା, ଆଉ ଗୋଟିଏ କମିଟିରେ ୭ ଜଣଙ୍କରୁ ବିଜେଡିର ୪ ସଦସ୍ୟ ଥାଇ ବି ଦଳ ନିର୍ବାଚନ ହାରିଛି। ଆଉ ବାଜି ମାରିଛନ୍ତି ଜଣେ ସ୍ୱାଧୀନ କର୍ପୋରେଟର। ପ୍ଲାନି ଷ୍ଠାଣ୍ଡିଂ କମିଟି ଅଧ୍ୟକ୍ଷ ପାଇଁ ନିର୍ବାଚନରେ ୭ ସଦସ୍ୟଙ୍କ ମଧ୍ୟରୁ ବିଜେଡି ପାଖରେ ୪, ବିଜେପି, କଂଗ୍ରେସ ଏବଂ ସ୍ୱାଧୀନ ଜଣେ ଲେଖାଏଁ ସଦସ୍ୟ ଥିଲେ। ହେଲେ ବିଜେପି ଓ କଂଗ୍ରେସ ସହ ବିଜେଡିର ୨ ଭୋଟ୍ ସ୍ୱାଧୀନ ପ୍ରାର୍ଥୀ ପ୍ରଦୀପ ରାଉତଙ୍କ ପାଖକୁ ଯିବାରୁ ସେ ବିଜୟୀ ହୋଇଥିଲେ। ଆହୁରି ବିଡମ୍ବନାର କଥା ହେଲା ବିଜୟ ପରେ ପ୍ରଦୀପଙ୍କୁ ବିଜେଡି ନେତା କହି ସେହି କମିଟି ବିଜେଡି ଅକ୍ତିଆରରେ ରଖିଛନ୍ତି ବୋଲି ମେୟର କହୁଥିବା ବେଳେ କିନ୍ତୁ ପ୍ରକାଶ କହିଛନ୍ତି ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଛି ବିଜେଡି ସହ କିଛି ଲିଙ୍କ ନାହିଁ । ଏହାପରେ ଦଳରେ କିଛିଟା ବିଦ୍ରୋହ ଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ସୁବାସ ସିଂ।
ଏଣେ ଭୁବନେଶ୍ୱର ମହାନଗର ନିଗମରେ ତ ସୀମା ଟପିଛି କନ୍ଦଳ। ଏଠି ଷ୍ଟାଣ୍ଡିଂ କମିଟି ଅଧକ୍ଷ ପଦ ପାଇଁ ଦଳ ଭିତରେ ଟଣା ଓଟରା ଦେଖିବାକୁ ମିଳିଥିଲା। ଗୋଟିଏ ପଦବି ପାଇଁ ପ୍ରତିଦ୍ବନ୍ଦ୍ବୀ ସାଜିଲେ ଦଳର ଦୁଇ କର୍ପୋରେଟର। ପବ୍ଲିକ ହେଲ୍ଥ କମିଟି ଅଧ୍ୟକ୍ଷ ପଦବି ପାଇଁ ମୁହାଁମୁହିଁ ହୋଇଥିଲେ ବିରଞ୍ଚି ମହାସୁପକାର ବନାମ ଭରତ ଲେଙ୍କା। ଆଉ କମିଟିର ୭ ଜଣଯାକ ବିଜେଡି ସଦସ୍ୟ ଥାଇ ବି ବିରଞ୍ଚିଙ୍କ ସପକ୍ଷରେ ୪ ଆଉ ଭରତଙ୍କ ସପକ୍ଷରେ ବାହାରିଥିଲେ ୩ କର୍ପୋରେଟର। ଅନ୍ୟ ପଟେ ପବ୍ଲିକ ୱାର୍କ୍ସ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅମରେଶ ଜେନା। ତାଙ୍କ ସ୍ଥାନରେ ଶ୍ରୀଧର ବେହେରା ଅଧକ୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ସାଧାରଣ ନିର୍ବାଚନରେ ଏକାମ୍ରରୁ ଅଶୋକ ପଣ୍ଡା ଏବଂ ମଧ୍ୟରୁ ଅନନ୍ତ ଜେନାଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଥିଲେ ବିରଞ୍ଚି ଆଉ ଅମକେଶ। ତେଣୁ ମହାନଗର କମିଟି ନିର୍ବାଚନରେ ସେମାନଙ୍କୁ ବାହାର କରିବାକୁ ଦୁଇ ନେତାଙ୍କ ଗୋଷ୍ଠୀ ମଧ୍ୟ ଲାଗିଥିବା କୁହାଯାଉଛି।
କଟକ, ଭୁବନେଶ୍ବର ଭଳି ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମରୁ ଏମିତି ଚିତ୍ର ଆସିବା ପରେ ବିଜେଡିର ଚିନ୍ତା ଆହୁରି ବଢି ଯାଉଛି।ଏବେ ଦେଖିବାର କଥା ବିଜେଡିର ଏହି କନ୍ଦଳ ଆଗକୁ କେଉଁ ମୋଡ ନେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)