• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଷ୍ଣୁ ସେଠୀଙ୍କ ଦେହାନ୍ତକୁ ସପ୍ତାହେ ବିତିନି, ହେଲେ ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଧାମନଗର ନିର୍ବାଚନ ମଣ୍ଡଳୀ ଦଖଲ ଲାଗି ବିଜେଡି ଓ କଂଗ୍ରେସ ରଣନୀତି ଆରମ୍ଭ କରିଛନ୍ତି । ତେବେ ଏଭଳି ରାଜନୀତିକୁ ବିଜେପି ନିନ୍ଦା କରିଛି । ନିର୍ବାଚନ ଲାଗି ସବୁବେଳ ଦଳ ପ୍ରସ୍ତୁତ ଥିବା କହିଛି । ଅନ୍ୟପଟେ ସମୀକ୍ଷକଙ୍କ ମତ ୨୪ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ହେବ । ବର୍ତ୍ତମାନ ସବୁ ରାଜନୈତିକ ଦଳ ଲାଗି ଏକ ପ୍ରକାର ଏସିଡ୍ ଟେଷ୍ଟ ।

ଧାମନଗର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ । ପଦ୍ମ ଗଡ଼କୁ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡ଼ି କଂଗ୍ରେସ ବି ଟକ୍କର ଦେବାକୁ ତିଆରି କଲାଣି ରଣନୀତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଜ ଦୁଇ ଦିନିଆ ଓଡିଶା ଗସ୍ତ କାଳରେ ଧାମନଗର ଯାଇ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତାପରେ ରାଜ୍ୟ ନେତୃତ୍ୱ ଓ କର୍ମକର୍ତ୍ତାଙ୍କ ସହ ଭୁବନେଶ୍ୱରରେ ଏନେଇ ଆଲୋଚନା ହେବ ।

ସେପଟେ କଂଗ୍ରେସ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ନେଇ ଗଠନ କରିଛି ଟିମ୍ । କ୍ଷେତ୍ର ପରିଦର୍ଶନ କରି ଦଳର ପ୍ରାର୍ଥୀ କିଏ ହେବେ ଏବଂ କିପରି ରଣନୀତି ରହିବ, ସେନେଇ ସଭାପତିଙ୍କୁ ରିପୋର୍ଟ ଦେବେ ଦଳର ତିନି ଅଭିଜ୍ଞ ନେତା । ଶାସକ ବିଜେଡି କିନ୍ତୁ ପୁରା ଆତ୍ମବିଶ୍ୱାସରେ ପ୍ରସ୍ତୁତି କରୁଛି । ଉପନିର୍ବାଚନରେ ଅପରାଜେୟ ଆଖ୍ୟା ଏଥର ବି କାୟମ ରହିବ ବୋଲି ଦାବି କରିଛି ଦଳ ।

 

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ସେଠୀ ୪ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରିଥିଲେ । ନିର୍ବାଚନ ସମୟରେ ବିଜେଡିରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖାଦେଇଥିଲା । ଯାହାର ଫାଇଦା ପାଇଥିଲା ବିଜେପି । ୨୪ ସାଧାରଣ ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ବାକି ରହିଛି । ସମ୍ଭବତଃ ଧାମନଗର ଉପନିର୍ବାଚନ ଶେଷ ନିର୍ବାଚନ । ସେଥିଲାଗି ଧାମନଗରରେ ନିଜ ଦମ୍ ଦେଖାଇ ୨୪ ସାଧାରଣ ନିର୍ବାଚନକୁ ଡେଇଁବାକୁ ଯୋଜନା କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେପି ନିଜ ଗଡ ରକ୍ଷା ଲାଗି ଉଦ୍ୟମ କରୁଥିବାବେଳେ ଶାସକ ଦଳ ଧସେଇ ପଶିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ବ୍ରଜରାଜନଗରରେ ଦ୍ୱିତୀୟ ସ୍ଥାନକୁ ଉଠିଥିବା କଂଗ୍ରେସ ବି ଏଠାରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ।

ପୂର୍ବରୁ ବିଜେପି ଗଡ଼ ବାଲେଶ୍ୱର ସଦରକୁ ବିଜେଡି ଦଖଲ କରିସାରିଛି । ମାତ୍ର ଏବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଫୋକସ୍‌ରେ ଓଡିଶା । ଏଥିପାଇଁ ଶାସକ ବିଜେଡି ଲାଗି ଧାମନଗର ଦଖଲର ରାସ୍ତା ସେତେ ସହଜ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି ।

(ରିପୋର୍ଟର- ବାରିପଦାରୁ ମାଣିକଲାଲ୍ ପାଣି ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)