• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ପ୍ରଚାର ସରିଛି । ଗୁରୁବାର ଧାମନଗର ଭୋଟ୍ । ଏନେଇ ସବୁ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ସାଜ ସରଞ୍ଜାମ ସହ ପୋଲିଂ ପାର୍ଟି ଆଜି ବୁଥ୍‌ରେ ପହଞ୍ଚୁଛନ୍ତି । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର । ଏଥିପାଇଁ ୨୫୨ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି ।  ତେବେ ପ୍ରଚାର ଆରମ୍ଭରୁ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ସରଗରମ ଥିବା ରାଜନୀତି ଆଜି ବି ତେଜିଛି । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦାବି କରିଛି ବିଜେପି ।

ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୩ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଏଥିପାଇଁ ୨୫୨ଟି ମତଦାନ କେନ୍ଦ୍ର କରାଯାଇଛି । ସେ ଭିତରୁ ସମ୍ବେଦନଶୀଳ ୧୨୬ଟି  ବୁଥ୍‌ରେ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନ୍‌ରେ ବିଭକ୍ତ କରାଯାଇ ୨୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୪ କଂପାନି ସିଏପିଏଫ୍ ନିଯୁକ୍ତ କରାଯାଇଛି ।

ସେପଟେ ବେଶ୍ କିଛି ଦିନ ଧରି ପ୍ରଚାରରେ ଫାଟି ପଡୁଥିବା ଧାମନଗରରେ ଆଜି ସଂଧ୍ୟାରୁ କୋଳାହଳ ଠପ୍ । ହେଲେ ଏଇ ଦୁଇ ଦିନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଶାସକ ବିଜେଡି ଟଙ୍କା, ମଦ ମାଂସରେ ବୁଡ଼ାଇବ ବୋଲି କହି ଟାର୍ଗେଟ୍ କରିଛି ବିଜେପି । ପ୍ରେସ୍‌ମିଟ୍‌ରେ ଦଳ ଅଭିଯୋଗ କରିଛି ଯେ ଧାମନଗରରେ ଏବେ ସରକାରୀ ଅଫିସର, ଏସ୍ଏଚ୍‌ଜି ମହିଳା ଓ ପ୍ରତି ପଞ୍ଚାୟତରେ ସରକାରଙ୍କ ଲିଙ୍କରେ ଥିବା ୩୦ ଜଣ ଲେଖାଏଁ ଲୋକଙ୍କୁ ଲଗାଇ ବିଜେଡି ଟଙ୍କା ବାଣ୍ଟିବା ଆଶଙ୍କା ରହିଛି । ତେଣୁ ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦଳ ଦାବି କରିଛି । ସେହିପରି କଂଗ୍ରେସ ମଧ୍ୟ ଅନୁରୂପ ଟଙ୍କା ବଣ୍ଟା ଅଭିଯୋଗ ଆଣି ଶାସକ ଦଳ ଉପରେ ବର୍ଷିଛି । ଏସବୁର ଜବାବ ରଖିଛି ବିଜେଡି ।

ଉପନିର୍ବାଚନ ମଇଦାନରେ ଏଥର ୫ଜଣ ପ୍ରାର୍ଥୀ ରହିଥିବାବେଳେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର । ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ ରହିଛି ।