ସବୁ ଦଳକୁ ନିର୍ବାଚନ ଅଧିକାରୀଙ୍କ ଚେତାବନୀ, ଅଭିଯୋଗ ଆସିଲେ ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ

ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ  ।

Sushil Lohani CEO

ସିଇଓଙ୍କ କଡ଼ା ଚେତାବନୀ । ସବୁ ଦଳକୁ ଚେତାଇ ଦେଲେ ସିଇଓ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ସିଇଓ ବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ଆଜି ଏକ ପ୍ରେସ୍‌ମିଟ୍‌ କରି ସେ ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା କିମ୍ବା ପ୍ରଲୋଭନ ଦେଖାଇବା ହେଉଛି ବଡ଼ ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ସିଭିଜିଲ ଆପ୍ ମାଧ୍ୟମରେ ସମସ୍ତେ ଅଭିଯୋଗ କରିପାରିବେ । ଅଭିଯୋଗର ୧୦୦ ମିନିଟ ଭିତରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ସିଇଓ ଆହୁରି କହିଛନ୍ତି ଯେ, ଧାମନଗର ଉପନିର୍ବାଚନ କୁ ନେଇ ଏବେ ସୁଦ୍ଧା ୧୦୨ଟି ବିଭିନ୍ନ ଅଭିଯୋଗ ଆସିସାରିଲାଣି । ରାଜନୈତିକ ଦଳ ମାନେ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି । ଅଭିଯୋଗର ତାଲିକା ଲମ୍ବା ହେବାରେ ଲାଗିଛି । ସେହି ସବୁ ଅଭିଯୋଗକୁ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଥିବା କହିଛନ୍ତି ଲୋହାନି ।

ଗତକାଲି ଧାମନଗର ଉପନିର୍ବାଚନରେ ଟଙ୍କାବଣ୍ଟା ଅଭିଯୋଗ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨ଟି ମାମଲା ରୁଜୁ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ସିଇଓ ସୁଶିଲ ଲୋହାନି । କହିଥିଲେ, ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ମିଳିଥିଲା । ତଦନ୍ତ ପରେ ସଂପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ମାମଲା ରୁଜୁ ହୋଇଛି । ଧାମନଗର ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି ।

ଅଧିକ ପଢ଼ନ୍ତୁ: ଧାମନଗର ଟଙ୍କା ବଣ୍ଟା: ଆଟାକିଂ ମୋଡ୍‌ରେ ବିଜେପି

ଅନ୍ୟପଟେ ଏକ ମିଟିଂରେ ୧ କୋଟି ଅଫର ଅଭିଯୋଗର ତଦନ୍ତ ହୋଇଛି । ସଂପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ଏତଲା କରାଯାଇଛି, ନିର୍ଦ୍ଦିଷ୍ଟ ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ସିଇଓ । ତାସହ ଧାମନଗର ଉପନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ସୂଚନା ଦେଇଥିଲେ । ନିର୍ବାଚନ ବେଳେ ୧୧ଶହ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟ କରାଯିବ ବୋଲି ସେ ଗତକାଲି କହିଥିଲେ ।