/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665326502.jpg)
Protest Against Udit Raj
ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍ଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଉରକେଲା ଆସିଥିବା ବେଳେ ତାଙ୍କୁ ଘେରିଥିଲେ ବିଜେପି କର୍ମୀ । ଗୋବ୍ୟାକ୍ ନାରା ଦେବା ସହ ଉଦିତ୍ଙ୍କ ପୋଷ୍ଟର ଜାଳି ପ୍ରତିବାଦ ଜଣାଇଥିଲେ । ସହରରେ ପଶୁ ପଶୁ ତାଙ୍କ ଗାଡି ଉପରକୁ ବିଜେପି କର୍ମୀ ଅଣ୍ଡା ମାଡ କରାଯିବା ସହିତ କଳାପତାକା ବି ଦେଖାଇଥିଲେ । ଉଦିତଙ୍କୁ ଜୋରଦାର ବିରୋଧ ଭିତରେ ପୋଲିସ- ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ଗୁଜୁରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ, ଦୁଗ୍ଧ ଓ ଲୁଣ ଉତ୍ପାଦନରେ ଅଗ୍ରଣୀ ଭୂମିକା ନେଇଛି ଗୁଜୁରାଟ । ସାରା ଦେଶ ଗୁଜୁରାଟର ଲୁଣ ଖାଉଛି କହିଲେ ଅତ୍ୟୁକ୍ତି ହେବନି । ଏହାକୁ ନେଇ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଥିଲେ ଉଦିତ୍ । ସେ ଟ୍ୱିଟ୍ କରି କହିଥିଲେ, ‘ଦ୍ରୌପଦୀଙ୍କ ମନ୍ତବ୍ୟ ଚାଟୁକାରିତାର ଶେଷ ସୀମା ପାଲଟିଛି । କୌଣସି ଦେଶକୁ ଦ୍ରୌପଦୀଙ୍କ ଭଳି ରାଷ୍ଟ୍ରପତି ନମିଳନ୍ତୁ’ । ରାଷ୍ଟ୍ରପତିଙ୍କ ପ୍ରତି ଏଭଳି କଟୁ ସମାଲୋଚନା ପାଇଁ ଜାତୀୟ ମହିଳା କମିଶନ ଉଦିତ ରାଜଙ୍କୁ ହାଜର ହୋଇ ମନ୍ତବ୍ୟର ସ୍ପଷ୍ଟୀକରଣ ରଖିବାକୁ ନୋଟିସ କରିଛନ୍ତି । ତେବେ ଯେଉଁ ଦିନ ଯାଏଁ ରାଷ୍ଟ୍ରପତି ଦଳିତଙ୍କ ଲାଗି ସ୍ୱର ନଉଠାଇଛନ୍ତି, ସେପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି ଉଦିତ୍ ।
କେବଳ ଉଦିତ ନୁହଁନ୍ତି, ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା । ପୂର୍ବରୁ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ କଟାକ୍ଷ କରି ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦ ବିଚାରଧାରାର ପ୍ରତିନିଧିତ୍ୱ କରନ୍ତି ବୋଲି କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ବି ତମ୍ବିତୋଫାନ ହୋଇଥିଲା ।
(ରିପୋର୍ଟର- ରାଉରକେଲାରୁ ପୱନ ତିୱାରୀ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)