• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋଟ୍ ଗଣତି ପୂର୍ବରୁ ଧାମନଗରରେ ବଢୁଥିବା ହିଂସାକୁ ନେଇ ଚିନ୍ତା । ଶାସକ ଦଳକୁ ଭୋଟ୍ ନଯିବାରୁ ପ୍ରତିହିଂସା ପରାୟଣ ହୋଇ ବିଜେଡି କର୍ମୀ ବିଜେପି ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବାର ଅଭିଯୋଗ ହୋଇଛି, ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଓ ବିଜେଡି ।

ଭୋଟ୍ ପରେ କାଲି ଫଳାଫଳ ଆସିବାକୁ ଯାଉଛି । ଆଉ ଭୋଟ୍ ଗ୍ରହଣ ଦିନ ଭଳି ଧାମନଗରରେ ଭୟରେ ଭୋଟର । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ବେଡରେ ବାପା ଆଉ ଅନ୍ୟ ଏକ ବେଡରେ ତାଙ୍କ ଝିଅ । ତିହିଡ଼ି ତଳ ଗୋପବିନ୍ଧା ଗାଁର ଏକ ପରିବାର ଉପରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ୩୦ରୁ ଅଧିକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେମାନଙ୍କ ଅଭିଯୋଗ ବିଜେଡିକୁ ଭୋଟ୍ ନଦେଇ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ତାରି ଫଳ ମିଳିଛି । ତିହିଡ଼ି ଥାନାରେ ଏନେଇ ଏତଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଜି ହସ୍ପିଟାଲରେ ପୀଡ଼ିତ ପରିବାରକୁ ଭେଟିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେପଟେ ଧାମନଗର ଖପରପଦାରେ ଭାଇରାଲ୍ ହେଉଥିବା ସ୍ଥାନୀୟ ସରପଞ୍ଚଙ୍କ ପୁଅଙ୍କ ଦାଦାଗିରିର ଭିଡ଼ିଓ ଭାଇରାଲ ହେଉଛି । ଅଭିଯୋଗ ହେଉଛି ଶାସକ ଦଳକୁ ଭୋଟ୍ ନଦେବାରୁ ଗରିବ ପରିବାରର ଏ କୁଡ଼ଇା ଘରକୁ ଜାଳି ଦିଆଗଲା । ବାସହରା ହୋଇ କିଛି ଲୋକ ଗାଁର ଏ ମିଶନ୍ ଶକ୍ତି ଗୃହରେ ଆଶ୍ରୟ ନେଇଥିବା ବେଳେ ସେଠି ସ୍ଥାନୀୟ ସରପଞ୍ଚଙ୍କ ପୁଅ ଓ ସେମାନଙ୍କ ସମର୍ଥକ ମିଶନ୍ ଶକ୍ତି ଗୃହରୁ ତଡ଼ିଦେବାକୁ ଟଣା ଓଟରା କରିଛନ୍ତି । ଏନେଇ ଥାନାରେ ଏତଲା ମଧ୍ୟ ହୋଇଛି । ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖପରପଦା ବିଜେଡି ସଭାପତି ତଥା ସରପଞ୍ଚଙ୍କ ସ୍ୱାମୀ ।

ସେହିପରି ବୋଡ଼କ ପଞ୍ଚାୟତ ଅଣ୍ଡରେଇରେ ମଧ୍ୟ ବିଜେଡି କର୍ମୀଙ୍କ ଆକ୍ରମଣରେ ଗାଁର ପିତାମ୍ବର ନାୟକ ଗୁରୁତର ଆହତ ହୋଇଛନ୍ତି । ଚାଷ କାମ ପାଇଁ ବିଲକୁ ଯାଉଥିଲା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଏବେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି । ହେଲେ ଭୋଟ୍ ଗଣତି ନହେଉଣୁ ଧାମନଗରରେ ଏଭଳି ଗୋଟିକ ପରେ ଗୋଟିଏ ରାଜନୈତିକ ହିଂସାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ।

ଭୋଟଗ୍ରହଣ ଦିନ ବିଭିନ୍ନ ସ୍ଥାନରେ ହିଂସା, ଗଣ୍ଡଗୋଳ ଭୋଟ୍ ପରେ ବି ହିଂସାକାଣ୍ଡ । ତେଣୁ ଆସନ୍ତାକାଲି ଥିବା ଭୋଟ୍ ଗଣତି ଓ ଫଳାଫଳ ପରେ ସମ୍ଭାବ୍ୟ ସ୍ଥିତି ଉପରେ ପୋଲିସ୍ ପ୍ରଶାସନ କିଭଳି ନଜର ରଖୁଛି ତାକୁ ଅପେକ୍ଷା ।