/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709568742.jpg)
Congress MLA Md Moquims
ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା ମୋକିମଙ୍କୁ । ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ, ରାୟ ଶୁଣାଇ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କଲେ । ୨୦୧୯ ନିର୍ବାଚନ ବେଳେ ତଥ୍ୟ ଲୁଚାଇଥିବା ଅଭିଯୋଗ ମାମଲାରେ ମହମ୍ମଦ ମୋକିମଙ୍କ ବାରବାଟି-କଟକ କଂଗ୍ରେସ ବିଧାୟକ ସଭ୍ୟପଦକୁ ରବ୍ଦ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ମୁଣ୍ଡ ଉପରେ ୨୪ ନିର୍ବାଚନ । ତା’ପୂର୍ବରୁ ମୋକିମଙ୍କ ବିରୋଧରେ ଆଜି ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ ।
୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଉଚ୍ଚ ଅଦାଲତ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ମନୋନୟନ ପତ୍ର ଦାଖଲ କରିନଥିଲେ । ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ବେ ସତ୍ୟପାଠରେ ଦର୍ଶାଇନଥିଲେ ମୋକିମ୍ । ଏହି ଅଭିଯୋଗ ଆଣି ନିର୍ବାଚନ ଫଳ ଘୋଷଣା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି । ନିର୍ବାଚନ ଅସିଦ୍ଧ ବୋଲି କହିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିଛନ୍ତି । ତା’ସହମନୋନୟନପତ୍ର ଯାଞ୍ଚ ବେଳେ ରିଟର୍ଣ୍ଣିଂ ଅଫିସର ମୋକିମଙ୍କ ନାମାଙ୍କନପତ୍ରକୁ କାହିଁକି ଖାରଜ କଲେ ନାହିଁ, ତାହା ହିଁ ଥିଲା ବଡ଼ତ୍ରୁଟି ବୋଲି ହାଇକୋର୍ଟ କହିଥିବା କହିଛନ୍ତି ଦେବାଶିଷଙ୍କ ଓକିଲ ।
୨୪ ନିର୍ବାଚନ ପୂର୍ବରୁ ହାଇକୋର୍ଟଙ୍କ ଏଭଳି ରାୟ ଏବେ ଅଡୁଆ ବଢ଼ାଇବ କି ମହମ୍ମଦ ମୋକିମଙ୍କୁ ? ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପକାଇବ କି ବଡ଼ ପ୍ରଭାବ ? ଏବେ ଏଭଳି ନାନା ଚର୍ଚ୍ଚା ହେଉଥିବାବେଳେ ମୋକିମ୍ କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ତର୍ଜମା କରିବା ସହ ଏହା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ତଥା ସୁପ୍ରିମକୋର୍ଟ ଯିବି ବୋଲି କହିଛନ୍ତି ।
୨୪ ନିର୍ବାଚନରେ ସେ ପୁଣି ବାରବାଟି-କଟକରୁ କଂଗ୍ରେସ ଟିକେଟରେ ଲଢିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ଏହି ରାୟ ଆଗାମୀ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମୋକିମ୍। ଅପରପକ୍ଷେ ଏହାକୁ ନେଇ ତେଜିଛି ରାଜନୀତି । କଟକ ନଗର ବିଜେପି କୁଶପୁତ୍ତଳିକା ଦାହ କରିବା ସହ ମୋକିମଙ୍କ ଗିରଫ ଦାବି କରିଛି । ୨୦୧୯ରୁ ୨୦୨୪ ପ୍ରାୟ ୫ ବର୍ଷ ଧରି ମାମଲାର ଶୁଣାଣି ଚାଲିଲା । ଇତିମଧ୍ୟରେ ମୋକିମଙ୍କ ଗୋଟିଏ ଟର୍ମ ବି ପୂରିବାକୁ ବସିଥିବାବେଳେ ଆଗକୁ ମାମଲା କେଉଁ ମୋଡ଼ ନେଉଛି, ତାକୁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)