Delhi CM Suspense: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା, ପରଭେଶ ବର୍ମା ନା ପୁଣି ବିଜେପି ଦେବ ସରପ୍ରାଇଜ୍

ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ବିଧାୟକ ଦଳ ବୈଠକରେ ସିଏମ୍ ନାଁରେ ବାଜିବ ମୋହର । ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

କିଏ ହେବେ ଦିଲ୍ଲୀର ନୂଆ ସିଏମ୍ ? କାହା କାନ୍ଧରେ ରାଜଧାନୀର ଦାୟିତ୍ୱ ଦେବ ବିଜେପି ? ଏନେଇ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ଏଣୁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି । ଏହାପରେ ଆସନ୍ତାକାଲି ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ରାମଲୀଲା ମୈଦାନରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟରେ ସଭାସ୍ଥଳ ଓ ମଞ୍ଚ ନିର୍ମାଣ କାର୍ଯ୍ୟ ଚାଲିଛି । 

ଅଧିକ ପଢ଼ନ୍ତୁ: ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

ଆସନ୍ତାକାଲି ଦିନ ୧୧ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବେ। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ଦିଲ୍ଲୀ ସିଏମ୍ ରେସରେ ଅନେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚିତ ନେତା ନା ପୁଣି ସରପ୍ରାଇଜ ଚେହେରା ଦେବ ବିଜେପି, ତା' ଉପରେ ଏବେ ସାରା ଦେଶର ନଜର । ତେବେ ସିଏମ୍ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ପରଭେଶ ବର୍ମା । ନୂଆଦିଲ୍ଲୀ ବିଧାନସଭା ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ଜିଆଣ୍ଟ କିଲର୍ ପରଭେଶଙ୍କୁ ବଡ ଦାବିଦାର ଭାବେ ଦେଖାଯାଉଛି । 

ଦିଲ୍ଲୀ ସିଏମ୍ ଦୌଡର ଦ୍ୱିତୀୟରେ ଅଛନ୍ତି ୫୦ ବର୍ଷୀୟ ବିଜେନ୍ଦର ଗୁପ୍ତା । ସେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା । ୨୦୧୫ ଓ ୨୦୨୦ରେ ଆପ୍‌ର ପ୍ରଭାବ ସତ୍ତ୍ବେ ରୋହିଣୀ ଆସନରୁ ଜିତିଥିଲେ ବିଜେନ୍ଦର । ଏଥର ଆମ ଆଦମୀ ପାର୍ଟିର ପ୍ରଦୀପ ମିତ୍ତଲଙ୍କୁ ହରାଇ ହ୍ୟାଟ୍ରିକ୍ କରିଛନ୍ତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ତାଙ୍କ ନାଁ ମଧ୍ୟ ସାମିଲ ରହିଛି ।

ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ମଧ୍ୟରେ ଆଉ ଏକ ନାମ ହେଲା ଅଶୀଷ ସୁଦ । ସେ ଦିଲ୍ଲୀର ଜନକପୁରୀ ଆସନରୁ ବିଧାୟକ ଅଛନ୍ତି । ଆଶୀଷ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅତି ଘନିଷ୍ଠ କୁହାଯାଏ । ସେହିପରି ରଜୌରୀ ଗାର୍ଡେନ୍ ସିଟରୁ ନିର୍ବାଚିତ ମନଜିନ୍ଦର ସିଂ ସିର୍ସା, ମାଲବୀୟ ନଗରରୁ ନିର୍ବାଚିତ ସତୀଶ ଉପାଧ୍ୟାୟଙ୍କୁ ବି ଦିଲ୍ଲୀ ସିଏମ୍ ପଦ ପାଇଁ ଦାବିଦାର ଭାବେ ଦେଖାଯାଉଛି । 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମହା ଲଢେଇରେ କେମିତି ହେଲା ବିଜେପିର ଜିତ?