• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର ? ପ୍ରଥମେ କେନ୍ଦ୍ର ସରକାରଙ୍କ ଫ୍ଳାଗସିପ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କଲେନି । ଆଉ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାରମ୍ୱାର ଚିଠି ପରେ ବି ଶିକ୍ଷା ଭିତ୍ତିଭୂମି ସଜାଡିବାକୁ ପିଏମ୍‌ଶ୍ରୀ ଯୋଜନା ନେଇ ନୀତି ସ୍ପଷ୍ଟ କରୁନି ରାଜ୍ୟ । ଯାହାକୁ ନେଇ ତେଜିଛି ଶ୍ରେୟ ରାଜନୀତି ।

ପ୍ରଥମେ ଆୟୁଷ୍ମାନ ଭାରତ । ଆଉ ଏବେ ପିଏମ୍ ଶ୍ରୀ । କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଗ୍ରହଣ କରୁନି ଓଡ଼ିଶା । ଘନେଇଲା ଶ୍ରେୟ ରାଜନୀତି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥାର ପରିପନ୍ଥି ବୋଲି କହି ଟାର୍ଗେଟ କଲେ ବିରୋଧୀ । ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମ୍ ଶ୍ରୀ ଯୋଜନା ।

ଅଧିକାଂଶ ରାଜ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଥିବା ବେଳେ ଓଡ଼ିଶା କିନ୍ତୁ ଏଯାଏ ଚୁକ୍ତି ସ୍ୱାକ୍ଷର କରିନାହିଁ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଅନୁରୋଧ କଲେଣି । ଏହାପରେ ବି ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି କହିଛି ଆୟୁଷ୍ମାନ ଭାରତ ଭଳି ପିଏମ୍‌ଶ୍ରୀକୁ ଲାଗୁ ନକରି ବିଜେଡି ସରକାର ଶ୍ରେୟ ନେବାକୁ ଚାହୁଁଛି ।

ଫାଇଭ-ଟି ସ୍କୁଲ୍ ରୁପାନ୍ତୀକରଣର ଅସଲ ଚିତ୍ର ପିଏମ୍‌ଶ୍ରୀ ଲାଗୁ ହେଲେ ଖୋଲିଯିବାର ଭୟ ରାଜ୍ୟ ସରକାରକୁ ଘାରିଥିବାରୁ କେନ୍ଦ୍ର ସହ ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି । ସେପଟେ କଂଗ୍ରେସ କହିଛି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଯୋଜନାର ସୁଫଳ ରାଜ୍ୟବାସୀ ପାଇବା ଉଚିତ । ଏହାକୁ ନେଇ ଶ୍ରେୟ ରାଜନୀତି କରିବା ଠିକ୍ ନୁହେଁ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି ପିଏମ୍‌ଶ୍ରୀ ଯୋଜନାକୁ ନେଇ ସରକାର ତର୍ଜମା କରୁଛନ୍ତି ।

୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍‌ଶ୍ରୀରେ ବ୍ୟବସ୍ଥା ରହିଛି । ଚୁକ୍ତି ସ୍ୱାକ୍ଷରିତ କରିଥିବା ରାଜ୍ୟଠାରୁ ସ୍କୁଲ୍ ତାଲିକା ପାଇବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁଦାନ ଦେବେ ।

ଏଠି ପ୍ରଶ୍ନ, ଯେତେବେଳେ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶର ଆବଶ୍ୟକତା ଅଛି, ଯେତେବେଳେ ଶିକ୍ଷକ ପଦବି ପୂରଣ ଲାଗି ଦାବି ବଢୁଛି, ସେଠି ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି । ସବୁବେଳେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ରାଜ୍ୟ ସରକାର ଶିକ୍ଷାର ଉନ୍ନତି ଲାଗି ପିଏମ୍‌ଶ୍ରୀକୁ କେଉଁ କାରଣ ପାଇଁ ଗ୍ରହଣ କରିବାରେ ବିଳମ୍ୱ କରୁଛନ୍ତି ।

ପୂର୍ବରୁ ପିଏମ୍ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଷ୍ଟିକର ମାରିବା ଓ ରାସନ ଚାଉଳକୁ ନିଜ ଚାଉଳ କହି କେନ୍ଦ୍ର ଯୋଜନାକୁ ହାଇଜାକ୍ କରିବାକୁ ଚେଷ୍ଟା କରିଥିଲା ରାଜ୍ୟ । ତେବେ ଛାତ୍ରଛାତ୍ରୀଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ଶ୍ରୀ ଲାଗୁ କରିବାକୁ କୁଣ୍ଠାବୋଧ କାହିଁକି ।

  • Reported by:
  • JAGDISH DAS , SOUMYA RANJAN SAHOO , ATULYA BOUT