• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ଦଖଲ ପାଇଁ ଜୋରଦାର କସରତ୍ । ଘୋ ଘୋରେ ମୈଦାନ୍ କଂପୁଛି । ସମାନ୍ତରାଳ ଭାବେ ତେଜୁଛି ଆରୋପ-ପ୍ରତ୍ୟାରୋପ ଓ ବିବାଦ ରାଜନୀତି ।

ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଆଉ ଏହା ହିଁ ଏବେ ନୂଆ ବିବାଦ ସୃଷ୍ଟି କରିଛି । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।

୧୫ ସେକେଣ୍ଡର ଏକ ଭାଇରାଲ୍ ଅଡିଓକୁୁ ନେଇ ବିଜେଡି ନାଁରେ ଭାରତୀୟ ନିର୍ବାଚନ କମିଶନ୍ ବା ଇସିଆଇରେ ଅଭିଯୋଗ କରିଛି ବିଜେପି । ଦଳ ଅଭିଯୋଗ କରିଛି ଯେ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭାବମୂର୍ତ୍ତି ମଳିନ କରିବାକୁ ବିଜେଡି ପକ୍ଷରୁ ଏକ ଫେକ୍ ଅଡିଓକୁ ସୋସିଆଲ୍ ମିଡିଆରେ ଛଡ଼ାଯାଇଛି । ତେଣୁ ଇସିଆଇ ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରି ବିଜେଡି ନାଁରେ ଏତଲା ପାଇଁ ନିର୍ଦେଶ ଦେବାକୁ ଦଳ ଦାବି କରିଛି ।

ଏହା ପୂର୍ବରୁ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଦଳର ଏକ ୫ ଜଣିଆ ଟିମ୍ ସାଇବର ଥାନାରେ ଏତଲା ଦେବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭାଇରାଲ୍ ଅଡିଓର ପୁଙ୍ଖାନୁପୁଙ୍ଖ ଯାଞ୍ଚ ସାଙ୍ଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା । ଏପଟେ ବିଜେଡି ମଧ୍ୟ ଧାମନଗରରେ ଏସ୍ଏଚ୍‌ଜି ମହିଳାଙ୍କ ଦ୍ୱାରା ଟଙ୍କା ବଣ୍ଟା ଭିଡିଓ ବିଜେପି ଦ୍ୱାରା ପ୍ରାୟୋଜିତ ବୋଲି ଅଭିଯୋଗ କରି ଦଳ ବିରୋଧରେ ସିଇଓଙ୍କୁ ଫେରାଦ ହୋଇଛି ।

ଅନ୍ୟପଟେ ଭୋଟ ଗ୍ରହଣକୁ ମଝିରେ ଆଉ ମାତ୍ର ୫ ଦିନ ଥିଲା ବେଳେ କ୍ୟାମ୍ପେନରେ କଂପୁଛି ଧାମନଗର । ରାଲି..ରୋ଼ଡ୍ ସୋ.. ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ । ଜି ଜାନ୍ ଲଗେଇ ଦେଇଛନ୍ତି ନେତା ଓ ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ୍ ମାଗିବାକୁ ଆଜି ମୈଦାନ୍‌କୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଧର୍ମେନ୍ଦ୍ର ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରିଥିଲା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସମ୍ବିତ୍ ପାତ୍ର ତିହିଡି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ।

ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ଧୁଷୁରୀ ଜୋନ୍‌ରେ ଭୋଟ୍ ମାଗିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ, ଅଶୋକ ବଳ ଓ ସାଂସଦ ମଞ୍ଜୁଲତା ମଣ୍ଡଳ । କଂଗ୍ରେସ ବି ପଛରେ ନାହିଁ । ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ସହ ପ୍ରଭାରୀ ରୁଦ୍ର ରାଜୁ ଓ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରଚାର କରିଛନ୍ତି । ସେହିପରି ନିଜ ସମର୍ଥକଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ତିହିଡ଼ି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରୋଡ୍ ଶୋ କରି ଜନତା ଜନାର୍ଦ୍ଦନଙ୍କ ମନ ଜିଣିବାକୁ ପ୍ରୟାସ ଚଳାଇଛନ୍ତି ।

ରାଜନୈତିକ ଦଳଙ୍କ ଘନ ଘନ ପ୍ରଚାର ଓ ଆଚରଣବିଧି ଉଲଙ୍ଘନ ଅଭିଯୋଗର ବାଦ ବିବାଦ ଭିତରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଭଦ୍ରକ ଯାଇ ଉପନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।