• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ବଡ଼ଦାଣ୍ଡରୁ ବଡ଼ ହୁଙ୍କାର । ନେତାଏ ଏକାଠି ହେଲେ, ରାଲିରେ ଶକ୍ତି ଦେଖାଇଲେ । ରାଜ୍ୟ ସରକାରଙ୍କୁ ଚେତାବନୀ ବି ଦେଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀ ଶରଧାବାଲିରୁ ବାହାରିଥିବା କଂଗ୍ରେସର ବିଶାଳ ରାଲିର ଉଦ୍ଦେଶ୍ୟ ଥିଲା ୪ ଦାବି । ସେଗୁଡିକ ହେଲା-କାର୍ତ୍ତିକ ବ୍ରତ ଆରମ୍ଭରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବା, ରତ୍ନଭଣ୍ଡାର ଶୀଘ୍ର ଖୋଲି ଅଳଙ୍କାରର ଗଣତି, ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଏବଂ ବେଦାନ୍ତ ଅଧିକୃତ ଜମି ଚାଷୀଙ୍କୁ ଫେରସ୍ତ।

ଦାବିପତ୍ର ଧରି କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ କିଛି ସମୟ ପାଇଁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ସେମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଆଗାମୀ ୨୮ ତାରିଖକୁ ଡେଡଲାଇନ୍ ଦେଇ ପିସିସି ସଭାପତି ଚେତାବନୀ ଦେଇଛନ୍ତି ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ।

ତେଣେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- କଂଗ୍ରେସ ପ୍ରତିନିଧିଦଳଙ୍କ ଦାବିପତ୍ର ମିଳିଛି । ଏହାକୁ ପରୀକ୍ଷା ନିରୀକ୍ଷା କରିବୁ ଓ ଯାହା ସମ୍ଭବ ଶୀଘ୍ର କାର୍ଯ୍ୟକାରୀ କରିବୁ।

ତେଣେ ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ନିଶାନା କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। କହିଛନ୍ତି- ଅଗଷ୍ଟ ୪ରେ ଏଥିପାଇଁ କମିଟି ଗଠନ ପାଇଁ ରିଜଲ୍ୟୁସନ ହୋଇଥିଲା, ସେପ୍ଟେମ୍ବର ୨୨ରେ ହାଇକୋର୍ଟ ବି ଏନେଇ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ଯାଏଁ ତାହା ପାଳନ ହେଲାନି। ତେଣୁ ସୁପ୍ରିମକୋର୍ଟର ୨ ଜଣ ପୂର୍ବତନ ଓଡ଼ିଆ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କୁ ମଧ୍ୟରୁ କାହା ଅଧ୍ୟକ୍ଷତାରେ କମିଟି ଗଢ଼ିବାକୁ ସେ ଦାବି କରିବା ସହ ଏନେଇ ଗଜପତି ମହାରାଜାଙ୍କୁ ଅବଗତ କରିବୁ ବୋଲି କହିଛନ୍ତି ।

ସେପଟେ ଜବାବରେ ବିଜେଡି କହିଛି- କୋର୍ଟଙ୍କ ସବୁ ନିର୍ଦ୍ଦେଶକୁ ସରକାର ପାଳନ କରୁଛନ୍ତି । ବିରୋଧୀ ଅଯଥା ରାଜନୈତିକ ପ୍ରସଙ୍ଗ ନକରନ୍ତୁ । ଏବେ ଦେଖିବାର କଥା କଂଗ୍ରେସର ଏ ହୁଙ୍କାର ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ କେତେ ପ୍ରଭାବ ପକାଉଛି ? 

 

  • Reported by:
  • MADHUSUDAN MISHRA , HARIHARA CHAND , JAGDISH DAS