• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ସେଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥ୍‌ରେ ପହଞ୍ଚି ମତଦାନର ରିହର୍ସସଲ୍ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି କରାଯାଇଛି ।  ସମ୍ବେଦନଶୀଳ ଚିହ୍ନଟ ୧୧୦ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।

ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା । ତେଣୁ ତୟାର ପ୍ରଶାସନ, ପ୍ରସ୍ତୁତ ବୁଥ୍, ଉତ୍ସାହିତ ଭୋଟର । ସବୁ ଭୋଟ୍‌ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୁଲିଂ ପାର୍ଟି । ଇଭିଏମ୍ ଓ ଭିଭିପ୍ୟାଟ୍‌ର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ରେ ସରିବ । ତେବେ ସବୁ କିଛି ଠିକ୍ ଅଛି ନା ନାହିଁ ପରଖିବାକୁ ସକାଳ ସାଢ଼େ ୫ଟାରୁ ହେବ ମକ୍ ପୋଲିଂ ।

ଧାମନଗର ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।  ଭୋଟ୍‌ଗ୍ରହଣ ହେବାକୁ ଥିବା ମୋଟ୍ ୨୫୨ଟି ବୁଥ୍‌ରୁ ୧୨୬ଟି ବୁଥ୍‌ରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ୧୧୦ଟି ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ସେହିସବୁ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକ଼ଡି କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାରେ ହଜାରେ ପୋଲିସଙ୍କୁ ନିୟୋଜିତ କରାଯିବା ସହ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭଦ୍ରକ ଏସ୍‌ପି ଚରଣସିଂ ମିନା ଆଜିି ବିଭିନ୍ନ ସମ୍ବେଦନଶୀଳ ବୁଥ୍ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବୁଥ୍‌ର ଶହେ ମିଟର ମଧ୍ୟରେ କଥାବାର୍ତ୍ତାକୁ ବାରଣ କରାଯାଇଛି ।

ସେପଟେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତିନିଟି ରାଜନୈତିକ ଦଳ ଆଣିଥିବା ଅଭିଯୋଗ ଉପରେ ୫ଟି ପୋଲିସ୍ କେଶ୍ ହୋଇଛି ଏବଂ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଆସିଥିବା ଅଭିଯୋଗକୁ ଇସିଆଇକୁ ପଠାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଆସନ୍ତାକାଲିର ଭୋଟ୍ ପରେ ଆସନ୍ତା ୬ ତାରିଖରେ ଗଣତି । ଆଉ ସେହିଦିନ ଜଣା ପଡ଼ିବ ଏଥର କାହା ସପକ୍ଷରେ ରହିଛି ଜନତାଙ୍କ ରାୟ ।

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ, ସୌମ୍ୟରଞ୍ଜନ ସାହୁ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)