• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ଖୋଳ, ଝାଞ୍ଜ ଓ ଗିନି ମାଡ଼ । ଗୋଟିଏ ପଟେ ଚାଲିଛି ସଂକୀର୍ତ୍ତନ ଅନ୍ୟପଟେ ସରକାର ବିରୋଧୀ ସ୍ଲୋଗାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହରେ । ଏଭଳି ଅଭିନବ ପ୍ରତିବାଦର ଉଦ୍ଦେଶ୍ୟ ହେଲା ସରକାରଙ୍କ ନିଘୋଡ ନିଦକୁ ସଂକୀର୍ତ୍ତନ ମାଧ୍ୟମରେ ଭାଙ୍ଗିବା ।

ସତ୍ୟାଗ୍ରହର ଉଦ୍ଦେଶ୍ୟ ସରକାର ଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଗଣତି, ମଣତି, ମରାମତି ସହ ଚାରିଦ୍ୱାରକୁ ଖୋଲନ୍ତୁ । ପୁରୀ, ରାଉରକେଲା,  ଆନନ୍ଦପୁର, ନବରଙ୍ଗପୁର, ଭୁବନେଶ୍ୱର..ସବୁଠି ସଂକୀର୍ତ୍ତନ କରି ପ୍ରତିବାଦ କରିଛି କଂଗ୍ରେସ । ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରି ଦଳ ସଂକୀର୍ତ୍ତନ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତିଙ୍କ ସମେତ ବହୁ ନେତା ନିଜେ ଝାଞ୍ଜ ଓ ଗିନି ବଜାଇ ପ୍ରତିବାଦ କରିଛନ୍ତି ।

ସେପଟେ ବିଜେପି ମଧ୍ୟ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି କାହିଁକି କମିଟି ଗଠନ କରି ରତ୍ନଭଣ୍ଡାର ଖୋଲାଯାଉନି, ତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ସରକାର ଜାଣିଶୁଣି ଭକ୍ତ ଓ ଭଗବାନ ଭିତରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଚାରିଦ୍ୱାର ଖୋଲିଲେ ଭକ୍ତମାନେ ଶ୍ରୀଜିଉଙ୍କର ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି କହିଛି ବିଜେପି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଶାସକ ଦଳ କହିଛି, ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।

ଏଣେ ଭକ୍ତ ବି ଶୃଙ୍ଖଳିତ ଦର୍ଶନ ପାଇଁ ଆତୁର । ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରତିଦିନ ଖରା ତରାରେ ଲମ୍ୱା ଧାଡିରେ ଅପେକ୍ଷା କରୁଛନ୍ତି ହଜାର ହଜାର ଭକ୍ତ । ଧର୍ମ ମାସ କାର୍ତ୍ତିକ ଚାଲିଥିବାରୁ ହବିଷ୍ୟାଳୀଙ୍କ ଭିଡ ଏବେ ପୁରୀ ସହରରେ । ଚାରିଦ୍ୱାର ଖୋଲିଲେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ଭକ୍ତଙ୍କ ମତ ।

ପୂର୍ବରୁ ଗଜପତି ମହାରାଜା ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ସପକ୍ଷରେ ମତ ରଖିଛନ୍ତି । ବିରୋଧ ବଢୁଥିବା ବେଳେ ସରକାର କେବେ ଶ୍ରଦ୍ଧାଳୁ ଓ ବିରୋଧୀଙ୍କ ଶଙ୍କା ଦୂର କରୁଛନ୍ତି ତାଉପରେ ନଜର ।

  • Reported by:
  • MADHUSUDAN MISHRA , PAWAN TIWARI , JAGDISH DAS