ଯେତେବେଳେ ଦେଖିଲି ଆମ୍ ଆଦମୀ ପାର୍ଟି ବା ଆପ୍ ମୂଳ ଲକ୍ଷ୍ୟଠାରୁ ଦୂରେଇଯାଉଛି, ସେତେବେଳେ ଦଳକୁ ଗୁଡବାଏ କହିବାକୁ ବାଧ୍ୟ ହେଲି । ଯେଉଁ ନୀତି ଓ ନୈତିକତା ଦେଖି ମୁଁ ଦଳରେ ଯୋଗ ଦେଇଥିଲି, ମୁଁ ଅନୁଭବ କଲି ତା’ର ଅବକ୍ଷୟ ଘଟୁଛି । ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଆପ୍ ବିଫଳ ହୋଇଛି । ତେଣୁ ମୁଁ ଆପ୍ ଛାଡି ବିଜେପିରେ ଯୋଗ ଦେଲି । ଏହା କହିଛନ୍ତି ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । କୈଳାଶ କହିଛନ୍ତି, ଏହି କଥା କେବଳ ମୁଁ କହୁନାହିଁ ଆପର ଅନେକ ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀ ଏହା ଅନୁଭବ କରୁଛନ୍ତି । ଏହା ସେମାନଙ୍କର ମଧ୍ୟ ସ୍ୱର । ସେ କହିଛନ୍ତି, ମୁଁ ଅରବିନ୍ଦ କେଜରିୱାଲଙ୍କୁ ରାମ ଓ ନିଜକୁ ହନୁମାନ ବୋଲି କହିଥିଲି । ବାସ୍ତବରେ ମୁଁ ଯେଉଁ ଦଳକୁ ଯାଏ ବା ଯେଉଁ ଦଳରେ କାମ କରେ ହନୁମାନ ଭଳି ନୀରବରେ କାମ କରିଥାଏ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କୈଳାଶ ଗେହଲଟ ।
ଅଧିକ ପଢନ୍ତୁ: ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ
Also Read
କେଜରିୱାଲଙ୍କୁ ଧୋଇଲେ କୈଳାଶ ଗେହଲଟ:
କେଜରିୱାଲ ଏବେ ଆଉ ଆମ୍ ଆଦମୀ ନୁହଁନ୍ତି । ଦିନଥିଲା ତାଙ୍କ କଥାରେ ଲୋକମାନେ ଆସି ସ୍ୱତଃପ୍ରବୃତ୍ତ ଭାବେ ଆପରେ ଯୋଗ ଦେଉଥିଲେ । ଏହି ଦଳ କିଛି କରିବ ବୋଲି ଭାବୁଥିଲେ । କିନ୍ତୁ ବାସ୍ତବରେ ତାହା ହେଲାନାହିଁ । ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିତ୍ୱ ଅନ୍ୟ ପ୍ରକାରର ଥିଲା । ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ବି ଭିନ୍ନ ଥିଲେ । ଅନ୍ୟ ରାଜନୈତିକ ଦଳଗୁଡିକ ଭଳି ଆପ୍ ଗଢାହୋଇନଥିଲା । କିନ୍ତୁ ଏବେ ସେ ଆଦର୍ଶ ଦଳରେ ଆଉ ନାହିଁ ବୋଲି କହିଛନ୍ତି କୈଳାଶ । ଅରବିନ୍ଦ କେଜରିୱାଲଙ୍କ ବାସଭବନକୁ ଲୋକ ଶୀଷ୍ ମହଲ(ରାଜାରାଜୁଡ଼ା ଅମଳର ବଙ୍ଗଳା) ବୋଲି କହୁଛନ୍ତି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବା ପରେ ଅଧିକାଂଶ ବିଭାଗର ଦାୟିତ୍ୱ ଆତିଶୀଙ୍କୁ ଦିଆଯାଇଥିଲା । ଜଣକୁ ଯଦି 20ଟି ବିଭାଗର ମନ୍ତ୍ରୀ କରାଯାଏ, ତେବେ ସେ କେବେ ବି ତାଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି କୈଳାଶ । ଜଣକୁ ଏତେ ବିଭାଗ ଦିଆଯିବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କର ଥିଲା ବୋଲି କହିଛନ୍ତି କୈଳାଶ । ସେ ପୁଣି କହିଛନ୍ତି, ମୁଁ ଗଠନମୂଳକ ରାଜନୀତିରେ ବିଶ୍ୱାସ କରେ । ଯଦି ଜଣେ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ ଦିନକୁ 3ଟି ପ୍ରେସ କନଫରେନ୍ସ କରନ୍ତି, ଶାସନ କଥା କେତେବେଳେ ବୁଝିବେ ।
ବିଜେପି ସରକାର ଗଠନ ମୋର ଲକ୍ଷ୍ୟ:
ଦିଲ୍ଲୀର ପ୍ରିମିଅମ୍ ବସ୍ ସେବା ନୀତି ନେଇ ସେ କହିଛନ୍ତି ଯେ, 2015 ମସିହାରୁ ଏହା ଅରବିନ୍ଦ କେଜରିୱାଲଙ୍କ ମନରେ ଥିଲା । ଯେତେବେଳେ ପ୍ରଥମେ ବିଜ୍ଞପ୍ତି ପ୍ରକାଶ ପାଇଲା ଉପରାଜ୍ୟପାଳ ତାହାକୁ ଖାରଜ କରିଦେଲେ । ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା । ତେବେ ଏହାକୁ ଆଗକୁ ନେବା ପାଇଁ ଚେଷ୍ଟା କରି ମୁଁ ସଫଳ ହେଲି । ଏହା ଲୋକଙ୍କ ପାଇଁ କରାଯାଉଥିଲା । ଆଗରୁ ଆପରେ ଥିଲେ, ଏବେ ବିଜେପିରେ ଯୋଗଦେଲେ । ଲୋକଙ୍କୁ ସାମନା କଲାବେଳେ କିଛି ଅସୁବିଧା ହେବନି କି ପ୍ରଶ୍ନରେ କୈଳାଶ କହିଛନ୍ତି, ନା ସେମିତି କିଛି ହେବ ନାହିଁ । ବିଜେପିରେ ଅଛି । ବିଜେପି ପାଇଁ କଠିନ ପରିଶ୍ରମ କରିବି । ମୋର ଲକ୍ଷ୍ୟ ଦିଲ୍ଲୀରେ ବିଜେପି ସରକାର ଗଠନ ହେଉ । ଆମର ଧର୍ମ ହେଉଛି, ଯେତେବେଳେ ତୁମେ ଯେଉଁ ଦଳରେ ରହିବ ସେହି ଦଳ ପାଇଁ ନିଷ୍ଠାର ସହ କାମ କରିବ । ଗତ 5 ବର୍ଷ ଭିତରେ ଦିଲ୍ଲୀରେ ସେଭଳି କିଛି ବଡ କାମ ହୋଇନଥିବା ସ୍ୱୀକାର କରିଛନ୍ତି କୈଳାଶ ।