• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତି । ଆଶ୍ୱସ୍ତି ଆଣିଛି ସୁପ୍ରିମକୋର୍ଟଙ୍କ ରାୟ । ସଦସ୍ୟତା ରଦ୍ଦ ନେଇ ଆଜି ସୁଦ୍ଧା ସେମାନଙ୍କୁ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ ଉପବାଚସ୍ପତି । ତେବେ ସୁପ୍ରିମକୋର୍ଟ କହିଛନ୍ତି ବିଦ୍ରୋହୀମାନେ ଜୁଲାଇ ୧୧ ସୁଦ୍ଧା ନିଜ ଉତ୍ତର ରଖିପାରିବେ । ଆଇନ ଅନୁସାରେ କାହିଁକି ଏମାନଙ୍କ ବିଧାୟକ ପଦ ରଦ୍ଦ କରାନଯିବ, ତାର କାରଣ ଦର୍ଶାଇବାକୁ ଆଜି ସୁଦ୍ଧା ଉତ୍ତର ରଖିବାକୁ ନୋଟିସ୍ ଦେଇଥିଲେ ଉପବାଚସ୍ପତି ।

ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଦ୍ରୋହୀ ବିଧାୟକ । ଏହି ମାମଲାରେ ଉପବାଚସ୍ପତି, ଶିବସେନାର ବିଧାୟକ ଦଳ ନେତା, ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ବିଧାନସଭାର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୫ ଦିନ ଭିତରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି । ବିଦ୍ରୋହୀ ବିଧାୟକ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଉଦ୍ଧବ ଠାକରେ ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାରଣ ନିଜ ଜୀବନ ପ୍ରତି ବିପଦ ଥିବା ସେମାନେ ଦର୍ଶାଇଥିଲେ ।

ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ମହା ଅଘାଡ଼ି ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିବା ଅବଗତ କରିଛନ୍ତି । ଏକନାଥ ସିନ୍ଧେ କ୍ୟାମ୍ପ ଓ ତାଙ୍କ ଗୋଷ୍ଠୀ ପ୍ରକୃତ ଶିବସେନା ବୋଲି ଦାବି କରିଛନ୍ତି । ସିନ୍ଧେ ଗୋଷ୍ଠୀର ୩୯ ବିଧାୟକ ଅଛନ୍ତି । ସେମାନେ ସମର୍ଥନ ପ୍ରତ୍ୟାହାର କରିବା ଦ୍ୱାରା ଉଦ୍ଧବ ଠାକରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ । ସେପଟେ ବିଦ୍ରୋହୀ ଗୋଷ୍ଠୀରେ ଥିବା ୯ ମନ୍ତ୍ରୀଙ୍କ ହାତରୁ ଦାୟିତ୍ୱ କାଢି ନେଇ ଅନ୍ୟ ମାନଙ୍କୁ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

 ନଜର ପକାଇବା ମହାରାଷ୍ଟ୍ରରେ ବର୍ତ୍ତମାନର ସଂଖ୍ୟା ଗଣିତ ଉପରେ

ଶାସନାଧିନ ଥିବା ମହା ଅଘାଡ଼ି ମେଣ୍ଟ ଏବେ ଅଳ୍ପ ସଂଖ୍ୟକ ହୋଇପଡ଼ିଛି । ବିଦ୍ରୋହୀ ବିଧାୟକଙ୍କୁ ବାଦ୍ ଦେବା ପରେ ଶିବସେନା ପଖରେ ରହିଛନ୍ତି ମାତ୍ର ୧୬ ଜଣ । ଏହାବାଦ୍ ଏନସିପି ପାଖରେ ୫୩, କଂଗ୍ରେସ ପାଖରେ ୪୪ ଏବଂ ଅନ୍ୟାନ୍ୟ ୧୩ ଜଣ ବିଧାୟକ ରହିଛନ୍ତି । ଏମାନଙ୍କୁ ମିଶାଇଲେ ମୋଟ୍ ସଂଖ୍ୟା ୧୨୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ମୋଟ୍ ସଂଖ୍ୟା ୨୮୮ ସେଥିରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ସିଟ୍ ଆବଶ୍ୟକ । ହେଲେ ମହା ଅଘାଡ଼ି ପାଖରେ ରହିଛି ୧୨୬ ସିଟ୍ ।

ଅନ୍ୟପଟେ ଉଦ୍ଧବଙ୍କ ବିରୋଧ ଗୋଷ୍ଠୀଙ୍କ ଉପରେ ଯଦି ନଜର ପକାଇବା, ତେବେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ଏବେ ୩୯, ଏହାସହ ମେଣ୍ଟରୁ ବାହାରିଥିବା ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୯ ରହିଛି । ସେହିପରି ବିଜେପିର ୧୦୬ ବିଧାୟକ ଓ ଅନ୍ୟାନ୍ୟ ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କ ସଂଖ୍ୟା ୭ ରହିଛି । ଏହି ସମସ୍ତଙ୍କୁ ମିଶାଇଲେ ଉଦ୍ଧବ ସରକାରଙ୍କ ବିରୋଧରେ ୧୬୧ ବିଧାୟକ ରହିଛନ୍ତି ।