• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀଙ୍କୁ ଦେଖା ଦେଲେନି ସଚିବ । ଅପେକ୍ଷା କରି କରି ଶେଷରେ ନିରାଶ ହେଲେ । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ସକାଳୁ ରାତି ପର୍ଯ୍ୟନ୍ତ ମନ୍ତ୍ରୀ ଅପେକ୍ଷା କଲେ । ଶେଷରେ ନିରାଶ ହୋଇ ରାତି ୯.୩୦ ପରେ ଫେରିଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ । କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍‌ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ । 

ତେବେ ପୁରା କାହାଣୀଟି ହେଲା, ଦିଲ୍ଲୀ ଶ୍ରମମନ୍ତ୍ରୀ ସୌରଭ ଭରଦ୍ୱାଜ, ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ଭେଟିବାକୁ ଆସିଥିଲେ । ହେଲେ ସଚିବ ବ୍ୟସ୍ତ ଥିଲେ । ଆଉ ସେ ଏତେ ବ୍ୟସ୍ତ ଥିଲେ ଯେ, ସକାଳୁ ରାତି ପ୍ରାୟ ୯.୩୦ ପର୍ଯ୍ୟନ୍ତ ମନ୍ତ୍ରୀ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କ ସହ ଦେଖା କରିପାରିଲେ ନାହିଁ । ତେଣୁ ମନ୍ତ୍ରୀଙ୍କ ସହ ସଚିବଙ୍କର ହେବାକୁ ଥିବା ସିଭିଲ ସର୍ଭିସ ବୋର୍ଡ ବୈଠକ ବିଳମ୍ବ ହୋଇଛି ।

ଏହି ଖବର ବାହାରେ ପ୍ରଚାରିତ ହେବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ସେ ଫୋନ୍ ରିସିଭ୍‌ କରିନଥିଲେ ।

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? କିଏ କାହାକୁ ଦେବେ ସମ୍ମାନ ? ସୁପ୍ରିମ୍‌କୋର୍ଟରେ ଏଭଳି ଏକ ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ଆପ୍‌ ସରକାରର ବିଜୟ ହୋଇଥିଲା । ସୁପ୍ରିମ୍‌କୋର୍ଟ ସିଧା ସିଧା କହିଥିଲେ, ଜନ ପ୍ରତିନିଧିଙ୍କୁ ସଚିବ ଗୁରୁତ୍ୱ ଦେବାକୁ ବାଧ୍ୟ । ସୁପ୍ରିମ୍‌କୋର୍ଟଙ୍କ ଏଭଳି ରାୟ ପରେ ଶ୍ରମମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସହ ସଚିବଙ୍କର ଥିଲା ଏହା ପ୍ରଥମ ବୈଠକ । ଯେଉଁଥିରେ ମନ୍ତ୍ରୀଙ୍କୁ ଅପମାନିତ ହେବାକୁ ପଡ଼ିଥିବା ଏବେ ଚର୍ଚ୍ଚା ହେଉଛି ।

ତେବେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବି, ଦିଲ୍ଲୀରେ ମନ୍ତ୍ରୀଙ୍କୁ ସଚିବମାନେ ଖାତିର କରୁନାହାନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଯେଉଁଦିନ ସୁପ୍ରିମ୍‌କୋର୍ଟ ଏହି ରାୟ ଶୁଣାଇଲେ, ତାର ମାତ୍ର କିଛି ଘଣ୍ଟା ପରେ ଆଶିଷ ମୋରେ ନାମକ ଜଣେ IAS ଅଧିକାରୀ ତୁରନ୍ତ ଶ୍ରମ ବିଭାଗକୁ ବଦଳି ହେଲେ । ହେଲେ ତାଙ୍କ ବଦରେ ଆଉ କିଏ ଯୋଗଦେବେ ସେନେଇ ମନ୍ତ୍ରୀ ତାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ବି ସେ ସେଭଳି ସୁଯୋଗ ଦେଇନଥିଲେ । ଏମିତିକି ସେ ସଚିବାଳୟ ଛାଡ଼ି ତୁରନ୍ତ ଚାଲି ଯାଇଥିଲେ । ଆଉ ଫୋନ୍ ମଧ୍ୟ ସ୍ୱିଚ୍‌ ଅଫ୍‌ କରିଥିଲେ । ଯାହାଫଳରେ ତାଙ୍କ ସହ ବିଭାଗୀୟ ମନ୍ତ୍ରୀ ଯୋଗାଯୋଗ ବି କରିପାରି ନଥିଲେ । 

ସଚିବଙ୍କ ଏଭଳି ବ୍ୟବହାର ତଥା ସୁପ୍ରିମ୍‌କୋର୍ଟଙ୍କ ଅର୍ଡର ମାନିନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।