• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାତ୍ୟା ଜଓ୍ୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା । ମୋଟ ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ । ବର୍ଷା ଜଳ ଉପରେ ନିର୍ଭରଶୀଳ ଜମି ପାଇଁ ହେକ୍ଟରକୁ ୬ ହଜାର ୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାକୁ ସ୍ଥିର ହୋଇଥିବାବେଳେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୧୩ ହଜାର ୫୦୦ ଟଙ୍କା ।

ସେହିପରି ଆମ୍ବ, କାଜୁ, ନଡ଼ିଆ ଓ ପାନ ଆଦି ଫସଲ ପାଇଁ ହେକ୍ଟରକୁ ୧୮ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ଏଥିସହ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବେ ସର୍ବନିମ୍ନ ୨୦୦୦ଟଙ୍କା ମିଳିବ । ୩୩ ପ୍ରତିଶତରୁ ଅଧିକ କ୍ଷତି ଅଞ୍ଚଳର ଚାଷୀଙ୍କ ସ୍ୱଳ୍ପ ମିଆଦି ଋଣ ମଧ୍ୟମ ମିଆଦୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୪ ଓ ୫ ଦୁଇଦିନ ଧରି ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ୧୨ରୁ ଅଧିକ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ।

କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ୱିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ (Crate) ଯୋଗାଇ ଦିଆଯିବ । ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ । ଯାହାଦ୍ୱାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ଟି ଫଳ ଚାରା ଯୋଗାଇ ଦିଆଯିବ । ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ । ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ ।