• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ । ନିଜେ ଏକ ଚେୟାରରେ ବସିଥିବା ବେଳେ ନିଜ ସାଇଡ୍‌ରେ ଅରବିନ୍ଦ କେଜ୍ରିୱାଲ ବସୁଥିବା ଚେୟାର ରଖିଥିଲେ ।

ଏପରି ଭାବେ ସେ ନିଜର ଆନ୍ତରିକତା ତଥା ଆନୁଗତ୍ୟ କେଜ୍ରିୱାଲଙ୍କ ପ୍ରତି ପ୍ରଦର୍ଶନ କରିଥିଲେ । ତେବେ ଏ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୪୩ ବର୍ଷୀୟ ଆତିଶୀ କହିଛନ୍ତି, ସେ ହେଉଛନ୍ତି ଭରତ । ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ସେ ଶାସନ ଭାର ସମ୍ଭାଳିଛନ୍ତି । ରାମ ଫେରିବା ପରେ ସେ ପୁନଶ୍ଚ ଶାସନ ଭାର ସମ୍ଭାଳିବେ ବୋଲି ଆତିଶୀ କହିଛନ୍ତି । ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ନେଇଛନ୍ତି ।

ଭରତଙ୍କ ପରି ଆଜି ରାମଙ୍କ ଅନୁପସ୍ଥିତିରେ ସେ ଶାସନ କରିବେ ବୋଲି କହିଛନ୍ତି । ଏଣୁ ସେ ଉକ୍ତ ଚେୟାର ପରିତ୍ୟାଗ କରିଛନ୍ତି । ଭରତ ଯେପରି ରାମଙ୍କର କଠଉକୁ ସିଂହାସନରେ ରଖି ଶାସନ କରିଥିଲେ, ସେହିପରି ସେ ମଧ୍ୟ କେଦ୍ରିୱାଲଙ୍କ ଅନୁପସ୍ଥିତିରେ ଆସନ୍ତା ଚାରିମାସ ପାଇଁ ଦିଲ୍ଲୀର ଶାସନ ଭାର ସମ୍ଭାଳିବେ ବୋଲି କହିଛନ୍ତି । ଆତିଶୀ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ​​ଦିଲ୍ଲୀର ଲୋକେ ପୁଣିଥରେ ଅରବିନ୍ଦ କେଜ୍ରିୱାଲଙ୍କୁ କ୍ଷମତାକୁ ଆଣିବେ ।

"ଏହା କେଜ୍ରିୱାଲଙ୍କ ଚେୟାର । ଆଗାମୀ ନିର୍ବାଚନ ଫେବୃଆରୀରେ ରହିଛି । ନିର୍ବାଚନରେ ​​ଦିଲ୍ଲୀର ଲୋକମାନେ ତାଙ୍କୁ ପୁଣିଥରେ ସେମାନଙ୍କର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିବେ। ସେପର୍ଯ୍ୟନ୍ତ ଏହି ଚେୟାର ଏହି କାର୍ଯ୍ୟାଳୟରେ ରହିବ । ମୁଁ ଭରତଙ୍କ ପରି ଶାସନ କରିବି ।”

ଗତ ଶନିବାର ଦିନ ଦିଲ୍ଲୀ କଂଗ୍ରେସର ଶିଲା ଦୀକ୍ଷିତ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ଅଷ୍ଟମ ଏବଂ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ପାଞ୍ଚଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏକ୍ସାଇଜ୍ ପଲିସି ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ପରେ ଅରବିନ୍ଦ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ । ଫଳରେ ତାଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ପୂର୍ବରୁ ସେ ଶିକ୍ଷା, ରାଜସ୍ୱ, ଅର୍ଥ, ଶକ୍ତି ଏବଂ ପିଡବ୍ଲ୍ୟୁଡି ସମେତ ଅନେକ ବିଭାଗ ନିଜ ପାଖରେ ରଖିଥିଲେ । ତେବେ ଆତିଶୀଙ୍କର ଏପରି ନିଷ୍ପତ୍ତିକୁ ବିଜେପି ଘୋର ନିନ୍ଦା କରିଛି । ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦଭା କହିଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ ଓ ନିୟମର ଉଲ୍ଲଂଘନ । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅପମାନ ବୋଲି ସେ କହିଛନ୍ତି ।

୪୩ ବର୍ଷ ବୟସରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଆତିଶୀ ସର୍ବକନିଷ୍ଠ ଅଟନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସେ ବର୍ତ୍ତମାନ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ଆସନ୍ତା ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଅରବିନ୍ଦ ବସିବେ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now