/odishatv-khabar/media/post_attachments/uploadimage/library/16_9/16_9_0/Congress_1756382987.jpg)
Congress
ରାହୁଲ ଗାନ୍ଧୀ ବିହାରରେ ଭୋଟର ଅଧିକାର ଯାତ୍ରା କରୁଛନ୍ତି। ଏହି ସମୟରେ ଦରଭଙ୍ଗାର ସିମରୀ ବିଠୌଲୀରୁ ଯାତ୍ରା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ବିହାର କଂଗ୍ରେସର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଁରେ ଅପଶବ୍ଦ ବ୍ୟବହାର କରାଯାଉଛି। ଏହି କାର୍ଯ୍ୟକ୍ରମ ଯୁବ କଂଗ୍ରେସର ମହମ୍ମଦ ନୌଶାଦ ଆୟୋଜନ କରିଥିଲେ।ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଞ୍ଚରୁ ଅତ୍ୟନ୍ତ ଆପତ୍ତିଜନକ ଗାଳି ଦିଆଯାଇଛି।
ଗଣମାଧ୍ୟମକୁ ମହମ୍ମଦ ନୌଶାଦ କହିଛନ୍ତି,“ଘଟଣା ସମୟରେ ମୁଁ ମଞ୍ଚ ଉପରେ ନଥିଲି। ମୁଁ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରା ପାଇଁ ଆଗେଇ ଯାଇଥିଲି। କାର୍ଯ୍ୟକ୍ରମ ଶେଷ ହେବା ପରେ ମଞ୍ଚ ଉପରେ କିଛି ବାହାର ଲୋକ ଚଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ପିଏମଙ୍କ ପାଇଁ ଅଭଦ୍ର ଭାଷା ବ୍ୟବହାର କରିଥିଲା।” ମହମ୍ମଦ ନୌଶାଦ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ପିଏମ ମୋଦି ତାଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ। ସେ ଏଭଳି ଘଟଣାର ସମର୍ଥନ କରନ୍ତି ନାହିଁ ଏବଂ ଏଥିପାଇଁ କ୍ଷମା ମାଗୁଛନ୍ତି।
କଂଗ୍ରେସ ମଞ୍ଚରୁ ପିଏମ ମୋଦିଙ୍କୁ ଅପଶବ୍ଦ ବ୍ୟବହାର କରାଯିବା ଘଟଣାରେ ବିଜେପି ନେତା କୃଷ୍ଣ କୁମାର ସିଂହ ପାଟନାର ଗାନ୍ଧୀ ମୈଦାନ ଥାନାରେ ମହମ୍ମଦ ନୌଶାଦଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିଛନ୍ତି। ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, “ଗାଳି ଦେଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କୁ କ୍ଷମା ମାଗିବାକୁ ପଡ଼ିବ।” ସେ କହିଛନ୍ତି ଯେ ଗାଳିଗୁଲଜ ମାଧ୍ୟମରେ କଂଗ୍ରେସ ଓ ଆରଜେଡି ବିହାରରେ ମାହୋଲ ଖରାପ କରିବାକୁ ଚାହୁଁଛନ୍ତି। ବିହାର ସରକାରଙ୍କ ଭୂମି ସୁଧାର ଓ ରାଜସ୍ୱ ମନ୍ତ୍ରୀ ସଞ୍ଜୟ ସରାୱଗୀ ପିଏମ ମୋଦିଙ୍କୁ ଗାଳି ଦେଉଥିବା ଲୋକଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଦାୟର କରିବାକୁ ଦାବି କରିଛନ୍ତି। ବିଜେପିର ସହଯୋଗୀ ଦଳ ଜେଡିୟୁ ମଧ୍ୟ ପିଏମ ମୋଦିଙ୍କୁ ଗାଳି ଦିଆଯିବା ଉପରେ ଆପତ୍ତି ଉଠାଇଛି। ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି,
“ରାହୁଲ ଗାନ୍ଧୀ ଯେଉଁ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଉଛନ୍ତି, ତାହା ବିଲକୁଲ ସହନୀୟ ନୁହେଁ। ସେ କ୍ଷମା ମାଗିବା ଉଚିତ। ବିହାରର ଜନତା ଏଥିପାଇଁ ତୁମକୁ କେବେ କ୍ଷମା କରିବେ ନାହିଁ।”
ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସେପ୍ଟେମ୍ବର ୧ ତାରିଖରେ ଗାନ୍ଧୀ ମୈଦାନରେ ଏକ ରାଲି ସହ ଶେଷ ହେବାର ଥିଲା। କିନ୍ତୁ ଗାନ୍ଧୀ ମୈଦାନ ଉପଲବ୍ଧ ନ ଥିବାରୁ ରାଲିକୁ ଅନୁମତି ମିଳିନାହିଁ। ତେଣୁ ଏହି ଯାତ୍ରା ପାଟନାରେ ଏକ ରୋଡ ଶୋ’ ସହ ଶେଷ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)