• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୪ ନିର୍ବାଚନରେ ନିଜ ସିଟ୍ ନେଇ କିଛି ଚକମା ଦେଖାଇବେ କି ନବୀନ? ରାଜନୈତିକ ମହଲରେ ଚର୍ଚ୍ଚା, ଆସନ୍ତା ନିର୍ବାଚନ ନବୀନ ଶ୍ରୀକ୍ଷେତ୍ର ପୁରୀରୁ ଲଢିପାରନ୍ତି । ଏହି ଚର୍ଚ୍ଚାକୁ ଖୋରାକ୍ ଦେଇଛି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ । ରାମକୃଷ୍ଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ । ଗତ ନିର୍ବାଚନରେ ବି ନବୀନ ଦୁଇଟି ଆସନରୁ ଲଢ଼ିଥିବାରୁ ଏଥର ବି ସେହି ଫର୍ମୁଲାରେ ପୁରୀକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏସଂପର୍କରେ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ।

ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା । ଏହା ପୂର୍ବରୁ ୧୯ ନିର୍ବାଚନରେ ଦୁଇ ଦୁଇଟି ବିଧାନସଭା ଆସନରୁ ଲଢିଥିଲେ ମୁଖ୍ୟମନ୍ତ୍ରୀ । ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ । ଆସନ୍ତା ନିର୍ବାଚନରେ ବି ମୁଖ୍ୟମନ୍ତ୍ରୀ ସେହି ଫର୍ମୁଲାରେ ଯାଉଥିବା ଚର୍ଚ୍ଚା ହେଉଛି ।

ହିଞ୍ଜିଳି ବ୍ୟତୀତ ଶ୍ରୀକ୍ଷେତ୍ର ପୁରୀରୁ ମଧ୍ୟ ସେ ଲଢିପାରନ୍ତି ବୋଲି ଆଲୋଚଚନା ଆରମ୍ଭ ହୋଇଛି । କାରଣ ଜଗନ୍ନାଥ ଧାମ ପୁରୀ ଏବେ ରହିଛି ନବୀନ ସରକାରଙ୍କ ଫୋକସରେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଯାହାକି ଡିସେମ୍ବରରେ ଶେଷ ହେବ । ପୁରୀରେ ଅନ୍ୟ ଭିତ୍ତିଭୂମି କାମ ବି ଆଗେଇ ଚାଲିଛି । ଏମିତିକି ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ନବୀନ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ନେଇ ଆଲୋଚନା ବି କରିଥିଲେ । ଏସବୁ ବ୍ୟତୀତ ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ ।

ପୁରୀ ସବୁବେଳେ ବିଜେଡିର ଫୋକସରେ ରହିଆସିଛି । ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ପୁରୀରେ ଆୟୋଜନ କରାଯାଇଛି । କେବେଳ ସେତିକି ନୁହେଁ ଲୋକସେବା ଭବନ ବାହାରେ ପୁରୀରେ ମଧ୍ୟ କ୍ୟାବିନେଟ୍ ବୈଠକର ଆୟୋଜନ ହୋଇଥିଲା । ଏହାସହ ୧୯ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ସବୁଠୁ ବଡ଼ ସ୍କିମ୍  କାଳିଆ ଯୋଜନା ମଧ୍ୟ ପୁରୀରୁ ହିଁ ଆରମ୍ଭ ହୋଇଥିଲା । ଏସବୁ ଘଟଣାକ୍ରମ ଦେଖିଲେ ନବୀନ ପୁରୀରୁ ଲଢିବା ପାଇଁ ଏକ ପ୍ରକାର ଅନୁକୂଳ ପରିବେଶ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ପୁରୀ ଜିଲ୍ଲାରେ ବିଜେପିର ସଙ୍ଗଠନ ମଜଭୁତ୍ ହେବାରେ ଲାଗିଛି ।

ଗତ ନିର୍ବାଚନରେ ପୁରୀ ଓ ବ୍ରହ୍ମଗିରିରେ ଫୁଟିଥିଲା ପଦ୍ମ । ସେହିପରି ପୁରୀ ଲୋକସଭା ଆସନରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ । ସମ୍ବିତ ଲଗାତାର ପୁରୀ ଆସି ଜନସଂପର୍କ ସୁଦୃଢ଼ କରିବାରେ ଲାଗିଛନ୍ତି । ତେଣୁ ବିଜେପିକୁ ଚେକ୍ ଦେବାକୁ ବିଜେଡି ହୁଏତ ନବୀନ କାର୍ଡ ଖେଳିପାରେ । ଏହାବ୍ୟତୀତ ନବୀନ, ଧାର୍ମିକ କ୍ଷେତ୍ରରୁ ଲଢ଼ି ନିଜର ଭାବମୂର୍ତ୍ତିର ଛାପ ଛାଡିବାକୁ ପ୍ରୟାସ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

  • Reported by:
  • MADHUSUDAN MISHRA , HARIHARA CHAND , ARACHANA SATPATHY