• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଡ଼ଦାଣ୍ଡରେ ବଢୁଛି ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା । ଭକ୍ତଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଥିବା ନେଇ ପ୍ରଶାସନର ବାହାସ୍ପୋଟ ସତ୍ତ୍ୱେ ଆଜି ବ୍ୟାରିକେଡ୍ ଭିତରେ ଜଣେ ଭକ୍ତ ଅସୁସ୍ଥ ହୋଇ ପଡ଼ି ଝାଡ଼ା କରିଦେବା ଭଳି ସ୍ଥିତି ଉପୁଜିଛି । ବାରମ୍ବାର ଦାବି ସତ୍ତ୍ୱେ ସିଂହଦ୍ୱାର ସାମ୍ନାରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଭକ୍ତ ଓ ସେବାୟତ । ସେପଟେ ପ୍ରଶାସନର କହିବା କଥା ନୂଆ ବର୍ଷ ଆରମ୍ଭରୁ ସବୁ କିଛି ଠିକ୍ ହେଇଯିବ ।

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା । ଜାନୁଆରୀ ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ସୌନ୍ଦର୍ଯ୍ୟକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଦେବ ନିମନ୍ତ୍ରଣ ପର୍ବ ବି ଆରମ୍ଭ ହୋଇଯାଇଛି । ହେଲେ ସାଧାରଣ ଭକ୍ତଙ୍କ ଏ ଯନ୍ତ୍ରଣା ଯେମିତି କାହା ଆଖିରେ ପଡୁନି ।

ଭକ୍ତଙ୍କ ସୁବିଧା ପାଇଁ ସବୁ କରାଯାଇଥିବାର ବାହାସ୍ପୋଟବାଜି ହେଉଛି, ହେଲେ ସର୍ବନିମ୍ନ ସୁବିଧା, ସିଂହଦ୍ୱାର ସାମ୍ନାରେ ଗୋଟିଏ ହେଲେ ଶୌଚାଳୟ ନାହିଁ । ପୂର୍ବରୁ ଯେଉଁ ଗୋଟିକ ଥିଲା ତାହା ବନ୍ଦ କରିଦିଆଯାଇଛି । ଓଟିଭିରେ ବାରମ୍ବାର ଖବର ପ୍ରସାରଣ ପରେ ୪ଟି ଅସ୍ଥାୟୀ ଟଏଲେଟ ତ ହୋଇଛି, ତାହା ପୁଣି ସିଂହଦ୍ୱାର ଠାରୁ ଅନେକ ଦୂରରେ ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଓ ସେବାୟତ । ସବୁଠୁ ବଡ଼ କଥା ହେଲା ଅସୁସ୍ଥ ହୋଇ ଜଣେ ଭକ୍ତ ଧାଡ଼ିରେ ଥାଇ ଝାଡ଼ା କରିବା ପରେ, ସେଠି ବ୍ୟବସ୍ଥା ଏମିତି ବ୍ଲିଚିଂ କି ଫିନାଇଲ ବଦଳରେ ବାଲି ପକାଯିବା ଦେଖିବାକୁ ମିଳିଥିଲା ।

ବ୍ୟାରିକେଡ୍ ଭିତରେ ଦୀର୍ଘ ସମୟ ଧରି ଠିଆ ହେବା ପରେ ଅଚେତ ହୋଇ ପଡୁଛନ୍ତି ଭକ୍ତ । ଧାଡ଼ିରେ ଥିବା ଛୋଟ ଛୁଆ ଓ ବରିଷ୍ଠ ନାଗରିକଙ୍କ କଥା ତ ନ କହିବା ଭଲ । ସାଧାରଣ ଭକ୍ତ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡିରେ ଠିଆ ହେଉଥିବା ବେଳେ ଗଳାବାଟେ ଭିଆଇପିଙ୍କୁ ଛଡାଯିବାକୁ ପୁଣି ବିରୋଧ କରିଛନ୍ତି ଭକ୍ତ ।

ଏପଟେ ପ୍ରଶାସନର କିନ୍ତୁ କହିବା କଥା ନୂଆବର୍ଷରୁ ସବୁ କିଛି ଠିକ୍ ଠାକ୍ ହେଇଯିବ । ପରିକ୍ରମା ପ୍ରକଳ୍ପ କାମ ତଦାରଖରେ ଆସିଥିବା କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂହ କହିଛନ୍ତି ନୂଆବର୍ଷରୁ ଏବେ ଥିବା ବ୍ୟାରିକେଡକୁ ହଟାଯିବ । ଏସି ସେଡ୍ ଦେଇ ଭକ୍ତ ଦର୍ଶନ ପାଇଁ ଯିବେ, ଆଉ କେହି ଧାଡ଼ିରେ ଠିଆ ହେବେନି ।

  • Reported by:
  • PRADEEP MAHANTY , MADHUSUDAN MISHRA